Home Judiciary ଏସ୍‍ସି ଏସ୍‍ଟି ମାମଲାରେ ଦଣ୍ଡବିଧାନ ନଗଣ୍ୟ

ଏସ୍‍ସି ଏସ୍‍ଟି ମାମଲାରେ ଦଣ୍ଡବିଧାନ ନଗଣ୍ୟ

ଭୁବନେଶ୍ୱର : ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଲୋକଙ୍କ ଉପରେ ହେଉଥିବା ଅତ୍ୟାଚାର ମାମଲାରେ ଓଡ଼ିଶାରେ ଦଣ୍ଡବିଧାନ ହାର ବହୁତ କମ୍‍ ରହୁଥିବାବେଳେ ମାମଲା ଫଇସଲା ଅତ୍ୟନ୍ତ ନୈରାଶ୍ୟଜନକ ।

କେନ୍ଦ୍ର ସରକାରଙ୍କ ସଦ୍ୟ ପ୍ରକାଶିତ କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟର ତଥ୍ୟ ମୁତାବକ ଗତବର୍ଷ ସୁଦ୍ଧା ଓଡ଼ିଶାରେ ୧୯,୩୦୦ଟି ଏସ୍‍ସି ନିର୍ଯାତନା ମାମଲା ଓ ୬,୬୫୯ଟି ଏସ୍‍ଟି ନିର୍ଯାତନା ମାମଲା ବିଚାରାଧିନ ଥିଲା । ଏଥିମଧ୍ୟରୁ ଗତବର୍ଷ ୨୪୯ଟି ଏସ୍‍ସି ନିର୍ଯାତନା ମାମଲା ଫଇସଲା ହୋଇଥିବାବେଳେ ସେଥିରୁ ୪୦ଟିରେ ଦଣ୍ଡବିଧାନ ହୋଇଥିବାବେଳେ ୨୦୮ଟିରେ ଅଭିଯୁକ୍ତ ଖସି ଯାଇଛନ୍ତି । ଏଭଳି କିସମ ମାମଲାରେ ଜାତୀୟ ସ୍ତରରେ ଦଣ୍ଡବିଧାନ ହାର ୩୪ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୬.୧ ପ୍ରତିଶତ ରହିଛି । ତେବେ ଯେତେ ମାମଲା ବିଚାର ପାଇଁ ଥିଲା ସେଥିରୁ ମାତ୍ର ୧.୩ ପ୍ରତିଶତ ଗତବର୍ଷ ଫଇସଲା ହୋଇଛି ।

ସେହିଭଳି ଗତବର୍ଷ ସୁଦ୍ଧା ବିଚାର ପ୍ରତୀକ୍ଷାରେ ଥିବା ୬,୬୫୯ଟି ଏସ୍‍ଟି ନିର୍ଯାତନା ମାମଲାରୁ ମାତ୍ର ୪୬ଟିର ଫଇସଲା ହୋଇଥିବାବେଳେ ସେଥିରୁ ୯ଟିରେ ଦଣ୍ଡବିଧାନ ହୋଇଛି ଓ ୩୭ଟିରେ ଅଭିଯୁକ୍ତ ଖଲାସ ହୋଇଯାଇଛନ୍ତି । ଏସ୍‍ଟି ନିର୍ଯାତନା ମାମଲା କ୍ଷେତ୍ରରେ ଜାତୀୟସ୍ତରରେ ଦଣ୍ଡବିଧାନ ହାର ୨୮.୧ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହା ୧୯.୬ ପ୍ରତିଶତ ଥିଲା ବୋଲି କ୍ରାଇମ୍‍ ଇନ୍‍ ଇଣ୍ଡିଆ ରିପୋର୍ଟରେ କୁହାଯାଇଛି । ଗତବର୍ଷ ଯେତେ ସଂଖ୍ୟକ ଏସ୍‍ଟି ନିର୍ଯାତନା ମାମଲା ବିଚାର ପାଇଁ ରହିଥିଲା ସେଥିରୁ ମାତ୍ର ୦.୭ ପ୍ରତିଶତ ଫଇସଲା ହୋଇଥିବାବେଳେ ୯୯.୩ ପ୍ରତିଶତ ବାକିଆ ମାମଲା ଭାବେ ଚଳିତବର୍ଷକୁ ଗଡିଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ଜନସଂଖ୍ୟାର ୩୮.୭୫ ପ୍ରତିଶତ ଏସ୍‍ସି ଓ ଏସ୍‍ଟି ବର୍ଗର ଅଛନ୍ତି । ଏହି ତଥ୍ୟ ଗତ ଜନଗଣନା ସମୟର । ପରବର୍ତ୍ତୀ ଜନଗଣନାରେ ରାଜ୍ୟର ଏସ୍‍ସି/ଏସ୍‍ଟି ବର୍ଗର ଜନସଂଖ୍ୟା ବୃଦ୍ଧି ପାଇବାର ସମ୍ଭାବନା ଅଛି । ପୁରୁଷ ପୁରୁଷ ଧରି ଏହି ଦୁଇଟି ବର୍ଗ ବିଭିନ୍ନ ପ୍ରକାର ନିର୍ଯାତନା ଓ ଶୋଷଣର ଶିକାର ହୋଇ ଆସୁଛନ୍ତି ।

ମହାତ୍ମା ଗାନ୍ଧୀଙ୍କ ଅସ୍ପୃଶ୍ୟତା ନିବାରଣ ଅଭିଯାନ ଓ ବିଆର୍‍ ଆମ୍ବେଦକରଙ୍କ ଦଳିତ ବର୍ଗର ସ୍ୱାର୍ଥରକ୍ଷା ଲାଗି ନିରନ୍ତର ସଂଗ୍ରାମର ଫଳ ସ୍ମୃତି ସ୍ୱରୂପ ଭାରତୀୟ ସମ୍ବିଧାନର ୧୭ ଧାରାରେ ଅସ୍ପୃଶ୍ୟତା ନିବାରିତ ହୋଇଥିବା କଥା ଉଲ୍ଲେଖ କରାଯାଇଛି । ସାମ୍ବିଧାନିକ ବିଧି ବ୍ୟବସ୍ଥା ଅନୁଯାୟୀ ତଫସିଲ୍‍ଭୁକ୍ତ ଜାତି ଓ ଉପଜାତି ପାଇଁ ସରକାରୀ ଚାକିରି ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସ୍ତରରେ ଅନେକ ସୁବିଧା ସୁଯୋଗର ବ୍ୟବସ୍ଥା ଅଛି । ଏହାସତ୍ତ୍ୱେ ବି ସ୍ୱାଧୀନତାର ୭୬ବର୍ଷ ପରେ ସାରା ଦେଶରେ ପାଖାପାଖି ୩ଲକ୍ଷ ଏସ୍‍ସି ନିର୍ଯାତନା ଓ ପ୍ରାୟ ୫୦ହଜାର ଏସ୍‍ଟି ନିର୍ଯାତନା ମାମଲା ବିଚାରାଳୟରେ ପଡିରହିଛି । ବିଭିନ୍ନ କାରଣରୁ ନିର୍ଯାତନା ଓ ଶୋଷଣର ଶିକାର ହେଉଥିବା ମଧ୍ୟ ଏହି ଦୁଇ ବର୍ଗର ଅନେକ ଲୋକ ମାମଲା ରୁଜୁ କରିବାକୁ ଭରସି ପାରୁନାହାନ୍ତି । ସାମାଜିକ ଦୃଷ୍ଟିକୋଣର ଆମୂଳଚୁଳ ପରିବର୍ତ୍ତନ ହେଉନଥିବାରୁ ଏବେ ବି ଏହି ସମସ୍ୟା କେବଳ ଓଡ଼ିଶା କାହିଁକି ଭାରତର ବିଭିନ୍ନ ରାଜ୍ୟରେ ଲାଗି ରହିଛି ।

ତେବେ ସରକାରୀ ତଥ୍ୟ ମୁତାବକ ୨୦୨୧ ତୁଳନାରେ ୨୦୨୨ ବର୍ଷରେ ଓଡ଼ିଶାରେ ଅଧିକ ସଂଖ୍ୟକ ଏସ୍‍ସିଏସ୍‍ଟି ମାମଲା ଫଇସଲା ହୋଇଛି । ୨୦୨୧ ବର୍ଷରେ ୧୪୫ଟି ଏସ୍‍ସି ନିର୍ଯାତନା ମାମଲା ଫଇସଲା ହୋଇଥିବାବେଳେ ସେଥିରୁ ମାତ୍ର ଗୋଟିକରେ ଦଣ୍ଡବିଧାନ ହୋଇଥିଲା । ସେହିପରି ଉକ୍ତ ବର୍ଷରେ ମାତ୍ର ୨୪ଟି ଏସ୍‍ଟି ନିର୍ଯାତନା ମାମଲା ଫଇସଲା ହୋଇଥିବାବେଳେ ସେଥିରୁ ଗୋଟିକରେ ହେଲେ ବି ଦଣ୍ଡବିଧାନ ହୋଇନଥିଲା । ବିଶେଷ କରି ମାମଲା ଫଇସଲାରେ ବିଳମ୍ବ, ତଦନ୍ତ ଓ ଚାର୍ଜସିଟ୍‍ରେ ତ୍ରୁଟି, ଦୁର୍ବଳ ସାକ୍ଷ୍ୟପ୍ରମାଣ, ଏସ୍‍ସି ଓ ଏସ୍‍ଟି ବର୍ଗର ନିର୍ଯାତିତ ଲୋକଙ୍କ ଦୁର୍ବଳ ଆର୍ଥିକ ସ୍ଥିତି ଆଦି କାରଣରୁ ଏହି ବର୍ଗର ନିର୍ଯାତିତ ଲୋକଙ୍କୁ ଠିକଣା ଭାବେ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରୁନାହିଁ ବୋଲି ଅଭିଜ୍ଞ ଆଇନଜୀବୀମାନେ ମତବ୍ୟକ୍ତ କରୁଛନ୍ତି । (ତଥ୍ୟ)