Home Administration ଏପ୍ରିଲ୍‌ ୮ ରୁ ପେନ୍‌ସନ୍‌ ଅଭିଯୋଗ ଗ୍ରହଣ

ଏପ୍ରିଲ୍‌ ୮ ରୁ ପେନ୍‌ସନ୍‌ ଅଭିଯୋଗ ଗ୍ରହଣ

ଭୁବନେଶ୍ୱର : ଅବସରପ୍ରାପ୍ତ ଅଧିକାରୀ ଓ କର୍ମଚାରୀମାନଙ୍କ ପେନ୍‌ସନ୍‌ ସମ୍ବନ୍ଧିତ ଅଭିଯୋଗର ତ୍ୱରିତ ବିଚାରପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପେନ୍‌ସନ୍‌ ଅଦାଲତର ବ୍ୟବସ୍ଥା କରିଛନ୍ତି । କୋଭିଡ଼୍‌ ନୀତିନିୟମ ପରିପ୍ରେକ୍ଷୀରେ ଏହି ଅଦାଲତ ଅନ୍‌ଲାଇନ୍‌ ବ୍ୟବସ୍ଥା ମାଧ୍ୟମରେ କରାଯିବ ବୋଲି ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜୀବ ଚୋପ୍ରା କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଅବସର ନେଇଥିବା କର୍ମଚାରୀମାନଙ୍କର ପେନ୍‌ସନ୍‌ ମଂଜୁରୀ ସମନ୍ୱିତ ଆର୍ଥିକ ପରିଚାଳନା (ଇଣ୍ଟେଗ୍ରେଟେଡ଼୍‌ ଫାଇନାନ୍‌ସିଆଲ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍‌) ନାମକ ଅନ୍‌ଲାଇନ୍‌ ବ୍ୟବସ୍ଥା ଦ୍ୱାରା କରାଯାଉଛି ।

ଏହା ସତ୍ତ୍ୱେ ମଧ୍ୟ ଛୋଟ ଛୋଟ କାରଣ ପାଇଁ ବିଭିନ୍ନ ସ୍ତରରେ କେତେକ ଅବସରପ୍ରାପ୍ତ କର୍ମଚାରୀ ଓ ଅଧିକାରୀମାନଙ୍କର ପେନ୍‌ସନ୍‌ କାଗଜ ବିନା ମଂଜୁରୀରେ ପଡ଼ିରହିଥିବାର ସରକାରଙ୍କ ଦୃଷ୍ଟିକୁ ଆସିଛି । ଏସବୁର ଆଶୁ ସମାଧାନ କରି ତୁରନ୍ତ ପେନ୍‌ସନ୍‌ ମଂଜୁର କରିବା ନିମନ୍ତେ ଏହି ଅନ୍‌ଲାଇନ୍‌ ପେନ୍‌ସନ୍‌ ଅଦାଲତର ବ୍ୟବସ୍ଥା କରାଯାଇଛି ।

ଶ୍ରୀ ଚୋପ୍ରା ସ୍ୱଷ୍ଟ କରିଥିଲେ ଯେ ଯେଉଁ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ବିରୁଦ୍ଧରେ ଫୌଜଦାରୀ, ଭିଜିଲାନ୍‌ସ୍‌ ବା ମେଜର ପେନାଲ୍‌ଟି ପ୍ରୋସିଡ଼ିଂ ନାହିଁ ସେମାନେ ଏହି ପେନ୍‌ସନ୍‌ ଅଦାଲତରେ ସୁଯୋଗ ନେଇପାରିବେ । ଏଥିପାଇଁ ଚଳିତବର୍ଷ ଏପ୍ରିଲ୍ ୮ ତାରିଖରୁ ୩୦ ତାରିଖ ମଧ୍ୟରେ  ସଂପୃକ୍ତ ଅଧିକାରୀ ଦରଖାସ୍ତ କରିବେ । ଦରଖାସ୍ତ ଏଚ୍‌.ଆର୍‌.ଏମ୍‌.ଏସ୍‌. ପୋର୍ଟାଲ୍‌ (http://pension.hrmsodisha.gov.in) ମାଧ୍ୟମରେ ଗ୍ରହଣ କରାଯିବ । ଏହି ସମୟ ମଧ୍ୟରେ ମିଳିଥିବା ଦରଖାସ୍ତ ବାବଦରେ ସ୍ୱୀକୃତିପତ୍ର ଅନ୍‌ଲାଇନ୍‌ରେ ଦରଖାସ୍ତକାରୀଙ୍କୁ ମିଳିବ ।

ସଂପୃକ୍ତ ପେନ୍‌ସନ୍‌ ମଞ୍ଜୁରକାରୀ କର୍ତ୍ତୃପକ୍ଷ ଚଳିତବର୍ଷ ଜୁନ୍‌ ୩୦ ତାରିଖ ମଧ୍ୟରେ ସମସ୍ତ ଦରଖାସ୍ତ ବିଷୟରେ ଚୁଡ଼ାନ୍ତ ନିଷ୍ପତ୍ତିନେବେ । ନିଷ୍ପତ୍ତି ବାବଦ ସୂଚନା ମଧ୍ୟ ଦରଖାସ୍ତକାରୀଙ୍କୁ ଇମେଲ୍‌, ଏସ୍‌.ଏମ୍‌.ଏସ୍‌. ବା ଅନ୍‌ଲାଇନ୍‌ ପୋର୍ଟାଲ୍‌ ମାଧ୍ୟମରେ ଜଣାଇ ଦିଆଯିବ ।

ଯେଉଁ ଦରଖାସ୍ତ ଗୁଡ଼ିକର ସମାଧାନ ପେନ୍‌ସନ୍‌ ମଞ୍ଜୁର କର୍ତ୍ତୁପକ୍ଷଙ୍କ ସ୍ତରରେ ହୋଇନପାରିବ ସେ ସେଗୁଡ଼ିକୁ ସଂପୃକ୍ତ ବିଭାଗଙ୍କୁ ପଠାଇଦେବେ । ପରବର୍ତ୍ତୀ ସମୟରେ ଏହି ଅସମାଧିତ ଦରଖାସ୍ତ ଗୁଡ଼ିକର ବିଚାରପାଇଁ ମୁଖ୍ୟ ଶାସନ ସଚିବ ଏବଂ ଅତିରିକ୍ତ ଶାସନ ସଚିବଙ୍କ ସ୍ତରରେ ସ୍ୱତନ୍ତ୍ର ଅଦାଲତ ଅନୁଷ୍ଠିତ ହେବ । ଏହି ଅଦାଲତରେ ଶୁଣାଣୀ ତାରିଖ ଓ ନୋଟିସ୍‌ ଆଦି ମଧ୍ୟ ସଂପୃକ୍ତ କର୍ମଚାରୀଙ୍କୁ ଇମେଲ୍‌ ବା ଏସ୍‌.ଏସ୍‌.ଏସ୍‌ ମାଧ୍ୟମରେ ଜଣାଇ ଦିଆଯିବ ।

ସମସ୍ତ ଅବସରପ୍ରାପ୍ତ ଅଧିକାରୀ ଏବଂ କର୍ମଚାରୀମାନେ ଏହି ବ୍ୟବସ୍ଥାର ସୁଯୋଗନେଇ ନିଜ ନିଜ ପେନ୍‌ସନ୍‌ ମଞ୍ଜୁରୀ କାର୍ଯ୍ୟ ଠିକ୍‌ ଭାବେ କରାଇନେବା ନିମନ୍ତେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଚୋପ୍ରା ଅନୁରୋଧ କରିଛନ୍ତି ।