Home General ଏମ୍‍ଏସଏମଇରେ ନିଯୁକ୍ତି କମୁଛି

ଏମ୍‍ଏସଏମଇରେ ନିଯୁକ୍ତି କମୁଛି

ଭୁବନେଶ୍ୱର ରାଜ୍ୟରେ ଥିବା ଅଣୁ, କ୍ଷୁଦ୍ର ଓ ମଧ୍ୟମ (ଏମ୍‍ଏସ୍‍ଏମଇ) ଉଦ୍ୟୋଗରେ ନିଯୁକ୍ତି ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ୨୦୧୫-୧୬ ମସିହାରେ ଏହି କ୍ଷେତ୍ରରେ ଯେତିକି ଲୋକେ ନିଯୁକ୍ତି ପାଇଥିଲେ ଗତ ଆର୍ଥିକ ବର୍ଷରେ ତାହା ପ୍ରାୟ ୫୦ହଜାର ହ୍ରାସ ପାଇଛି ।

ସରକାରୀ ସୂଚନା ଅନୁଯାୟୀ ୨୦୧୫-୧୬ ମସିହାରେ ୫୩,୯୨୦ ଟି ଏମ୍‍ଏସଏମ୍‍ଇ ଉଦ୍ୟୋଗରେ ୧,୬୬,୭୩୧ ଜଣ କର୍ମସଂସ୍ଥାନ ପାଇଥିଲେ । ସେହିବର୍ଷ ଏହି କ୍ଷେତ୍ରରେ ପ୍ରାୟ ୨୬୮୦ କୋଟି ଟଙ୍କାର ପୁଞ୍ଜି ନିବେଶ ହୋଇଥିଲା । ପରବର୍ତ୍ତୀ ବର୍ଷ ଗୁଡିକରେ ଛୋଟ ଶିଳ୍ପ କ୍ଷେତ୍ରରେ ଏହି ନିଯୁକ୍ତି ହାର ବୃଦ୍ଧି ପାଇ ଚାଲିଥିଲା । ୨୦୧୮-୧୯ ରେ ଏହା ଏକ ଲକ୍ଷ ୯୪ହଜାରକୁ ଟପିଥିବାବେଳେ ୨୦୧୯-୨୦ ବର୍ଷରେ କରୋନା ମହାମାରୀ ସମୟରେ ବି ଏହା ଏକ ଲକ୍ଷ ୬୦ହଜାର ଉପରେ ରହିଥିଲା ।

ତେବେ ୨୦୨୦-୨୧ ବର୍ଷରେ ରାଜ୍ୟରେ ଏମ୍‍ଏସ୍‍ଏମ୍‍ଇ କ୍ଷେତ୍ରରେ ନିଯୁକ୍ତି ପାଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୧ଲକ୍ଷ ୧୯ହଜାର ହଜାର ରହିଛି । ଉଦ୍ୟୋଗ ସଂଖ୍ୟା ବି ୪୪,୨୭୩କୁ ହ୍ରାସ ପାଇଛି । ସେହିଭଳି ଏହି କ୍ଷେତ୍ରରେ ନିବେଶ ପରିମାଣ ବି ୨ହଜାର କୋଟି ଟଙ୍କା ତଳେ ରହିଛି । ପୁଞ୍ଜିନିବେଶ ହ୍ରାସ ସହିତ ଉଦ୍ୟୋଗ ସଂଖ୍ୟା କମିବାରୁ ନିଯୁକ୍ତି ବି ହ୍ରାସ ପାଇଛି ।

ତେବେ ରାଜ୍ୟ ସରକାର ଏମ୍‍ଏସ୍‍ଏମ୍‍ଇକୁ ସର୍ବାଧିକ ଗୁରତ୍ୱ ପ୍ରଦାନ କରୁଥିବାବେଳେ ଏ କ୍ଷେତ୍ରର ଏଭଳି ନୈରାଶ୍ୟଜନକ ପ୍ରଦର୍ଶନ ଏବେ ଚିନ୍ତାର କାରଣ ହୋଇଛି । ବିଶେଷକରି ଷ୍ଟାର୍ଟ ଅପ୍‍ ଉପରେ ଗୁରୁତ୍ୱ ଦିଆଯିବା ସହିତ ଏହି କ୍ଷେତ୍ରକୁ ଅର୍ଥ ଯୋଗାଇ ଦେବାପାଇଁ ବ୍ୟାଙ୍କ୍‍ଗୁଡିକୁ କୁହାଯାଉଛି । ଏହା ସତ୍ୱେ ବି ରାଜ୍ୟରେ ଏମ୍‍ଏସ୍‍ଏମ୍‍ଇ ସଂଖ୍ୟା ହ୍ରାସ ପାଇବା ଓ ଏ କ୍ଷେତ୍ରରେ କର୍ମସଂସ୍ଥାକୁ ସଙ୍କୁଚିତ ହେବା କର୍ତ୍ତୃପକ୍ଷଙ୍କୁ ଆଶ୍ଚର୍ଯ୍ୟ କରିଛି ।

ତେବେ ବିଶେଷଜ୍ଞଙ୍କ ମତରେ ଏମ୍‍ଏସ୍‍ଏମଇ କ୍ଷେତ୍ରକୁ ବ୍ୟାଙ୍କ୍‍ଗୁଡିକର ଅଣଦେଖା ଏଭଳି ପରିସ୍ଥିତି ସୃଷ୍ଟି କରିଛି । ଗାଁ ଗହଳରେ ଯେଉଁମାନେ ଛୋଟ ଛୋଟ ଉଦ୍ୟୋଗ ପ୍ରତିଷ୍ଠା ପାଇଁ ଚାହୁଁଛନ୍ତି ସେମାନଙ୍କ ସହଜରେ ଋଣ ମିଳୁନାହିଁ । ଜିଲ୍ଲା ଶିଳ୍ପ କେନ୍ଦ୍ର ଜରିଆରେ ଶହ ଶହ ଆବେଦନ ବ୍ୟାଙ୍କ୍‍ଗୁଡିକ ନିକଟରେ ପଡି ରହିଛି । ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ସରକାର ଏ ନେଇ ବ୍ୟାଙ୍କ୍‍ଗୁଡିକୁ ବାରମ୍ବାର ତାଗିଦ କଲେ ମଧ୍ୟ ବ୍ୟାଙ୍କ୍‍ଗୁଡିକ ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି । ଅନ୍ୟ ପକ୍ଷରେ ରାଜ୍ୟରେ କୃଷି ଭିତ୍ତିକ କ୍ଷୁଦ୍ର ଶିଳ୍ପ ଗଠନରେ ସେଭଳି ଆନ୍ତରିକତା ନଥିବା ଯୋଗୁଁ ଏହି କ୍ଷେତ୍ରରେ କର୍ମସଂସ୍ଥାନ ହ୍ରାସ ପାଉଛି । ଏହାର ଫଳ ସ୍ୱରୂପ ରାଜ୍ୟରୁ ଅଧିକ ପରିମାଣର କୁଶଳୀ ଶ୍ରମିକଙ୍କ ସହିତ ସାଧାରଣ ଲୋକେ ବି କର୍ମସଂସ୍ଥାନ ପାଇଁ ଅନ୍ୟ ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛି । (ତଥ୍ୟ)