Home Education ଏମ୍‍ସ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପଦବୀ ଖାଲି

ଏମ୍‍ସ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ବ୍ୟାପକ ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶାରେ ଥିବା ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପ୍ରାୟ ୯୦ ପ୍ରତିଶତ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ଲକ୍ଷ ଲକ୍ଷ ରୋଗୀଙ୍କ ଆଶା ଭରସାର କେନ୍ଦ୍ରବିନ୍ଦୁ ବୋଲି କୁହାଯାଉଥିବା ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆର‌୍ୟୁବିଜ୍ଞାନ ସଂସ୍ଥାନ (ଏମ୍‍ସ)ରେ ୩୬୫ଟି ଡାକ୍ତର ପଦବୀ ଖାଲି ପଡିଛି । ବିଭିନ୍ନ ମହଲରୁ ଲଗାତର ଦାବି ସତ୍ତ୍ୱେ ଏସବୁ ପଦବୀ ପୂରଣରେ ବିଳମ୍ବ ଘଟୁଛି ।

କୋରାପୁଟର ସୁନାବେଢ଼ାଠାରେ ରହିଛି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ । ଏହି ବିଶ୍ୱବିଦ୍ୟାଳୟରେ ଏବେ ମାତ୍ର ୧୪ଟି ବିଷୟରେ ଶିକ୍ଷାଦାନ ବ୍ୟବସ୍ଥା ଅଛି । କମ୍ପ୍ୟୁଟର ସାଇନ୍ସ, ବାୟୋଟେକ୍ନୋଲୋଜି, ଏମବିଏ, ଏମଏସଡବ୍ଲ୍ୟୁ ଆଦି ବିଷୟ ଏଯାବତ୍‍ ଏଠାରେ ଖୋଲାଯାଇନାହିଁ । ଏହି ବିଶ୍ୱବିଦ୍ୟାଳୟ ଲାଗି ୧୫୪ଟି ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୧୩୭ଟି ପଦବୀ ଖାଲି ପଡିଛି ।

ଏହି ବିଶ୍ୱବିଦ୍ୟାଳୟରେ ଏବେ ମାତ୍ର ୧୭ଜଣ ନିୟମିତ ଶିକ୍ଷକ ଥିବାବେଳେ ପାଠପଢ଼ା ପାଇଁ ମୁଖ୍ୟତଃ ଅତିଥି ଅଧ୍ୟାପକମାନଙ୍କ ଉପରେ ନିର୍ଭର କରିବାକୁ ହେଉଛି । ଫଳରେ ରାଜ୍ୟର ଏକମାତ୍ର କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଅଧ୍ୟାପନା ଓ ଗବେଷଣା କାର୍ଯ୍ୟ ଗୁରୁତର ଭାବେ ବ୍ୟାହତ ହେଉଛି । ଏହି ବିଶ୍ୱବିଦ୍ୟାଳୟ ଲାଗି ୧୧୫ଟି ମଞ୍ଜୁରୀପ୍ରାପ୍ତ ଅଣଶିକ୍ଷକ ପଦବୀ ଥିବାବେଳେ ସେଥିରୁ ୯୩ଟି ଖାଲି ପଡିଛି । ଏଥିଯୋଗୁଁ ବିଶ୍ୱବିଦ୍ୟାଳୟର ପ୍ରଶାସନିକ କାର୍ଯ୍ୟରେ ମଧ୍ୟ ସମସ୍ୟା ଉପୁଜୁଛି ।

ଓଡ଼ିଶାର ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅନେକ ବିଭାଗରେ ପ୍ରଫେସର ପଦବୀ ସବୁ ବର୍ଷ ବର୍ଷ ଧରି ଖାଲି ପଡିଛି । ଅଳ୍ପ କେଇଜଣ ସହକାରୀ ଓ ସହଯୋଗୀ ପ୍ରଫେସରଙ୍କ ଯୋଗୁଁ କୌଣସି ପ୍ରକାରେ ଏହି ବିଶ୍ୱବିଦ୍ୟାଳୟ ଏକ ପ୍ରକାର ଭେଣ୍ଟିଲେଟରରେ ବଞ୍ôଚ ରହିଛି ।

ଓଡ଼ିଶାରେ ଥିବା ଅନ୍ୟ ଏକ ଶିକ୍ଷା, ଗବେଷଣା ଓ ଚିକିତ୍ସା କେନ୍ଦ୍ର ହେଉଛି ଭୁବନେଶ୍ୱରସ୍ଥିତ ଅଖିଳ ଭାରତ ଆର‌୍ୟୁବିଜ୍ଞାନ ସଂସ୍ଥାନ ବା ଏମ୍‍ସ । ଓଡ଼ିଶାର ବିଭିନ୍ନ ଅଞ୍ଚଳରୁ ଏମିତିକି ପଶ୍ଚିମବଙ୍ଗ, ଝାଡଖଣ୍ଡ, ଛତିଶଗଡ, ଆନ୍ଧ୍ରପ୍ରଦେଶ ଆଦି ପଡୋଶୀ ରାଜ୍ୟରୁ ଭୁବନେଶ୍ୱର ଏମ୍‍ସକୁ ପ୍ରତିଦିନ ହଜାର ହଜାର ରୋଗୀ ଆସିଥାନ୍ତି । ଏଠାରେ ଉନ୍ନତମାନର ଚିକିତ୍ସା କମ୍‍ ମୂଲ୍ୟରେ ଉପଲବ୍ଧ ହେଉଥିବାରୁ ଆଉଟଡୋର୍‍ ଟିକେଟ ଖଣ୍ଡିଏ ପାଇବା ପାଇଁ ପୂର୍ବଦିନ ସଞ୍ଜବେଳୁ ଲୋକେ ଧାଡିରେ ରହିଥାନ୍ତି । ଏହାସତ୍ତ୍ୱେ ବି ଭୁବନେଶ୍ୱର ଏମ୍‍ସରେ ଚାହିଦା ମୁତାବକ ସଂପ୍ରସାରଣ ହେଉନାହିଁ ।

ଭୁବନେଶ୍ୱର ଏମ୍‍ସରେ ଉନ୍ନତମାନର ଡାକ୍ତରୀ ଶିକ୍ଷା ପ୍ରଦାନ କରାଯାଇଥାଏ । ଏଥିପାଇଁ ନିଯୁକ୍ତ ଡାକ୍ତର ଅଧ୍ୟାପକମାନେ ଡାକ୍ତରଖାନାରେ ରୋଗୀ ଚିକିତ୍ସା ବି କରିଥାନ୍ତି । ମୋଟାମୋଟି ଭାବେ ଏମସର ଡାକ୍ତରମାନଙ୍କ ଉପରେ ଆଉଟଡୋର୍‍ ଓ ଇନଡୋର୍‍ ରୋଗୀ ଚିକିତ୍ସା ସହ ଜଟିଳ ଅସ୍ତ୍ରୋପଚାର, ଶିକ୍ଷାଦାନ, ଗବେଷଣା, ପରୀକ୍ଷା ପରିଚାଳନା ଓ ଅନ୍ୟାନ୍ୟ ପ୍ରଶାସନିକ କାର୍ଯ୍ୟ ନ୍ୟସ୍ତ ଥାଏ ।

ଏହି ସଂସ୍ଥାନ ପାଇଁ ଶିକ୍ଷକ ଏବଂ ବରିଷ୍ଠ ଓ କନିଷ୍ଠ ରେସିଡେଣ୍ଟ ଡାକ୍ତରଙ୍କୁ ମିଶାଇ ମୋଟ ୧୦୩୩ ପଦବୀ ଥିବାବେଳେ ସେଥିରୁ ୩୬୫ଟି ଖାଲି ପଡିଛି । ପୂର୍ବ ଭାରତର ଅଗ୍ରଣୀ ମେଡିକାଲ ଶିକ୍ଷାନୁଷ୍ଠାନ ଓ ହସପିଟାଲ ଭାବେ ଏମ୍‍ସର ବେଶ୍‍ ସୁନାମ ଥିବାବେଳେ ଏଠାରେ ଡାକ୍ତର ପଦବୀ ସବୁ ବର୍ଷ ବର୍ଷ ଧରି ଖାଲି ରହୁଛି । ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ଜଣେ ଦୁଇଜଣ ଡାକ୍ତରୀ ଶିକ୍ଷକ କାମ ତୁଲାଉଛନ୍ତି । ଏଥିଯୋଗୁଁ ରୋଗୀ ସେବା, ଗବେଷଣା ଓ ଶିକ୍ଷାଦାନ କାମରେ ବାଧା ଉପୁଜୁଛି ।

କାମର ଚାପା ଅଧିକ ରହୁଥିବାରୁ ଏହି ଡାକ୍ତରୀ ଶିକ୍ଷାନୁଷ୍ଠାନର ଅନ୍ୟୂନ ୨୫ଜଣ ଖ୍ୟାତନାମା ଡାକ୍ତର ଗତ ୬ବର୍ଷ ମଧ୍ୟରେ ଚାକିରି ଛାଡିଥିବା କୁହାଯାଉଛି । ଡାକ୍ତର ଓ ଡାକ୍ତର ଶିକ୍ଷକଙ୍କ ଛଡା ଏହି ଅନୁଷ୍ଠାନରେ ଅନେକ ଅଣଶିକ୍ଷକ ପଦବୀ ଖାଲି ପଡିଛି ଏବଂ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରୁ ଡେପୁଟେସନରେ ଅଣାଯାଇ କେତେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାମ ଚଳାଯାଉଛି । କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓ ଏମ୍‍ସରେ ଖାଲିଥିବା ସମସ୍ତ ପଦବୀ ପୂରଣ ସହିତ ଏହାର ସଂପ୍ରସାରଣକୁ ଆଖି ଆଗରେ ରଖି ନୂଆ ନୂଆ ବିଭାଗ ଓ ପଦବୀ ସୃଷ୍ଟି ପାଇଁ ଦାବି ହେଉଛି । (ତଥ୍ୟ)