Home Finance ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଋଣ

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅଧିକ ଋଣ

ଭୁବନେଶ୍ୱର : କୋଭିଡ୍‌ ଭଳି ପ୍ରତିକୂଳ ପରିସ୍ଥିତିରେ ବ୍ୟାଙ୍କମାନଙ୍କର ପୂର୍ଣ୍ଣ ସହଯୋଗ ଯୋଗୁଁ ୨୦୨୦-୨୧ ଆର୍ଥିକ ବର୍ଷରେ ଋଣ ପ୍ରଦାନରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇପାରିଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଚଳଚଞ୍ଚଳ କରିବାକୁ ନିଆଯାଇଥିବା ପଦକ୍ଷେପ ସ୍ୱରୂପ ଉଦ୍ୟୋଗଗୁଡ଼ିକୁ ଋଣ ପ୍ରଦାନରେ ଏକ ଉଲ୍ଲେଖନୀୟ ସଫଳତା ପାଇଥିବା ବିଭାଗୀୟ ସୂତ୍ରରୁ ପ୍ରକାଶ ।

ଇସିଏଲ୍‌ଜିଏସ୍‌ (କୋଭିଡ଼୍‌ ଋଣ) ଅଧୀନରେ ୩୪୧୭.୦୨ କୋଟି ଟଙ୍କା ଋଣ ପ୍ରଦାନଯୋଗ୍ୟ ଅର୍ଥରୁ ୩୩୦୮.୬୯ କୋଟି ଟଙ୍କାର ମଞ୍ଜୁରୀ ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୩୧୦୭.୮୨ କୋଟି ଟଙ୍କା ଉଦ୍ୟୋଗୀମାନଙ୍କୁ ପ୍ରଦାନ କରାଯାଇ ସାରିଛି । ପୂର୍ବରୁ ଏତେ ପରିମାଣରେ ଋଣ ପ୍ରଦାନ କେବେ କରାଯାଇ ପାରିନଥିଲା । ପିଏମ୍‌ଇଜିପି ଅଧୀନରେ ସର୍ବମୋଟ ୪୩୫୮ଟି ଉଦ୍ୟୋଗ ମଧ୍ୟରୁ ୩୬୯୪ଟି ଉଦ୍ୟୋଗକୁ ପ୍ରାୟ ୧୧୫ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଛି ।

ସେହିପରି ପିଏମ୍‌ଏଫ୍‌ଏମ୍‌ଇ ଅଧୀନରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସ୍ୱୟଂ ସହାୟିକା ଗୋଷ୍ଠୀର ୨୮୧୪ ଜଣ ସଦସ୍ୟାଙ୍କୁ ୪୦ ହଜାର ଟଙ୍କା ହିସାବରେ ସିଡ୍‌ମନି ଭାବେ ପ୍ରାୟ ୭୭୪ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ତା’ଛଡ଼ା ୨୧ଟି ଏସ୍‌ଏଚ୍‌ଜିଙ୍କୁ ମୋଟ ୫୩.୯୬ ଲକ୍ଷ ଟଙ୍କା ସବ୍‌ସିଡି ପ୍ରଦାନ କରାଯାଇଛି ।

୩ଟି ଏଫ୍‌ପିଓକୁ ସବ୍‌ସିଡି ପ୍ରଦାନ ନିମନ୍ତେ ପ୍ରସ୍ତାବ ମଞ୍ଜୁରୀ ସକାଶେ କେନ୍ଦ୍ର ସରକାରଙ୍କୁ ପତ୍ରାଳାପ କରାଯାଇଛି । ଗଞ୍ଜାମର ରଙ୍ଗେଇଲୁଣ୍ଡାଠାରେ ମତ୍ସ୍ୟ ଉତ୍ପାଦନ ସକାଶେ ସାଧାରଣ ଇନ୍‌କୁ୍ୟବେସନ୍‌ କେନ୍ଦ୍ର ସ୍ଥାପନ ସକାଶେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ୧୬୩ ଲକ୍ଷ ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ।

ଉପଯୁକ୍ତ ପ୍ୟାକେଜିଂର ବିକାଶ ଓ ଓଡ଼ିଶାର ଉତ୍ପାଦିତ ଖାଦ୍ୟ ସାମଗ୍ରୀର ବ୍ରାଣ୍ଡିଂ ସୃଷ୍ଟି କରିବାକୁ ଓର୍‌ମାସ୍‌କୁ ୮.୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ତା’ଛଡ଼ା ଅତିବେଶୀରେ ୧୦ ଲକ୍ଷ ଟଙ୍କା ସବ୍‌ସିଡି ପ୍ରାବଧାନ ସହ ବ୍ୟକ୍ତିଗତ ଅଣୁ ଉଦ୍ୟୋଗଗୁଡ଼ିକୁ ଋଣ ମଞ୍ଜୁର କରିବା ଓ ୫୦ ପ୍ରତିଶତ ସବ୍‌ସିଡି ଦେବା ନିମନ୍ତେ ୩୮୩ଟି ଆବେଦନକୁ ବିଭିନ୍ନ ବ୍ୟାଙ୍କକୁ ପଠାଯାଇଛି । ୨୮୯ କୋଟି ଟଙ୍କା କୋଭିଡ୍‌ ସହାୟତା ପ୍ୟାକେଜ୍‌ର ଆକର୍ଷଣୀୟ ରିହାତି ବ୍ୟବସ୍ଥା ଯୋଗୁଁ ଋଣ ଯୋଗାଣରେ ଏହି ରେକର୍ଡ ସୃଷ୍ଟି ହୋଇପାରିଛି ।

କୋଭିଡ୍‌ ମହାମାରୀ ସମୟରେ ଏହି ଉଲ୍ଲେଖନୀୟ ସଫଳତା ନିମନ୍ତେ ବିଭାଗ ତରଫରୁ କ୍ଷେତ୍ର କର୍ମଚାରୀ ଓ ସର୍ବୋପରି ବ୍ୟାଙ୍କଗୁଡ଼ିକର ସହଯୋଗ ପାଇଁ ସମ୍ଭବ ହୋଇପାରିଥିବାରୁ ବଧେଇ ଜଣାଇବା ସହ ବହୁଳ ଭାବେ କର୍ମସଂସ୍ଥାନ ସୃଷ୍ଟି କରୁଥିବା ଏହି କ୍ଷେତ୍ରକୁ ଆଗାମୀ ଦିନରେ ଏପରି ସହଯୋଗ ଜାରି ରଖିବାକୁ ଅନୁରୋଧ କରାଯାଇଛି ।