Home Environment ଏ ବର୍ଷ ଫୁଟିବନି ବାଣ

ଏ ବର୍ଷ ଫୁଟିବନି ବାଣ

ଏବର୍ଷ ଦୀପାବଳୀରେ ବାଣ ଫୁଟିବନି । କରୋନା କାଳରେ ବାୟୁ ପ୍ରଦୂଷଣକୁ ଦୃଷ୍ଟିରେ ରଖି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନର ଏଭଳି କଟକଣା ଜାରି କରିଛନ୍ତି । ଏହି କଟକଣା ଚଳିତ ମାସ ୧୦ ରୁ ୩୦ ତାରିଖ ପର୍ଯ୍ୟନନ୍ତ ବଳବତ୍ତର ରହିବ ।

ବାଣ ଫୁଟାଇବା ଉପରେ କଟକଣା ଜାରି ସଂକ୍ରାନ୍ତରେ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନା ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ନେଇଥିବା ଆଗୁଆ ପଦକ୍ଷେପ ଯୋଗୁଁ ଆମ ରାଜ୍ୟରେ କରୋନାକୁ ନିୟନ୍ତ୍ରଣ କରାଯାଇ ପାରିଛି । ତେବେ ବର୍ତ୍ତମାନ ରୋଗୀ ସଂଖ୍ୟା ହ୍ରାସ ଘଟିଥିଲେ ମଧ୍ୟ ବିପଦ ଏବେ ବି ରହିଛି । ଆମ ଦେଶ ତଥା ବିଶ୍ୱର କେତେକ ଅଞ୍ଚଳରେ କୋଭିଡ କଟକଣା କଡାକଡି ଭାବେ ପାଳନ ହୋଇନଥିବାରୁ ସେଠାରେ ପୁନଃ ସଂକ୍ରମଣ ଦେଖା ଦେଇଛି ।

ଏଥିପାଇଁ ବିଶ୍ୱର ଅନେକ ଦେଶ କୋଭିଡ ବ୍ୟାପିକା ଓ ତାହାର ପୁନଃ ସଂକ୍ରମଣକୁ ରୋକିବା ନିମେନ୍ତ ଲକ୍‍ଡାଉନ୍‍ ତଥା ଅନ୍ୟାନ୍ୟ କଠୋର ପଦକ୍ଷେପମାନ ପୁଣି ଲାଗୁ କରିବାକୁ ବାଧ୍ୟ ହୋଇଛନ୍ତି । ଆସନ୍ତା ଶୀତ ଋତୁରେ ମହାମାରୀ ଅଧିକ ବ୍ୟାପିବାର ସମ୍ଭାବନା ଥିବା ନେଇ ବୈଜ୍ଞାନିକମାନେ ସହମତ ହୋଇଛନ୍ତି ।

ଶୀତଦିନେ ବୟସ୍କ ବ୍ୟକ୍ତି, ପିଲା, ଅନ୍ୟରୋଗରେ ଆକ୍ରାନ୍ତ ବ୍ୟକ୍ତିମାନଙ୍କ ଶ୍ୱାସଜନିତ ସମସ୍ୟା ବୃଦ୍ଧି ହୋଇଥାଏ । ପୁଣି ବାୟୁ ପ୍ରଦୂଷଣ ସାଙ୍ଗକୁ ବାୟୁମଣ୍ଡଳରେ ଭାସମାନ ଦ୍ରବ୍ୟ କଣିପାର ଅଧିକ ମିଶ୍ରଣ ଫଳରେ ଶ୍ୱାସଜନିତ ସମସ୍ୟା ଗୁରୁତର ହୋଇଥାଏ ।

ସାଧାରଣତଃ ବାଣ ଫୁଟାଇବା ଫଳରେ ଅଧିକ ମାତ୍ରାରେ ନାଇଟ୍ରସ ଅକସାଇଡ୍‍, ସଲଫର ଡାଇଅକ୍ସାଇଡ୍‍, କାର୍ବନ ମନୋକ୍ସାଇଡ୍‍ ପରି କ୍ଷତିକାରକ ରସାୟନିକ ପଦାର୍ଥ ନିର୍ଗତ ହୋଇଥାଏ ଏବଂ ତାହା ସମ୍ବେଦନଶୀଳ ଲୋକଙ୍କର ଶ୍ୱାସକ୍ରିୟା ଉପରେ ଗଭୀର ପ୍ରଭାବ ପକାଇଥାଏ । କୋଭିଡ ସଂକ୍ରମିତଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ଏହା ଆହୁରି ବଢାଇ ଦେବାର ଆଶଙ୍କା ରହିଛି ।

ବାଣ ଫୁଟାଇବାର କ୍ଷତିକାରକ ଫଳାଫଳ ତଥା ଆସନ୍ତା ଶୀତଦିନକୁ ବିଚାର କରି ରାଜ୍ୟ ସରକାର ବାଣ ବିକ୍ରି ତଥା ଫୁଟାଇବାକୁ ଚଳିତମାସ ୧୦ରୁ ୩୦ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧ କରିଛନ୍ତି । ବାଣ ଫୁଟାଇବା ବଦଳରେ ଆଲୋକର ପର୍ବ ଦୀପାବଳୀକୁ ପାରମ୍ପରିକ ମାଟି ଦୀପ, ମହମବତୀ ତଥା ଅନ୍ୟ ଆଲୋକୀକରଣ ପଦାର୍ଥ ବ୍ୟବହାର କରି ପାଳନ କରାଯାଇ ପାରିବ ।
କଟକଣା ଅବମାନନା କରୁଥିବା ବ୍ୟକ୍ତିଙ୍କୁ ବିପର୍ଯ୍ୟୟ ପରିଚାଳନା ଆଇନ୍‍ ୨୦୦୫ ତଥା ଅନ୍ୟ ଧାରରା ଅନୁଯାୟୀ ଦଣ୍ଡିତ କରାଯିବ । ପ୍ରଶାସନ ଓ ପୁଲିସ୍‍କୁ ଏଥିପାଇଁ ନିର୍ଦ୍ଦେଶ ଦିଆଯାଇଥିବା ଏସ୍‍ଆରସି କହିଛନ୍ତି ।

LEAVE A REPLY

Please enter your comment!
Please enter your name here