Home Administration ଏସ୍‌.ଡି.ଜି. ହାସଲ ନିମନ୍ତେ ସ୍ୱତନ୍ତ୍ର ପି.ଏମ୍‌.ୟୁ.

ଏସ୍‌.ଡି.ଜି. ହାସଲ ନିମନ୍ତେ ସ୍ୱତନ୍ତ୍ର ପି.ଏମ୍‌.ୟୁ.

ଭୁବନେଶ୍ୱର : ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ଓଡ଼ିଶା ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌.ଡି.ଜି.) ହାସଲ ପଥରେ ଦୃଢ଼ ଅଗ୍ରସର ହେଉଛି । ଏଥିପାଇଁ ଯୋଜନା ଓ ସମନ୍ୱୟ ବିଭାଗରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍‌ (ପି.ଏମ୍‌.ୟୁ) ଗଠନ କରାଯାଇଛି ।

ପି.ଏମ୍‌.ୟୁ. ଗଠନ ନିମନ୍ତେ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏବଂ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ଉପସ୍ଥିତିରେ ଆର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ଙ୍କ ସହ ଏକ ଚୁକ୍ତିପତ୍ର ସ୍ୱାକ୍ଷରିତ ହୋଇଛି । ରାଜ୍ୟ ଲୋକସେବା ଭବନଠାରେ ଅନୁଷ୍ଠିତ ଏ ସମ୍ବନ୍ଧିତ ବୈଠକରେ ଯୋଜନା ଓ ସମନ୍ୱୟ ବିଭାଗର ସ୍ୱତନ୍ତ୍ର ଅଧିକାରୀ ତଥା ସ୍ୱତନ୍ତ୍ର ଶାସନ ସଚିବ ଦେବେନ୍ଦ୍ର କୁମାର ଜେନା ଏବଂ ଆର୍ନଷ୍ଟ ଆଣ୍ଡ୍‌ ୟଙ୍ଗ୍‌ କଂପାନୀ ର ପରାମର୍ଶଦାତା ସହଭାଗୀ ରୋହିତ୍‌ ଅଗ୍ରୱାଲ୍‌ ସ୍ୱାକ୍ଷର କରିଥିଲେ ।

ଚୁକ୍ତିପତ୍ରରେ ଥିବା ବିଭିନ୍ନ ବିଷୟ ଅନୁଧ୍ୟାନ କରି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ଯେ ଏସ୍‌.ଡି.ଜି. ଏ ବିଶ୍ୱ ସମୁଦାୟ ଦ୍ୱାରା ସ୍ଥିରିକୃତ ଲକ୍ଷ୍ୟ । ପରିବର୍ତ୍ତିତ ବିଶ୍ୱ ପରିସ୍ଥିତିରେ ଏସ୍‌.ଡି.ଜି. ଲକ୍ଷ୍ୟ ହାସଲ ଏକାନ୍ତ ଜରୁରୀ । ଏହା ମାଧ୍ୟମରେ ସମନ୍ୱିତ ଏବଂ ନିରନ୍ତର ଅବିବୃଦ୍ଧି ହାସଲ ସହ ସାମାଜିକ ନ୍ୟାୟ ବଜାୟ ରହିବ । ଏସ୍‌.ଡି.ଜି. ହାସଲ ପ୍ରକ୍ରିୟାକୁ ଲକ୍ଷ୍ୟଭେଦୀ ଏବଂ ତ୍ୱରାନ୍ୱିତ କରିବା ନିମନ୍ତେ ଅନ୍ତବିଭାଗୀୟ ଦକ୍ଷତା ବୃଦ୍ଧି କରିବା ପାଇଁ ଶ୍ରୀ ମହାପାତ୍ର ସଂପୃକ୍ତ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।      

ଉନ୍ନୟନ କମିଶନର ଶ୍ରୀ ପ୍ରଦୀପ କୁମାର ଜେନା କହିଥିଲେ ଯେ ଏହି ପି.ଏମ୍‌.ୟୁ. ଏସ୍‌.ଡି.ଜି.-୨୦୩୦ ହାସଲ ନିମନ୍ତେ ବିଭିନ୍ନ ବିଭାଗମାନଙ୍କ ସହ ସମନ୍ୱିତ ଭାବେ କାର୍ଯ୍ୟ କରିବ । ବହୁମୁଖୀ ଦ୍ରାରିଦ୍ର୍ୟ ମାନକ ଅନୁସାରେ ରାଜ୍ୟର ବିକାଶ ପ୍ରକ୍ରିୟା ତ୍ୱରାନ୍ୱିତ କରିବାରେ ମଧ୍ୟ ସହାୟକ ହେବ  ।  ବିଭିନ୍ନ ଯୋଜନା ଓ ପ୍ରକଳ୍ପ ଆଦି ବିଷୟରେ ଥିବା ବିକ୍ଷିପ୍ତ ତଥ୍ୟକୁ ସମନ୍ୱିତ କରି ଆବଶ୍ୟକ ପଡୁଥିବା ପଦକ୍ଷେପ ବିଷୟରେ ତଥ୍ୟ-ଭିତ୍ତିକ ସୂଚନା ଦେବ । ଏହି ତଥ୍ୟ-ଭିତ୍ତିକ ସୂଚନା ରାଜ୍ୟର ଯୋଜନା ପ୍ରସ୍ତୁତି ଏବଂ ଉନ୍ନୟନ ମୂଳକ କାର୍ଯ୍ୟକ୍ରମର ପରିଚାଳନାରେ ସହାୟକ ହେବ ।

ଶ୍ରୀ ଜେନା ଆହୁରି ମଧ୍ୟ କହିଥିଲେ ଯେ ପି.ଏମ୍‌.ୟୁ ଏସ୍‌.ଡି.ଜି. ର ଅନୁଧାବନ ନିମନ୍ତେ ଏକ ମୂଳ ତଥ୍ୟ-ଭିତ୍ତି ରିପୋର୍ଟ ପ୍ରସ୍ତୁତ କରିବ । ଏହା ପରେ ପ୍ରତିବର୍ଷ ବାର୍ଷିକ ରିପୋର୍ଟ୍‌ ପ୍ରସ୍ତୁତ ହେବ । ମୂଳ ତଥ୍ୟ-ଭିତ୍ତି ସହ ବାର୍ଷିକ ରିପୋର୍ଟ୍‌ର ତୁଳନାକରି କେଉଁ କ୍ଷେତ୍ରରେ କିପରି ପଦକ୍ଷେପ ଓ ପୁଞ୍ଜିନିବେଶର ଆବଶ୍ୟକତା ଅଛି ତାହା ନିର୍ଦ୍ଧାରଣ କରାଯିବ । ପି.ଏମ୍‌.ୟୁ. ଉଭୟ ରାଜ୍ୟ ଏବଂ ଜିଲ୍ଲାସ୍ତରରେ ଏସ୍.ଡି.ଜି. ହାସଲ ପ୍ରକ୍ରିୟାର ତତ୍ୱାବଧାନ କରିବ ।

ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପଂଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଆର୍ନଷ୍ଟ ଆଣ୍ଡ ୟଙ୍ଗ୍‌ର ନିର୍ଦ୍ଦେଶକ ଶ୍ରୀ ଗୌରବ ତାନେଜାଙ୍କ ସମେତ ଓଡ଼ିଶା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଏହି ଚୁକ୍ତି ସ୍ୱାକ୍ଷର ବୈଠକରେ ଯୋଗଦେଇଥିଲେ ।