Home General ଏମ୍‍ଜିନରେଗାରେ ଶ୍ରମ ମଞ୍ଜୁରୀ ମିଳୁନି

ଏମ୍‍ଜିନରେଗାରେ ଶ୍ରମ ମଞ୍ଜୁରୀ ମିଳୁନି

ଭୁବନେଶ୍ୱର : ୨୦୨୧-୨୨ ଆର୍ଥିକ ବର୍ଷରେ ଓଡିଶା ସରକାର ଏମ୍‍ଜିନରେଗା ଯୋଜନାରେ ୨୫ କୋଟି ଶ୍ରମଦିବସ ଆବଶ୍ୟକ କରୁଥିବାବେଳେ କେନ୍ଦ୍ର ସରକାର ଅତି ମନ୍ଥର ଗତିରେ ଏହା ମଞ୍ଜୁର କରୁଛନ୍ତି । ଅକ୍ଟୋବର ୨୮ତାରିଖ ସୁଦ୍ଧା କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ଅତିରିକ୍ତ ଭାବେ ଆଉ ମାତ୍ର ୨.୧ କୋଟି ଶ୍ରମଦିବସ ମଞ୍ଜୁର କରିଛନ୍ତି ।

ପୂର୍ବରୁ ମନ୍ତ୍ରାଳୟ ୧୪କୋଟି ଶ୍ରମ ଦିବସ ମଞ୍ଜୁର କରିଥିବାବେଳେ ଆଜି ସୁଦ୍ଧା ଏଥିରୁ ୧୩.୬୫ କୋଟି ଶ୍ରମଦିବସ ରାଜ୍ୟରେ କାର୍ଯ୍ୟକାରୀ ହୋଇସାରିଲାଣି । ଆଉ ମାତ୍ର ୩୫ଲକ୍ଷ ଶ୍ରମ ଦିବସ କାର୍ଯ୍ୟକାରୀ ପାଇଁ ରହିଛି । ମନ୍ତ୍ରାଳୟ ପକ୍ଷରୁ ଓଡିଶାରେ ଏମ୍‍ଜିନରେଗା କାର୍ଯ୍ୟକୁ ପ୍ରଶଂସା କରାଯାଇଥିବାବେଳେ ନଭେମ୍ବର ଓ ଡିସେମ୍ବର ମାସ ପାଇଁ ମାତ୍ର ୨.୧ କୋଟି ଶ୍ରମ ଦିବସ ମଞ୍ଜୁର ହୋଇଛି ।

ଓଡିଶା ପକ୍ଷରୁ ୭ମାସରେ ସଫଳତାର ସହ ୧୩.୬୫କୋଟି ଶ୍ରମଦିବସ କାର୍ଯ୍ୟକାରୀ ହୋଇଥିବାବେଳେ ପ୍ରତିମାସରେ ହାରାହାରି ୨କୋଟି ଶ୍ରମଦିବସ ସୃଷ୍ଟି ହେଉଛି । ଏଭଳି ସ୍ଥିତିରେ ଦୁଇ ମାସ ପାଇଁ କେନ୍ଦ୍ରରୁ ମାତ୍ର ୨.୧ କୋଟି ଶ୍ରମଦିବସ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ରାଜ୍ୟର ଗ୍ରାମାଞ୍ଚଳରେ ଲୋକେ ଅଧିକ କାମ ଆବଶ୍ୟକ କରୁଥିବାରୁ ରାଜ୍ୟ ସରକାର ଅଧିକ ଶ୍ରମଦିବସ କାର୍ଯ୍ୟକାରୀ କରିବାର କ୍ଷମତା ରଖିଥିବା ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

ଏମ୍‍ଜିନରେଗା ଚାହିଦା ଭିତ୍ତିକ ରୋଜଗାର ଯୋଜନା ହୋଇଥିବାବେଳେ ଜୀବିକା ସୁରକ୍ଷା ପାଇଁ ପ୍ରତ୍ୟେକ ଆର୍ଥିକ ବର୍ଷରେ ଗୋଟିଏ ପରିବାରକୁ ଅତି କମ୍‍ରେ ୧୦୦ ଦିନର କାମ ଯୋଗାଇବାର ଲକ୍ଷ୍ୟ ରହିଛି । ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଏ ନେଇ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ସହ ସମ୍ପର୍କ ରକ୍ଷା କରାଯାଇଥିବାବେଳେ ଚଳିତ ଆର୍ଥିକ ବର୍ଷରେ ରାଜ୍ୟ ଅଧିକ କର୍ମଦିବସ ଆବଶ୍ୟକ କରୁଛି ।

ଏମ୍‍ଜିନରେଗା କାର୍ଯ୍ୟକାରୀ କ୍ଷେତ୍ରରେ ଓଡିଶା ଆଗରେ ଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକଙ୍କୁ ଅଧିକରୁ ଅଧିକ କାମ ଯୋଗାଣ ଉପରେ ଗୁରୁତ୍ୱ ଦେଉଛନ୍ତି । ଏହି ସମୟରେ ଶ୍ରମ ବଜେଟ୍‍ରୁ ୯୫ ପ୍ରତିଶତରୁ ଅଧିକ ଖର୍ଚ୍ଚ ହୋଇଥିବାବେଳେ ୪୫.୬୯ଲକ୍ଷ ବ୍ୟକ୍ତି ଏମ୍‍ଜିନରେଗାରେ ସାମିଲ ହୋଇଛନ୍ତି ।

୨୦୨୦-୨୧ ବର୍ଷରେ ଓଡିଶା ୨୦.୫୦ କୋଟି ଶ୍ରମ ଦିବସ ସୃଷ୍ଟିରେ ସକ୍ଷମ ହୋଇଥିବାବେଳେ ୨୦୨୧-୨୨ ବର୍ଷରେ ଅଧିକ ଶ୍ରମଦିବସ ଆଶା କରାଯାଉଛି । ତେବେ ୨୦୧୯-୨୦ ବର୍ଷରେ ୧୧.୫୦ କୋଟି ଶ୍ରମଦିବସ ସୃଷ୍ଟି ହୋଇଥିବାବେଳେ ୨୦୧୮-୧୯ ରେ ଏହା ୯.୫୦ କୋଟି ଥିଲା ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଆସନ୍ତା ୫ମାସରେ ଲୋକଙ୍କୁ କର୍ମସଂସ୍ଥାନ ଯୋଗାଇବାପାଇଁ କେନ୍ଦ୍ରକୁ ଅଧିକ ଶ୍ରମଦିବସ ମଞ୍ଜୁର ପାଇଁ ଅନୁରୋଧ କରାଯାଇଛି । ଏମ୍‍ଜିନରେଗା ଯୋଜନାରେ ୮୨ ପ୍ରତିଶତ ଅର୍ଥ ବ୍ୟୟ ହୋଇଥିବାବେଳେ ଆଗାମୀ ମାସରେ ଏହା ବୃଦ୍ଧିପାଇବ । କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରାଳୟ ରାଜ୍ୟ ଗୁଡିକର ପ୍ରଦର୍ଶନ ଦେଖିବାପରେ ପର୍ଯ୍ୟାୟକ୍ରମେ ଶ୍ରମଦିବସ ମଞ୍ଜୁର କରିଥାନ୍ତି ।

ତେବେ ଓଡିଶାର ସଫଳ ପ୍ରଦର୍ଶନ ଦେଖିବାପରେ କେନ୍ଦ୍ର ସରକାର ଅଧିକ ଶ୍ରମ ଦିବସ ମଞ୍ଜୁର କରିବେ ବୋଲି ଆଶା ଥିବାବେଳେ ତାହା ହୋଇନାହିଁ । ଅଧିକାରୀଙ୍କ ସୂଚନା ଅନୁଯାୟୀ କେନ୍ଦ୍ର ସରକାରଙ୍କ ନିକଟରେ ପାଣ୍ଠି ଅଭାବ ଯୋଗୁଁ ଏମ୍‍ଜିନରେଗା ଏଭଳି ସଙ୍କଟର ସମ୍ମୁଖୀନ ହୋଇଛି । ଅନ୍ୟ ରାଜ୍ୟମାନେ ଅଧିକ ଶ୍ରମଦିବସ ପାଇଁ ଦାବି କରୁଥିବାବେଳେ ସେମାନଙ୍କ ଅନୁରୋଧ ମଧ୍ୟ ପ୍ରତ୍ୟାଖାନ ହୋଇଯାଉଛି । (ତଥ୍ୟ)