Home Education ଏ ବର୍ଷ ବି ହେବନି ଛାତ୍ରସଂସଦ ନିର୍ବାଚନ

ଏ ବର୍ଷ ବି ହେବନି ଛାତ୍ରସଂସଦ ନିର୍ବାଚନ

ଭୁବନେଶ୍ୱର : ଏବର୍ଷ ବି ରାଜ୍ୟରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଛାତ୍ରସଂସଂଦ ନିର୍ବାଚନ ହେବନାହିଁ । ତେଣୁ ଶିକ୍ଷାନୁଷ୍ଠାନଗୁଡିକରେ ଏବେ ବିଭିନ୍ନ ରାଜନୈତିକଦଳର ଛାତ୍ର ସଂଗଠନମାନଙ୍କର କାର୍ଯ୍ୟକ୍ରମ ପୂରା ମାନ୍ଦା ପଡିଯାଇଛି ।

କରୋନା ପାଇଁ ପରୀକ୍ଷାଫଳ ପ୍ରକାଶନରେ ବିଳମ୍ବ ଘଟିଥିବାରୁ ଏବେ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଶେଷ ହେବା ବେଳକୁ ପୂଜାଛୁଟି ଆସିଯାଇଥିବ । ଏହାଛଡା ଯୁକ୍ତ ତିନି, ସ୍ନାତକୋତ୍ତର ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକରେ ଏଯାବତ୍‍ ବହୁ ପରୀକ୍ଷା ବାକି ଅଛି । ଏପର୍ଯ୍ୟନ୍ତ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକର କ୍ୟାମ୍ପସରେ ପାଠପଢା ସବୁ ଶ୍ରେଣୀ ପାଇଁ ସ୍ୱାଭାବିକ ହୋଇନାହିଁ । ଏ ପରିପ୍ରେକ୍ଷୀରେ ଛାତ୍ର ସଂସଦ ନିର୍ବାଚନ କରାଗଲେ ପୁଣି ବିଭ୍ରାଟ ଉପୁଜିବା ସହ କୋଭିଡ କଟକଣା ଭଙ୍ଗର ଆଶଙ୍କା ରହିଛି ।

ଗତବର୍ଷ କରୋନାର କରାଳ କାୟା ମେଲିଥିବା ପରିପ୍ରେକ୍ଷୀରେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ରହିବା ସହିତ ଲକଡାଉନ୍‍ ଓ ସଟ୍‍ଡାଉନ ବଳବତ୍ତର ଥିଲା । ତେଣୁ ୨୦୨୦ରେ ଛାତ୍ର ସଂସଦ ନିର୍ବାଚନ କରାଯାଇ ନଥିଲା । ଏହା ପୂର୍ବରୁ ମଧ୍ୟ ଦୁଇ ତିନିବର୍ଷ ଧରି ଆଇନ୍‍ ଶୃଙ୍ଖଳା ସମସ୍ୟା ଆଳରେ ଛାତ୍ର ସଂସଦ ନିର୍ବାଚନ ମଧ୍ୟ ବନ୍ଦ ରହିଥିଲା ।

ସାଧାରଣତଃ ଗ୍ରୀଷ୍ମାବକାଶ ପରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକ ଖୋଲିଥାଏ ଏବଂ ଜୁନ୍‍-ଜୁଲାଇ ମାସରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହୋଇ ଅଗଷ୍ଟ ସୁଦ୍ଧା ସରିଯାଇଥାଏ । ତେଣୁ ପ୍ରାୟତଃ ସେପ୍ଟେମ୍ବର ମାସରେ ସାରା ରାଜ୍ୟରେ ଗୋଟିଏ ଦିନରେ ଛାତ୍ରସଂସଦ ନିର୍ବାଚନ ହୋଇଥାଏ । ତେଣୁ ଶିକ୍ଷାନୁଷ୍ଠାନ ଖୋଲିବାମାତ୍ରେ ବିଭିନ୍ନ ରାଜନୈତିକ ଦଳର ଛାତ୍ର ସଂଗଠନମାନେ କଲେଜ ଓ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ର୍ନିବାଚନକୁ ଆଖିଆଗରେ ରଖି ବେଶ୍‍ ସକ୍ରିୟ ହୋଇ ଉଠିଥାନ୍ତି ।

ଶିକ୍ଷାନୁଷ୍ଠାନ ଓ ଛାତ୍ରଛାତ୍ରୀମାନଙ୍କ ବିଭିନ୍ନ ସମସ୍ୟାକୁ ଆଳ କରି ସେମାନେ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିବା ଫଳରେ ଅନେକ ସମୟରେ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡିକରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥାଏ । ଏମିତିକି ନିର୍ବାଚନକୁ ଆଖିଆଗରେ ରଖି ବିଭିନ୍ନ ସ୍ଥାନରେ ରକ୍ତାକ୍ତ ସଂଘର୍ଷ ମଧ୍ୟ ଘଟିଥାଏ ।

ତେବେ କରୋନା ଯୋଗୁଁ ଛାତ୍ର ସଂସଦ ର୍ନିବାଚନ ହେଉନଥିବାରୁ ଏବେ ଶିକ୍ଷାନୁଷ୍ଠାନଗୁଡିକ ମଧ୍ୟରେ ପ୍ରାୟତଃ ଉତ୍ତେଜନାମୂଳକ ପରିସ୍ଥିତି ନାହିଁ । ସଂଖ୍ୟାଧିକ ଶିକ୍ଷାନୁଷ୍ଠାନରେ ଏବେ ବି ସମସ୍ତ ଶ୍ରେଣୀରେ ପାଠପଢା ଆରମ୍ଭ ହୋଇନାହିଁ । ଛାତ୍ରଛାତ୍ରୀଙ୍କ ଉପସ୍ଥାନ ବି ଢେର କମ୍‍ ରହୁଛି । ଏମିତିକି ହଷ୍ଟେଲଗୁଡିକରେ ମଧ୍ୟ ପର୍ଯ୍ୟାପ୍ତ ସଂଖ୍ୟକ ଛାତ୍ରଛାତ୍ରୀ ନାହାନ୍ତି ।

ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକ ଲାଗି ଛାତ୍ରସଂସଦ ନିର୍ବାଚନ ହେଉନଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ନାମାଙ୍କନବେଳେ ଏ ବାବଦ ଫି ଆଦାୟ ନକରିବା ଏବଂ ଯେଉଁ କ୍ଷେତ୍ରରେ ଏହା ଆଦାୟ ହୋଇଛି ତାହା ଫେରସ୍ତ କରିବାଲାଗି କେତେକ ଛାତ୍ର ସଂଗଠନ ଦାବି କରୁଛନ୍ତି । ତେବେ ନିର୍ବାଚନ ହୋଇନଥିଲେ ମଧ୍ୟ କରୋନା କଟକଣା ଭିତରେ କଲେଜଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ହେଉଛି ଏବଂ କଟକଣା କୋହଳ ହେବାପରେ ପୂର୍ବବତ୍‍ କାର୍ଯ୍ୟକ୍ରମ ହୋଇପାରେ ବୋଲି କେତେକ ଅଗ୍ରଣୀ କଲେଜର ଛାତ୍ରସଂସଦ ଦାୟିତ୍ୱରେ ଥିବା ବରିଷ୍ଠ ଅଧ୍ୟାପକମାନେ ମତ ଦେଉଛନ୍ତି । (ତଥ୍ୟ)