Home Culture ଏଥର ନିଶବ୍ଦ ଦୀପାବଳୀ

ଏଥର ନିଶବ୍ଦ ଦୀପାବଳୀ

ଆଲୋକର ପର୍ବ ଦୀପାବଳୀ ଏଥର ନିଶବ୍ଦ । ସରକାରୀ କଟକଣା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିବେଦନକୁ ସମ୍ମାନ ଦେଇ ଏଥର ଦୀପାବଳୀରେ ବାଣ ଫୁଟିନାହିଁ । ଏଥିଯୋଗୁଁ ଚଳିତବର୍ଷ କାନଫଟା ଶବ୍ଧ ନାହିଁ କି ଆକାଶ ବି ବିଷାକ୍ତ ଧୂଆଁମୟ ହୋଇ ଉଠିନାହିଁ । ଲୋକେ ଦୀପ ଓ ରଙ୍ଗ ବେରଙ୍ଗର ଲିଚୁ ଆଲୋକରେ ଘରକୁ ସଜାଇଛନ୍ତି ।

କରୋନା ମହାମାରୀ ଯୋଗୁଁ ଚଳିତବର୍ଷ ଦୀପାବଳୀର ମୁଖ୍ୟ ଆକର୍ଷଣ ବାଣଫୁଟା ଉପରେ ସରକାର କଟକଣା ଲଗାଇଛନ୍ତି । କାରଣ ବାଣଫୁଟାରୁ ବାହାରୁଥିବା ବିଷାକ୍ତ ଧୂଆଁରେ କରୋନାରୁ ଆରୋଗ୍ୟ ହୋଇଥିବା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିବାର ଆଶଙ୍କା ଥିବାରୁ ଏଭଳି କଟକଣା ଜାରି ହୋଇଛି ।

ଏଥିପାଇଁ ସମଗ୍ର ରାଜ୍ୟରେ ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଛି କଡା କଟକଣା । ପୁଲିସ୍‍ ପ୍ରଶାସନ ଏହାକୁ ଗୁରୁତ୍ୱର ସହ ନେଇଥିବାବେଳେ କୌଣସି ଠାରେର ଯେଭଳି ବାଣ ନଫୁଟେ ତାହା ଉପରେ କଡା ନଜର ରଖିଛି । ଯଦି କୌଣସି ଠାରେ କେହି କଟକଣା ନମାନି ବାଣ ଫୁଟାନ୍ତି ତେବେ ପୁଲିସ୍‍ କଣ୍ଟ୍ରୋଲ ରୁମ୍‍ ୧୦୦କୁ ଫୋନ୍‍ କରିବାକୁ କୁହାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଚଳିତବର୍ଷ ବାଣ ନଫୁଟାଇବାପାଇଁ ରାଜ୍ୟବାସୀଙ୍କ ନିବେଦନ କରିଛନ୍ତି । ଲୋକେ ନିଜ ଘରେ ରହି ଦୀପ ଜାଳି ଆଲୋକର ଏହି ପର୍ବ ପାଳନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଆହ୍ୱାନ ଦେଇଛନ୍ତି । ଦୀର୍ଘ ଆଠମାସ ଧରି କରୋନାକୁ ମୁକାବିଲା କରୁଥିବା ଜନତା ବି ଆହ୍ୱାନକୁ ସମ୍ମାନ ଜଣାଇଥିବା ଲକ୍ଷ୍ୟ କରାଯାଇଛି ।

ଦୀପାବଳୀ ସଂଧ୍ୟାରୁ ବାଣଫୁଟାର କାନଫଟା ଶବ୍ଦ କିମ୍ବା ଧୂଆଁ ଆଜି ରାଜଧାନୀରେ ଦେଖିବାକୁ ମିଳିନାହିଁ । ସମଗ୍ର ରାଜ୍ୟରେ ମଧ୍ୟ ଅନୁରୂପ ଅବସ୍ଥା । ଦୀପାବଳୀ ଅବ୍ୟବହିତ ପୂର୍ବରୁ ପୁଲିସ୍‍ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ବାଣ ଜବତ ହୋଇଥିବାରୁ ବଜାରରେ ବାଣ ନାହିଁ । ଦଣ୍ଡ ଭୟରେ ବି ଇଚ୍ଛା ଥିଲେ ଅନେକ ବାଣ ଠାରୁ ଦୂରେଇ ରହିଛନ୍ତି ।

ତେବେ ବାଣ ନଫୁଟାଇଲେ ମଧ୍ୟ ଦୀପ ଜାଳିବା, ଘରକୁ ରଙ୍ଗ ବେରଙ୍ଗର ଆଲୋକମାଳା ଓ ଫୁଲରେ ସଜାଇବା ଓ ରଙ୍ଗୋଲି ପକାଇ ଧୂମଧାମରେ ଦୀପାବଳୀ ପାଳନ କରିଛନ୍ତି ।