Home News in Odia ଏନ୍‍ଡିଏ ସରକାରରେ ଓଡିଆଙ୍କୁ ଗୁରୁତ୍ୱ

ଏନ୍‍ଡିଏ ସରକାରରେ ଓଡିଆଙ୍କୁ ଗୁରୁତ୍ୱ

କେନ୍ଦ୍ରରେ ବିଜେପି ନେତୃତ୍ୱାଧିନ ଏନ୍‍ଡିଏ ସରକାରରେ ଓଡିଶାର ସାଂସଦମାନେ ଯେଭଳି ଗୁରୁତ୍ୱ ବହନ କରୁଛନ୍ତି ତାହା ପୂର୍ବରୁ ଦେଖିବାକୁ ମିଳିନଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଚାଲୁଥିବା ଏନ୍‍ଡିଏ ସରକାରରେ ଦୁଇ ଓଡିଆ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ଥିବାବେଳେ ବିଶ୍ୱ ଭୂଷଣ ହରିଚନ୍ଦନ ଓ ଦ୍ରୌପଦୀ ମୁର୍ମୁ ରାଜ୍ୟପାଳ ଆସନ ଅଳଙ୍କୃତ କରିଛନ୍ତି ।

ଅନ୍ୟ ଓଡିଆମାନେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ପଦ ପଦବୀରେ ଅଛନ୍ତି । ବର୍ତ୍ତମାନ ଏନ୍‍ଡିଏ ସରକାରରେ ଦୁଇ ଓଡିଆ ସାଂସଦ ଭିନ୍ନ ଭିନ୍ନ ଦୁଇଟି ସଂସଦୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଅଛନ୍ତି । ଉଭୟ ସଦନରେ ଥିବା ଓଡିଶାର ମୋଟ୍‍ ୩୧ ସାଂସଦଙ୍କ ମଧ୍ୟରୁ ୨୮ଜଣ ବିଭିନ୍ନ କମିଟିରେ ସ୍ଥାନ ପାଇଛନ୍ତି । ଗତକାଲି ରାଜ୍ୟସଭା ଅଧ୍ୟକ୍ଷ ଏମ୍‍ ଭେଙ୍କିୟାନାଇଡୁଙ୍କ ସହ ଆଲୋଚନା ପରେ ଲୋକସଭା ବାଚସ୍ପତି ଓମ୍‍ ବିର୍ଲା ସାଂସଦମାନଙ୍କ ନାମ ଘୋଷଣା କରିଥିଲେ ।

ରାଜ୍ୟର ସବୁଠାରୁ ଅଭିଜ୍ଞ ବିଜେଡି ସାଂସଦ ଭର୍ତ୍ତୃହରୀ ମହତାବ ଶ୍ରମ ସଂକ୍ରାନ୍ତୀୟ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଥିବାବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ସାଂସଦ ଜୁଏଲ ଓରାମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ପ୍ରତିରକ୍ଷା ସଂକ୍ରାନ୍ତୀୟ ଷ୍ଟାଣ୍ଡି କମିଟିର ନେତୃତ୍ୱ ନେଉଛନ୍ତି । ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ ଏହି କମିଟିରେ ସଦସ୍ୟ ଅଛନ୍ତି । ଲୋକସଭାରେ ବିଜେଡି ସଂସଦୀୟ ଦଳର ନେତା ପିନାକୀ ମିଶ୍ର ଏବଂ ବିଜେଡିର ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ ସମସ୍ତ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ କମିଟିରେ ସ୍ଥାନ ପାଇଛନ୍ତି । ପ୍ରଥମଥର ପାଇଁ ସଂସଦକୁ ଯାଇଥିବା କେନ୍ଦୁଝର ସାଂସଦ ଚନ୍ଦ୍ରାଣି ମୁର୍ମୁ ବୈଦେଶିକ ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି ।

ଭଦ୍ରକର ବିଜେଡି ସାଂସଦ ମଞ୍ଜୁଲତା ମଣ୍ଡଳ ବାଣିଜ୍ୟ କମିଟିର ସଦସ୍ୟ ହୋଇଥିବାବେଳେ ଯାଜପୁର ବିଜେଡି ସାଂସଦ ଶର୍ମିଷ୍ଠା ସେଠୀ ସ୍ୱରାଷ୍ଟ୍ର ବ୍ୟାପାର କମିଟିରେ ସ୍ଥାନ ପାଇଛନ୍ତି । କେନ୍ଦ୍ରାପଡାର ବିଜେଡି ସାଂସଦ ଅନୁଭବ ମହାନ୍ତି ଏବଂ ରାଜ୍ୟସଭାର ବିଜେଡି ସାଂସଦ ସସ୍ମିତ ପାତ୍ର ମାନବ ସମ୍ବଳ ବିକାଶ କମିଟିର ସଦସ୍ୟ ଅଛନ୍ତି । ଢେଙ୍କାନାଳର ବିଜେଡି ସାଂସଦ ମହେଶ ସାହୁ ଏବଂ ରାଜ୍ୟସଭାରେ ଥିବା ବିଜେଡି ସାଂସଦ ଏନ.ଭାଷ୍କର ରାଓ ଏବଂ ବିଜେପିର ରାଜ୍ୟସଭା ସଦସ୍ୟ ଅଶ୍ୱିନୀ ବୈଷ୍ଣବ ବିଜ୍ଞାନ ଜ୍ଞାନକୌଶଳ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ କମିଟିର ସଦସ୍ୟ ଅଛନ୍ତି ।

ନବରଙ୍ଗପୁର ବିଜେଡି ସାଂସଦ ରମେଶ ଚନ୍ଦ୍ର ମାଝି ଏବଂ ରାଜ୍ୟସଭାର ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ପରିବହନ, ପର୍ଯ୍ୟଟନ ଏବଂ ସଂସ୍କୃତି କମିଟିରେ ସ୍ଥାନ ପାଇଛନ୍ତି । ବରଗଡର ବିଜେପି ସାଂସଦ ସୁରେଶ ପୂଜାରୀ ସାଧାରଣ ଅଭିଯୋଗ ଆଇନ୍‍ କମିଟିରେ ସଦସ୍ୟ ଥିବାବେଳେ ରାଜ୍ୟସଭା ସାଂସଦ ମୁଜିବୁଲା ଖାନ୍‍ ଶକ୍ତି କମିଟିରେ ସ୍ଥାନ ପାଇଛନ୍ତି । ପ୍ରଶାସିକାରୁ ରାଜନେତା ପାଲଟିଥିବା ଭୁବନେଶ୍ୱରର ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ସହରାଞ୍ଚଳ ବିକାଶ କମିଟିରେ ସଦସ୍ୟ ଥିବାବେଳେ କୋରାପୁଟର କଂଗ୍ରେସ ସାଂସଦ ସପ୍ତଗିରି ଉଲାକା ଖାଉଟି କଲ୍ୟାଣ ଓ ସାଧାରଣ ବଣ୍ଟନ ବ୍ୟାପାର କମିଟିର ସଦସ୍ୟ ଅଛନ୍ତି । ବ୍ରହ୍ମପୁର ବିଜେଡି ସାଂସଦ ଚନ୍ଦ୍ରଶେଖର ସାହୁ ପ୍ରେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ କମିଟିର ସଦସ୍ୟ ଥିବାବେଳେ କଳାହାଣ୍ଡିର ବିଜେପି ସାଂସଦ ବସନ୍ତ ପଣ୍ଡା ଏବଂ ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦ କୋଇଲା ଓ ଇସ୍ପାତ କମିଟିର ସଦସ୍ୟ ଅଛନ୍ତି ।

କନ୍ଧମାଳର ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତ ଏବଂ ବଲାଙ୍ଗିର ବିଜେପି ସାଂସଦ ସଙ୍ଗୀତା କୁମାର ସିଂହଦେଓ ରେଳବାଇ କମିଟିରେ ସ୍ଥାନ ପାଇଥିବାବେଳେ ମୟୁରଭଞ୍ଜର ବିଜେପି ସାଂସଦ ବିଶେଶ୍ୱର ଟୁଡୁ ରସାୟନ ଓ ସାର କମିଟି ସଦସ୍ୟ ଅଚନ୍ତି । ବିଜେଡିର ରାଜ୍ୟସଭା ସାଂସଦ ସୁବାସ ସିଂହ ଜଳସମ୍ପଦ କମିଟି ସଦସ୍ୟ ଥିବାବେଳେ ଆସିକା ସାଂସଦ ପ୍ରମିଳା ବିଶୋୟୀ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ କମିଟି ସଦସ୍ୟ ଅଛନ୍ତି । ସେହିଭଳି ରାଜ୍ୟସଭା ସାଂସଦ ସୁଜିତ କୁମାର ଗ୍ରାମ୍ୟ ଉନ୍ନୟନ କମିଟିରେ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି ।