Home Administration ଏସ୍‌.ଡି.ଜି ହାସଲ ଉପରେ ଗୁରୁତ୍ୱ

ଏସ୍‌.ଡି.ଜି ହାସଲ ଉପରେ ଗୁରୁତ୍ୱ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଶିକ୍ଷା, ସ୍ୱାସ୍ଥ୍ୟ, ମହିଳା ସଶକ୍ତିକରଣ, ଶିଳ୍ପ ଏବଂ ସାମାଜିକ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ସହ ରାଜ୍ୟ ସରକାର ବର୍ତ୍ତମାନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌.ଡି.ଜି.) ହାସଲ ଉପରେ ଗୁରୁତ୍ୱ ଆରୋପ କରିଛନ୍ତି । ଏଥିପାଇଁ ଯୋଜନା ଓ ସମନ୍ୱୟ ବିଭାଗରେ ଏକ ସ୍ୱତନ୍ତ୍ର ପ୍ରକଳ୍ପ ତତ୍ତ୍ୱାବଧାନ ୟୁନିଟ୍‌ (ପି.ଏମ୍‌.ୟୁ) ଗଠନ କରାଯାଇଛି । ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଏହି ୟୁନିଟ୍ କାର୍ଯ୍ୟ କରୁଛି ।

ବିଭିନ୍ନ ବିଭାଗ, ଜିଲ୍ଲା ଏବଂ ଅଂଶିଦାର ସଂସ୍ଥାମାନଙ୍କ ମଧ୍ୟରେ ସମନ୍ୱିତ ଓ ସହଭାଗୀ କାର୍ଯ୍ୟକ୍ରମ ପାଇଁ ସ୍ୱତନ୍ତ୍ର ଭାବେ ଗଠିତ ଏହି ପି.ଏମ୍‌.ୟୁ ରାଜ୍ୟ ଲୋକସେବା ଭବନ ସଭାଗୃହରେ ଏକ କର୍ମଶାଳାର ଆୟୋଜନ କରିଥିଲେ । ଏହି କର୍ମଶାଳାକୁ ସମ୍ବୋଧିତ କରି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ନିରନ୍ତର ବିକାଶ ରାଜ୍ୟ ଯୋଜନାର ଏକ ଗୁରୁତ୍ୱପୂର୍ଣ୍ଣ ଦିଗ । ଏ ଦିଗରେ ରାଜ୍ୟ ସରକାରଙ୍କର ଅନେକ ପଦ​‌କ୍ଷେପ ନେଇଛନ୍ତି । କେତେକ ନିର୍ଦ୍ଧାରିତ ମାନକରେ ରାଜ୍ୟ ଆଗୁଆ ସ୍ଥିତିରେ ଥବାବେଳେ ଅନ୍ୟକେତେକ ମାନକ ପାଇଁ ଲକ୍ଷ୍ୟଭେଦୀ କାର୍ଯ୍ୟଯୋଜନାର ଆବଶ୍ୟକତା ରହିଛି ।

ନିରନ୍ତର ବିକାଶ ଲକ୍ଷ୍ୟ ସହ ସଂଯୁକ୍ତ ଯୋଜନାଗୁଡ଼ିକର ସଠିକ୍‌ କାର୍ଯ୍ୟାନ୍ୱୟନ, ସେସବୁ ବିଷୟରେ ବାସ୍ତବ ତଥ୍ୟ ସଂଗ୍ରହ ଏବଂ ତଥ୍ୟର ଅନୁଶୀଳନ ଏକାନ୍ତ ଆବଶ୍ୟକ । ସଠିକ୍‌ ତଥାନୁଶୀଳନରୁ ପ୍ରାପ୍ତ ଜ୍ଞାନ ଭିତ୍ତିରେ ଆବଶ୍ୟକୀୟ କାର୍ଯ୍ୟପନ୍ଥା ଗ୍ରହଣ କରାଗଲେ ଏସ୍‌.ଡି.ଜି. ହାସଲ ତ୍ୱରାନ୍ୱିତ ହେବ । ବିକାଶକୁ ନିରନ୍ତର ଓ ଦୀର୍ଘସ୍ଥାୟୀ କରିବା ନିମନ୍ତେ ବିଭାଗ ମଧ୍ୟରେ ଅନ୍ତଃପ୍ରକ୍ରିୟାଗତ ସଂସ୍କାର ସହ ଦକ୍ଷତା ଅବିବୃଦ୍ଧି ପାଇଁ ଶ୍ରୀ ମହାପାତ୍ର ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଏସ୍‌.ଡି.ଜି. ସମନ୍ୱୟ ନିମନ୍ତେ ପ୍ରତି ବିଭାଗ ଜଣେ ଦକ୍ଷ ନୋଡାଲ ଅଫିସର ଏବଂ ଦୁଇଜଣ ଅଭିଜ୍ଞ ପ୍ରୋଗ୍ରାମ୍‌ ଅଫିସର ମନୋନୟନ କରିବା ପାଇଁ ଶ୍ରୀ ମହାପାତ୍ର ସବୁ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ । ମନୋନିତ ନୋଡାଲ୍‌ ଏବଂ ପ୍ରୋଗ୍ରାମ୍‌ ଅଫିସରମାନଙ୍କ ନିମନ୍ତେ ନିୟମିତ ବ୍ୟବଧାନରେ ତାଲିମ୍‌ ଓ ଅନୁପ୍ରେରଣା ଶିବିର ଆୟୋଜନ କରିବା ପାଇଁ ମଧ୍ୟ ମୁଖ୍ୟ ଶାସନ ସଚିବ ପି. ଏମ୍‌ . ୟୁ. ଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ଶ୍ରୀ ଜେନା କହିଥିଲେ ଯେ ପି.ଏମ. ୟୁ. ଖୁବ୍‌ ଶିଘ୍ର ବିଭାଗ ମାନଙ୍କ ସହଯୋଗରେ ନିରନ୍ତର ବିକାଶ ଢ଼ାଞ୍ଚାର ସଦ୍ୟତଥ୍ୟାରୋପଣ କରିବେ । ତାପରେ ଏହି ପି.ଏମ. ୟୁ. ରାଜ୍ୟରେ ଏସ୍‌.ଡି.ଜି. ସ୍ଥିତି ସମ୍ବନ୍ଧିତ ମୁଳ ତଥ୍ୟ ଭିତ୍ତି ପ୍ରସ୍ତୁତ କରିବେ । ଏହି କାର୍ଯ୍ୟରେ ସବୁ ବିଭାଗର ପ୍ରମୁଖ ଶାସନ ସଚିବ ଏବଂ ଶାସନ ସଚିବମାନେ ସକ୍ରିୟ ସହଯୋଗ କରିବାକୁ ଶ୍ରୀ ଜେନା ପରାମର୍ଶ ଦେଇଥିଲେ ।  ବିଭିନ୍ନ ଏସ୍‌.ଡି.ଜି. ସହ ସଂଯୁକ୍ତ ଯୋଜନା ଓ କାର୍ଯ୍ୟକ୍ରମ ଗୁଡ଼ିକର ସଠିକ୍‌ ତଥ୍ୟ ସଂଗ୍ରହରେ ପି.ଏମ. ୟୁ.ର ସହାୟତା ନେବାପାଇଁ ମଧ୍ୟ ଶ୍ରୀ ଜେନା ବିଭାଗୀୟ ଶାସନ ସଚିବମାନଙ୍କୁ କହିଥିଲେ ।

ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ୍‌ ଚୋପ୍ରାଙ୍କ ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ଏବଂ ଆର୍ନଷ୍ଟ ଆଣ୍ଡ ୟଙ୍ଗର ବରିଷ୍ଠ ଅଧିକାରୀମାନେ କର୍ମଶାଳାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ ।