Home Education ଏବେ କଲେଜରେ ଗାନ୍ଧୀ ଚର୍ଚ୍ଚା ଜୋରଦାର

ଏବେ କଲେଜରେ ଗାନ୍ଧୀ ଚର୍ଚ୍ଚା ଜୋରଦାର

ଭୁବନେଶ୍ୱର : ସ୍ୱାଧୀନତାର ଅମୃତ ମହୋତ୍ସବ ସହିତ ଗାନ୍ଧୀଜୀଙ୍କ ପ୍ରଥମ ଓଡିଶା ଗସ୍ତର ଶତବାର୍ଷିକୀ ପାଳିତ ହେଉଥିବା ପରିପ୍ରେକ୍ଷୀରେ ଏବେ କୋଭିଡ କଟକଣା ଭିତରେ ରାଜ୍ୟର କଲେଜଗୁଡିକରେ ‘ଗାନ୍ଧୀ ଚର୍ଚ୍ଚା’ ଚାଲିଛି । ବିଶେଷକରି ଖୁବ୍‍ଶୀଘ୍ର ନାକ୍‍ ଟିମ୍‍ ଆସିବାକୁ ଥିବାରୁ ଗାନ୍ଧୀଚର୍ଚ୍ଚା କାର୍ଯ୍ୟକ୍ରମ ଏବେ ଅଧିକ ପ୍ରାସଙ୍ଗିକ ହୋଇଛି ।

କଲେଜଗୁଡିକରେ ପୂରାତନ ଛାତ୍ରଛାତ୍ରୀମାନଙ୍କ ସମ୍ପର୍କ ଓ ସହଭାଗିତା ପାଇଁ ପ୍ରାୟ ସମସ୍ତ କଲେଜରେ ପଞ୍ଜିକୃତ ଆଲୁମିନି ଆସୋସିଏସନ ସୃଷ୍ଟି ହୋଇଛି ଏବଂ ଏହି ଆସୋସିଏସନଗୁଡିକ ରାଜ୍ୟ ସରକାରଙ୍କ ମୋ କଲେଜ ଅଭିଯାନରେ ମଧ୍ୟ ସାମିଲ ଅଛନ୍ତି । ପୁରାତନ ଛାତ୍ରଛାତ୍ରୀମାନେ କଲେଜ ସହିତ କେତେ ଜଡିତ ରହୁଛନ୍ତି ସେ ସଂକ୍ରାନ୍ତରେ ନାକ୍‍ ତାଙ୍କ ପରିଦର୍ଶନବେଳେ ମୂଲ୍ୟାୟନ କରିବା ବ୍ୟବସ୍ଥା ଥିବାରୁ ଏବେ ଏହି କାର୍ଯ୍ୟକ୍ରମ ଜୋରଦାର ଭାବେ ଚାଲୁଛି ।

ଡିଗ୍ରୀ କଲେଜ ପାଠ୍ୟକ୍ରମରେ ନୈତିକ ଶିକ୍ଷା ପ୍ରଚଳନ ଲାଗି ଏବେ ନିଷ୍ପତ୍ତି ନିଆଯାଇଛି । ନୈତିକ ପାଠ୍ୟକ୍ରମ ପଢାଯିବା ପୂର୍ବରୁ ଗାନ୍ଧୀ ଚର୍ଚ୍ଚା ମାଧ୍ୟମରେ ଡିଗ୍ରୀ କଲେଜଗୁଡିକରେ ପିଲାମାନଙ୍କୁ ନୈତିକ ଶିକ୍ଷା ପ୍ରତି ଆକୃଷ୍ଟ କରାଯିବା ସହ ସ୍ୱାଧୀନତା ସଂଗ୍ରାମର ଇତିହାସ, ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ ଆଦି ସଂକ୍ରାନ୍ତରେ ଛାତ୍ରଛାତ୍ରୀମାନଙ୍କୁ ବିଶେଷ ଅବହିତ କରାଯାଉଛି ।

ଏହା ପୂର୍ବରୁ ରାଜ୍ୟ ସରକାର ପ୍ରତିପାଳନ କରିଥିବା ଗାନ୍ଧୀ:୧୫୦ କାର୍ଯ୍ୟକ୍ରମ ମଧ୍ୟ ପ୍ରାୟ ଦୁଇ ବର୍ଷ ଧରି ଅନେକ ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ରତିପାଳିତ ହୋଇଥିଲା । ବିଶେଷକରି ଗାନ୍ଧୀଜନ୍ମ ଶତବାର୍ଷିକୀରେ କେନ୍ଦ୍ର ସରକାର ଜାତୀୟ ସେବା ଯୋଜନା ଆରମ୍ଭ କରିଥିବା ପରିପ୍ରେକ୍ଷୀରେ ଏନ୍‍ଏସ୍‍ଏସ୍‍ର ସୁବର୍ଣ୍ଣଜୟନ୍ତୀ ସମାରୋହ ମଧ୍ୟ ଉଚ୍ଚଶିକ୍ଷାନୁଷ୍ଠାନଗୁଡିକରେ ଆୟୋଜନ କରାଯାଇଥିଲା । ଏଠାରେ ଉଲ୍ଲେଖନୀୟ ଯେ କଲେଜ ଓ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସେବା ମନସ୍କ କରିବାପାଇଁ ଗାନ୍ଧୀ ଶତବାର୍ଷିକୀ ଅବସରରେ ଏନ୍‍ଏସ୍‍ଏସ୍‍ ସୃଷ୍ଟି ହୋଇଥିଲା ।

ଶିକ୍ଷାନୁଷ୍ଠାନଗୁଡିକରେ ଗାନ୍ଧୀ ଚର୍ଚ୍ଚା ଲାଗି କ୍ଷେତ୍ର ପ୍ରସ୍ତୁତ ପାଇଁ ଓଡିଶା ସରକାରଙ୍କ ସଂସ୍କୃତି ବିଭାଗ ସାହିତ୍ୟ ଏକାଡେମୀ ମାଧ୍ୟମରେ ଗାନ୍ଧୀ ବିବିଧତା, ଗାନ୍ଧୀ କଥା ଓ କାହାଣୀ, ଗାନ୍ଧୀ କବିତା ସଂଗ୍ରହ, ଶିଶୁ ଗୀତିରେ ଗାନ୍ଧୀ, ଓଡିଶାରେ ଗାନ୍ଧୀଜୀ ଭଳି ଅନ୍ୟୁନ ୧୦ଟି ଉପାଦେୟ ଗ୍ରନ୍ଥ ପ୍ରସ୍ତୁତ କରିଛନ୍ତି ଏବଂ ଏହି ପୁସ୍ତକଗୁଡିକ ନାମମାତ୍ର ଦରରେ ଶିକ୍ଷାନୁଷ୍ଠାନଗୁଡିକୁ ଯୋଗାଇ ଦିଆଯାଉଛି । ଇତି ମଧ୍ୟରେ ଅନେକ ଶିକ୍ଷାନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏହି ବିଷୟକୁ ନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ କରିଛନ୍ତି ଏବଂ ସେଥିରେ ବେଶ୍‍ ଉତ୍ସାହ ଦେଖିବାକୁ ମିଳୁଛି ।

ଓଡିଶା ସରକାର ଅହିଂସାକୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବାଲାଗି ଗାନ୍ଧୀ-୧୫୦ ଅବସରରେ କେନ୍ଦ୍ର ନିକଟରେ ଦାବି ରଖିଥିବା ଏବଂ ଅନ୍ୟ କେତେକ ରାଜ୍ୟ ସରକାର ଓଡିଶାର ଏହି ଦାବି ପ୍ରତି ସମର୍ଥନ ଦେଇଥିବା ପରିପ୍ରେକ୍ଷୀରେ ଗାନ୍ଧୀ ବିଚାରର ପ୍ରଚାର ପ୍ରସାର ପାଇଁ ରାଜ୍ୟ ସରକାର ବିଶେଷ ତତ୍ପରତା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଉଛି ।(ତଥ୍ୟ)