Home Industry ଏମ୍‍ଏସ୍‍ଏମ୍‍ଇ ପାଇଁ ୧୦୦ କୋଟିର ମାର୍ଜିନ ମନି

ଏମ୍‍ଏସ୍‍ଏମ୍‍ଇ ପାଇଁ ୧୦୦ କୋଟିର ମାର୍ଜିନ ମନି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନିଶ୍ଚିତ ରୋଜଗାର କାର୍ଯ୍ୟକ୍ରମ (ପିଏମ୍‍ଇଜିପି) ରେ ମାର୍ଜିନ ମନି ବାବଦକୁ ଓଡିଶାକୁ କେନ୍ଦ୍ର ସରକାର ୧୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି । ଏଥି ମଧ୍ୟରୁ ୮୫.୭୧ କୋଟି ଟଙ୍କା ରାଜ୍ୟରେ ବଣ୍ଟାଯାଇ ସାରିଲାଣି ।

କେନ୍ଦ୍ର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଖଦି ଏବଂ ଗ୍ରାମ୍ୟ ଶିଳ୍ପ କମିଶନଙ୍କ ଜରିଆରେ ପିଏମ୍‍ଇଜିପିକୁ ଗ୍ରାମାଞ୍ଚଳରେ କାର୍ଯ୍ୟକାରୀ କରୁଛନ୍ତି । ଏହାଦ୍ୱାରା ଗ୍ରାମାଞ୍ଚଳ ସମେତ ସମଗ୍ର ଦେଶରେ ଛୋଟ ଛୋଟ ଶିଳ୍ପ ସମେତ କୃଷି ଭିତ୍ତି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା ମାଧ୍ୟମରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରୁଛି ।

ଏମ୍‍ଏସ୍‍ଏମ୍‍ଇ ମନ୍ତ୍ରାଳୟ ମଧ୍ୟ କ୍ଲଷ୍ଟର ଭିତ୍ତିକ ସ୍ଫୁର୍ତ୍ତି ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଯାହାକି କୃଷି ଭିତ୍ତିକ ଶିଳ୍ପକୁ ପ୍ରୋତ୍ସାହିତ କରୁଛି । କେନ୍ଦ୍ର ଖଦି କମିଶନ ମଧ୍ୟ ମହୁ ମିଶନ ଜରିଆରେ ମହୁମାଛି ପାଳନ ମାଧ୍ୟମରେ କୃଷକ ଓ ବେକାର ଯୁବକ ଯୁବତୀମାନଙ୍କୁ କର୍ମସଂସ୍ଥାନ ଯୋଗାଇବାର ଲକ୍ଷ୍ୟ ରହିଛି । ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ୪୧,୩୨୪ କୋଟି ଟଙ୍କାର ଋଣ ଯୋଗାଣର ଲକ୍ଷ୍ୟ ଥିବାବେଳେ ଡିସେମ୍ବର ୩୧ତାରିଖ ସୁଦ୍ଧା ୨୮,୧୬୭ କୋଟି ଋଣ ଯୋଗାଣ ହୋଇଛି ।

ରାଜ୍ୟ ସରକାରଙ୍କ ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷରେ ଋଣ ଯୋଗାଣ ପ୍ରକ୍ରିୟାକୁ ତ୍ୱରାନ୍ୱିତ ପାଇଁ ବ୍ୟାଙ୍କ୍‍ଗୁଡିକୁ ଅନୁରୋଧ କରାଯାଇଛି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଋଣ ପ୍ରଦାନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ବ୍ୟାଙ୍କ୍‍ଗୁଡିକୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନା ଅନୁଯାୟୀ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରକୁ ଋଣ ପ୍ରଦାନ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ କରୁଥିବା ବ୍ୟାଙ୍କ୍‍ଗୁଡିକ ମଧ୍ୟରେ ବ୍ୟାଙ୍କ୍‍ ଅଫ୍‍ ମହାରାଷ୍ଟ୍ର, ଇଣ୍ଡିଆନ ବ୍ୟାଙ୍କ୍‍ ଏବଂ ସେଣ୍ଟ୍ରାଲ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ, ଇଣ୍ଡସ ଇଣ୍ଡ୍‍ ବ୍ୟାଙ୍କ୍‍, କୋଟାକ ମହିନ୍ଦ୍ରା ବ୍ୟାଙ୍କ୍‍ ଏବଂ ଫେଡେରାଲ ବ୍ୟାଙ୍କ୍‍ ଆଦି ରହିଛନ୍ତି ।

ଅନ୍ୟ ବ୍ୟାଙ୍କଗୁଡିକ ମଧ୍ୟରେ ଓଡିଶା ଗ୍ରାମ୍ୟ ବ୍ୟାଙ୍କ୍‍, ପଞ୍ଜାବ ଆଣ୍ଡ ସିନ୍ଧ୍‍ ବ୍ୟାଙ୍କ୍‍ ଏବଂ ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ୍‍, ଉତ୍କର୍ଷ ବ୍ୟାଙ୍କ୍‍, ୟୁଡିଏଫ୍‍ସି ବ୍ୟାଙ୍କ୍‍ ଏବଂ ବନ୍ଧନ ବ୍ୟାଙ୍କ୍‍ ଆଦି ଏମ୍‍ଏସ୍‍ଏମ୍‍ଇକୁ ଋଣ ପ୍ରଦାନ କ୍ଷେତ୍ରରେ ସବୁଠାରୁ ତଳେ ଥିବା ଜଣାଯାଇଛି । (ତଥ୍ୟ)