Home Environment ଏନ୍‌ସିସିର ‘ପୁନିତ୍‌ ସାଗର’ ଅଭିଯାନ

ଏନ୍‌ସିସିର ‘ପୁନିତ୍‌ ସାଗର’ ଅଭିଯାନ

ଭୁବନେଶ୍ୱର : ସମୁଦ୍ରକୂଳ ତଥା ନଦୀ ତଟଗୁଡ଼ିକୁ ପ୍ଲାଷ୍ଟିକ୍‌ ଏବଂ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ମୁକ୍ତ ରଖିବା ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ(ଏନ୍‌ସିସି) ତରଫରୁ ଏକ ଦେଶବ୍ୟାପୀ ଅଭିଯାନ ଆରମ୍ଭ କରାଯାଇଥିଲା ।

ସ୍ଥାନୀୟ ଜନସାଧାରଣ ଏବଂ ଭବିଷ୍ୟତପିଢ଼ିଙ୍କୁ ସମୁଦ୍ରକୂଳ ଏବଂ ନଦୀତଟଗୁଡ଼ିକୁୁ ପରିଷ୍କାର ରଖିବା ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ପାଇଁ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ଅପ୍ରେଲ ମାସ ପ୍ରଥମ ଦିବସରୁ ପାଞ୍ଚଦିନ ବ୍ୟାପୀ ‘ପୁନିତ୍‌ ସାଗର’ ଅଭିଯାନ କାର୍ଯ୍ୟ ୫ ତାରିଖରେ ସଂପୂର୍ଣ୍ଣ ହୋଇଥିଲା ।

ବିଭିନ ଜଳସ୍ରୋତ ତଥା ସମୁଦ୍ରକୂଳଗୁଡ଼ିକୁ ପ୍ଳାଷ୍ଟିକ୍‌ ପ୍ରଦୂଷଣରୁ ମୁକ୍ତ ରଖିବା ପାଇଁ ଏନ୍‌ସିସି ତରଫରୁ ର୍ୟାଲି, ପର୍ଯ୍ୟଟକ, ସ୍ଥାନୀୟ ବ୍ୟବସାୟୀମାନଙ୍କ ସହ କଥାବାର୍ତ୍ତା, ପଥପ୍ରାନ୍ତ ନାଟକ, କବିତା ଆବୃତ୍ତି, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ ପ୍ରତିଯୋଗିତା ଏବଂ ବକ୍ତୃତା ପ୍ରତିଯୋଗିତା ମାଧ୍ୟମରେ ଜନସାଧାରଣଙ୍କୁ ପ୍ଲାଷ୍ଟିକ୍‌ ପ୍ରଦୂଷଣ ବାବଦରେ ସଚେତନ କରାଯାଇଥିଲା ।

ଏନ୍‌ସିସି କ୍ୟାଡେଟ୍‌ମାନେ ଏହି ପାଞ୍ଚଦିନ ବ୍ୟାପୀ କାର୍ଯ୍ୟକ୍ରମରେ ପ୍ରତିକୂଳ ପାଗ ସତ୍ତେ୍ୱ ଅତ୍ୟନ୍ତ ପ୍ରତିବଦ୍ଧତାର ସହ କାର୍ଯ୍ୟକରି ସମୁଦ୍ରକୂଳରୁ ୭୫୩ କେଜି ପ୍ଳାଷ୍ଟିକ୍‌ ବର୍ଜ୍ୟବସ୍ତୁ ସଫା କରିବା ସହିତ ପ୍ରାୟ ୩୦ ହଜାର ନାଗରିକଙ୍କ ପାଖରେ ଏହି ସଚେତନତାର ବାର୍ତ୍ତା ପହଞ୍ଚାଇବାରେ ସକ୍ଷମ ହୋଇଛନ୍ତି ।

ଏହି ଅବସରରେ ବିଭିନ୍ନ ୟୁନିଟ୍‌ରୁ ୨, ୫୧୩ ଏନ୍‌ସିିସି କ୍ୟାଡେଟ୍‌, ୬ ଜଣ ଏନ୍‌ସିସି ଅଧିକାରୀ, ୭୫ ଜଣ ସହଯୋଗୀ ଅଧିକାରୀ, ୫୮ ଜଣ ଇନ୍‌ଷ୍ଟ୍ରକଟର, ୧୨୧ ଜଣ ଏନ୍‌ସିସି ଆଲୁମିନି ତଥା ୨୦ ଜଣ ଏନ୍‌ଜିଓ ସଦସ୍ୟ ଏବଂ ରାଜ୍ୟ ସରକାରଙ୍କ ଅଧିକାରୀ ଓ ଅନ୍ୟାନ୍ୟ ସ୍ୱୟଂଶାସିତ ସଂସ୍ଥାର ପ୍ରତିନିଧିମାନେ ଏହି ସଚେତନତା ଅଭିଯାନରେ ଅଂଶଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସଂଗୃହୀତ ବର୍ଜ୍ୟବସ୍ତୁକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ପ୍ରକ୍ରିୟାକରଣ ପ୍ରକଳ୍ପରେ ଜମା କରାଯାଇଥିଲା ।

ଟୁଇଟର ମେସେଜ୍‌ ିପୁନିତ୍‌ ସାଗର ତଥା ହ୍ୱାଟସ୍‌ଆପ୍‌ ଆଦି ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହାକୁ ପ୍ରଚାରପ୍ରସାର କରାଯାଇଛି । ଅଭିଯାନରେ ସଂଗୃହୀତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ ସୁନିଶ୍ଚିତ କରିବା ସହିତ କ୍ୟାଡେଟ୍‌ମାନଙ୍କୁ ଉତ୍ସାହିତ କରିବା ନିମନ୍ତେ ମିଳିତ ଜାତିସଂଘ ବିକାଶ ପ୍ରକଳ୍ପ ଓ ସ୍ଥାନୀୟ ପ୍ରଶାସନର ପଦାଧିକାରୀବୃନ୍ଦ ମଧ୍ୟ ଉପସ୍ଥିତ ଥିଲେ । ଅଧିକ ସଫାସୁତୁରା ଏବଂ ସବୁଜମୟ ଓଡ଼ିଶା ପାଇଁ ଏନ୍‌ସିସି ନିର୍ଦ୍ଦେଶଳୟ ତରଫରୁ କ୍ରମାଗତ ଉଦ୍ୟମ ଜାରି ରହିବ ।