Home General ଏମଜିଏନ୍‍ଆରଇଜିଏସ୍‍ ପ୍ରକଳ୍ପର କଚ୍ଛପ ଗତି

ଏମଜିଏନ୍‍ଆରଇଜିଏସ୍‍ ପ୍ରକଳ୍ପର କଚ୍ଛପ ଗତି

ଭୁବନେଶ୍ୱର : ଗାଁ ଗହଳର ଲୋକଙ୍କ ହାତକୁ କାମ ଯୋଗାଇ ଦେବାପାଇଁ କାର୍ଯ୍ୟକାରୀ ହେଉଥିବା ଏମଜିଏନ୍‍ଆରଇଜିଏସ୍‍ ଯୋଜନାରେ ନିଆଯାଇଥିବା କାର୍ଯ୍ୟରେ ସେତେଟା ଅଗ୍ରଗତି ହୋଇପାରୁ ନାହିଁ । ପୋଖରୀ ଖୋଳା ଠାରୁ ଆରମ୍ଭ କରି ବଗିଚା ନିର୍ମାଣ ପର୍ଯ୍ୟନ୍ତ କାର୍ଯ୍ୟ ସେତେଟା ଉତ୍ସାହଜନକ ନଥିବା ଜଣାଯାଇଛି ।

ଏମ୍‍ଜିଏନ୍‍ଆରଇଜିଏସ୍‍ ଯୋଜନାରେ ରାଜ୍ୟରେ ୬୦,୬୬୩ଟି ଫାର୍ମ ପୋଖରୀ ଖନନ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ଏଥିରୁ ମାତ୍ର ୫୪୫୭ଟି ସମ୍ପୂର୍ଣ୍ଣ ହୋଇପାରିଛି । ସେହିଭଳି ୩,୨୧,୦୨୩ଟି ମୋ ଉପକାରୀ ବଗିଚା ନିର୍ମାଣ କାର୍ଯ୍ୟ ଗ୍ରହଣ କରାଯାଇଥିବାବେଳେ ବଗିଚା ନିର୍ମାଣ ସଂଖ୍ୟା ୮୦ହଜାର ଟପିପାରି ନାହିଁ ।

ଅନୁରୂପ ଭାବେ ଜଳ ସଂରକ୍ଷଣ ଓ ଜଳଅମଳ ପରିଚାଳନା ପାଇଁ ୬୧,୧୧୩ଟି ପ୍ରକଳ୍ପ ଗ୍ରହଣ କରାଯାଇଥିବାବେଳେ ଏଥିରୁ ୯୪୮୫ଟି ସମ୍ପୂର୍ଣ୍ଣ ହୋଇଛି । ୨୯,୫୩୩ଟି ପୁରୁଣା ପୋଖରୀ ଓ ଅନ୍ୟାନ୍ୟ ଜଳାଶୟର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ଥିବାବେଳେ ଏଥିରୁ ମାତ୍ର ୪୨୬୭ଟି ପୂରଣ ହୋଇପାରିଛି । ବୃକ୍ଷରୋପଣ ଓ କ୍ଷତିପୂରକ ବନୀକରଣ ଯୋଜନାରେ ଏକ ଲକ୍ଷ ୧୨ହଜାରରୁ ଅଧିକ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସେଥିରୁ ମାତ୍ର ୧୦ହଜାରୁ ସାମାନ୍ୟ ଅଧିକ ସମ୍ପୂର୍ଣ୍ଣ ହୋଇଛି ।

ସେହିଭଳି ଗୁହାଳ ନିର୍ମାଣ କ୍ଷେତ୍ରରେ ମଧ୍ୟ କାର୍ଯ୍ୟ ସେତେଟା ସନ୍ତୋଷଜନକ ହୋଇପାରି ନାହିଁ । ଏମ୍‍ଜିଏନ୍‍ଆରଇଜିଏସ୍‍ ଜରିଆରେ ୫୩ହଜାର ଗୁହାଳ ନିର୍ମାଣ ପାଇଁ ସ୍ଥିର ହୋଇଥିବାବେଳେ ମାତ୍ର ୬୦୩୧ଟି ନିର୍ମାଣ ହୋଇପାରିଛି । ଅଙ୍ଗନବାଡି କେନ୍ଦ୍ର ନିର୍ମାଣ କ୍ଷେତ୍ରରେ ବି ଅନୁରୂପ ଅବସ୍ଥା । ୯୧୮୬ ନିର୍ମାଣ କାର୍ଯ୍ୟ ହାତକୁ ନିଆଯାଇଥିବାବେଳେ ସରିଛି ମାତ୍ର ୧୦୨୪ଟି । ସେହିଭଳି ୭୨୦୫ ଖେଳପଡିଆ ନିର୍ମାଣ କାର୍ଯ୍ୟ ମଧ୍ୟରୁ ସମ୍ପୂର୍ଣ୍ଣ ହୋଇଛି ୯୬୬ଟି ।

ତେବେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟର ଏଭଳି କଚ୍ଛପ ଗତି ପାଇଁ ଏହି ଯୋଜନାରେ କେନ୍ଦ୍ର ସରକାର ଶ୍ରମଦିବସ ମଞ୍ଜୁରରେ ବିଳମ୍ବତାକୁ ଦାୟୀ କରାଯାଉଛି । ଏମ୍‍ଜିଏନ୍‍ଆରଇଜିଏସ୍‍ କାର୍ଯ୍ୟକାରୀରେ ଓଡିଶାର ସଫଳତାକୁ ଦେଖି ଚଳିତ ଆର୍ଥିକ ବର୍ଷରେ ରାଜ୍ୟକୁ ଅତି କମ୍‍ରେ ୨୦ଲକ୍ଷ ଶ୍ରମ ଦିବସ କେନ୍ଦ୍ର ସରକାର ମଞ୍ଜୁର କରିବେ ବୋଲି ଆଶା କରାଯାଉଥିଲା । ହେଲେ ଚଳିତମାସ ୧୫ତାରିଖ ସୁଦ୍ଧା ମାତ୍ର ୧୪.୬୧ଲକ୍ଷ ଶ୍ରମ ଦିବସ ମଞ୍ଜୁର ହୋଇଛି । ଏଥି ମଧ୍ୟରେ ୨.୨୮ ଲକ୍ଷ ପରିବାର ୧୦୦ ଦିନର କାମ ପାଇଥିବାବେଳେ ମହିଳାମାନଙ୍କ ଅଂଶଗ୍ରହଣ ୪୬ ପ୍ରତିଶତରୁ ଅଧିକ ରହିଛି ।

ନିକଟରେ ଏମ୍‍ଜିଏନ୍‍ଆରଇଜିଏସ୍‍ ସମୀକ୍ଷାରୁ ମିଳିଥିବା ସୂଚନା ଅନୁଯାୟୀ ଦାଦନ ପ୍ରବଣ ବ୍ଲକ ଗୁଡିକରେ ୩୫,୭୪୯ ପରିବାରକୁ ୧୦୦ ଦିନର କାମ ମିଳିଥିବାବେଳେ ୧୫୧୭ ପରିବାର ୨୦୦ ଦିନର ଓ ୧୧ ପରିବାର ୩୦୦ ଦିନର କାମ ପାଇଛନ୍ତି । (ତଥ୍ୟ)