Home News in Odia ଏମସରୁ ନେତାଜୀଙ୍କ ନାମ ବାଦ୍‍

ଏମସରୁ ନେତାଜୀଙ୍କ ନାମ ବାଦ୍‍

ଭୁବନେଶ୍ୱର : ଭୁବନେଶ୍ୱରରେ ପ୍ରତିଷ୍ଠା କରାଯାଇଥିବା କେନ୍ଦ୍ର ସରକାରଙ୍କ ଅଖିଳ ଭାରତ ଆୟୁରବିଜ୍ଞାନ ପ୍ରତିଷ୍ଠାନ (ଏମ୍‍ସ) ମୂଳରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମରେ ନାମିତ ହୋଇଥିବା ବେଳେ କିଏ କାହିଁକି କେଉଁ ଅଧିକାର ବଳରେ ଏଥିରୁ ନେତାଜୀଙ୍କ ନାମ ବାଦ୍‍ ଦେଲା ଏବଂ ଏବେ ଅନ୍ୟ କେଉଁ ମହାପୁରୁଷଙ୍କ ନାମରେ ଏହା ନାମିତ କରିବା ପାଇଁ କେଉଁମାନେ ଷଡଯନ୍ତ୍ର ଚଳାଇଛନ୍ତି ସେଥିଘେନି ବିଭିନ୍ନ ମହଲରେ ଉତ୍କଣ୍ଠା ପ୍ରକାଶ ପାଇଛି ।

ଭୁବନେଶ୍ୱର ସମେତ ଦେଶର ଅନ୍ୟ କେତେକ ଏମ୍‍ସର ନାମ ବିଭିନ୍ନ ମହାପୁରୁଷଙ୍କ ନାମରେ ନାମିତ କରିବା ଲାଗି ଇତିମଧ୍ୟରେ ପ୍ରସ୍ତାବ ଆହ୍ୱାନ କରାଯାଇଛି । ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ରାଜ୍ୟ ଭିତରର ଓ ବାହାରର ଅନେକ ମହାପୁରୁଷଙ୍କ ନାମରେ ଭୁବନେଶ୍ୱରର ଏମ୍‍ସକୁ ନାମିତ କରିବା ଲାଗି ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରକାରର ଦାବି ଉଠୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଥିବାବେଳେ ୨୦୦୩ ଜୁଲାଇ ୧୫ ତାରିଖରେ ଭୁବନେଶ୍ୱରଠାରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ପ୍ରତିଷ୍ଠାନ ଲାଗି ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି ଉତ୍ସବରେ ଓଡ଼ିଶାର ତତ୍କାଳୀନ ରାଜ୍ୟପାଳ ଏମ.ଏମ୍‍.ରାଜେନ୍ଦ୍ରନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।

ତତ୍କାଳୀନ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ତତ୍କାଳୀନ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, ତତ୍କାଳୀନ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଅର୍ଜୁନ ଚରଣ ସେଠୀ, ତତ୍କାଳୀନ କେନ୍ଦ୍ର ଇସ୍ପାତ ରାଷ୍ଟ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଏବଂ ଓଡ଼ିଶାର ସେତେବେଳର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ ଏହି ଉତ୍ସବରେ ଉପସ୍ଥିତ ଥିଲେ ।

ସେ ସମୟରେ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଅଖିଳ ଭାରତୀୟ ଆର‌୍ୟୁବିଜ୍ଞାନ ପ୍ରତିଷ୍ଠାନ ଭୁବନେଶ୍ୱର, ଓଡ଼ିଶାର ଯେଉଁ ଭିତ୍ତିପ୍ରସ୍ତର ଫଳକ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ସେଥିରେ ଏ ସମସ୍ତଙ୍କ ନାମ ଖୋଦେଇ ହୋଇ ରହିଥିଲା । ପରବର୍ତ୍ତୀ ସମୟରେ ୟୁପିଏ ସରକାର ସମୟରେ ଭୁବନେଶ୍ୱର ଏମ୍‍ସ ନିର୍ମାଣ କାର୍ଯ୍ୟ ବେଶ୍‍ ଆଗେଇଥିଲା । ତେବେ କୌଣସି କାରଣରୁ ଏହି ସର୍ବଭାରତୀୟ ଅନୁଷ୍ଠାନର ନାମରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ନାମକୁ ଇଚ୍ଛାକୃତ କିମ୍ବା ଅନିଚ୍ଛାକୃତ ଭାବେ ହଟାଇ ଦିଆଯିବା ପରେ ପୁଣି ଅନ୍ୟ କାହା ନାମରେ ଏହାକୁ ନାମିତ କରିବା ଲାଗି ଉଦ୍ୟମ ଚାଲିଛି ।

ଚଳିତବର୍ଷ ଦେଶର ସ୍ୱାଧୀନତାପ୍ରାପ୍ତିର ୭୫ବର୍ଷ ପୂର୍ତ୍ତି ଅବସରରେ ଅମୃତ ମହୋତ୍ସବ ସହ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳିତ ହେଉଛି । ଏହି ଅବସରରେ ଦିଲ୍ଲୀର ଇଣ୍ଡିଆ ଗେଟ୍‍ଠାରେ ପ୍ରଧାନମନ୍ତ୍ରୀ ନେତାଜୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ କରିଛନ୍ତି । ଭୁବନେଶ୍ୱର ଏମ୍‍ସ ଭିତ୍ତିପ୍ରସ୍ତର ସ୍ଥାପନ ସମୟରେ ନେତାଜୀଙ୍କ ନାମରେ ସରକାରୀ ଭାବେ ନାମିତ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ଏଠାରୁ ତାଙ୍କ ନାମ ଅପସାରଣ କରିବା କେବଳ ନେତାଜୀଙ୍କ ପାଇଁ ନୁହେଁ, ଦେଶର ସ୍ୱାଧୀନତା ସଂଗ୍ରାମ ଓ ନେତାଜୀଙ୍କୁ ଭଲ ପାଉଥିବା ଅଗଣିତ ଦେଶପ୍ରେମୀଙ୍କ ପାଇଁ ଅପମାନ ସଦୃଶ । ଏ ପରିପ୍ରେକ୍ଷୀରେ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ପ୍ରହଲ୍ଲାଦ କୁମାର ସିଂହ ଓ ନେତାଜୀ ଜନ୍ମମାଟି ଅଭିଯାନ ସମିତିର ଆବାହକ ଦେବୀ ପ୍ରସାଦ ପୃଷ୍ଟି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । (ତଥ୍ୟ)