Home Agriculture ଏକ ପ୍ରତିଶତ ଟପୁନି ଜୈବିକ ସାର ବ୍ୟବହାର

ଏକ ପ୍ରତିଶତ ଟପୁନି ଜୈବିକ ସାର ବ୍ୟବହାର

ଭୁବନେଶ୍ୱର : କୃଷି କ୍ଷେତ୍ରରେ ଜୈବିକ ସାର ପ୍ରୟୋଗ ପାଇଁ ରାଜ୍ୟ ସରକାର ଗୁରୁତ୍ୱ ଆରୋପ କରୁଥିବାବେଳେ ଏହାର ବ୍ୟବହାର କିନ୍ତୁ ଏକ ପ୍ରତିଶତରୁ ଅଧିକ ହେଉନାହିଁ । ଗତ ଚାରବର୍ଷ ଧରି ରାଜ୍ୟରେ ଏଥିପାଇଁ ଉଦ୍ୟମ ଜାର ରହିଛି ।

ରସାୟନିକ ସାରର ଦର ଲଗାତାର ଭାବେ ବୃଦ୍ଧି ପାଇବା ସହିତ ଏହା ଉଭୟ ମାନବ ସମାଜ ଓ ପରିବେଶ ପାଇଁ କ୍ଷତିକାରକ ହୋଇଥିବାରୁ ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଏଥିପାଇଁ ୨୦୧୭-୧୮ ବର୍ଷରୁ ରାଜ୍ୟରେ ପରମ୍ପରାଗତ କୃଷି ବିକାଶ ଯୋଜନା କାର୍ଯ୍ୟକାରୀ ହେଉଛି । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜୈବିକ ସାର ବ୍ୟବହାର ବୃଦ୍ଧି କରିବା । ବିଶେଷକରି ଚାଷ କାର୍ଯ୍ୟରେ ଗୋବରଖତ, ଜିଆଖତ, ସବୁଜସାର ଆଦିର ପ୍ରୟୋଗକୁ ବଢାଇବା ।

ହେଲେ ଯେଉଁ ପରିମାଣରେ ରାଜ୍ୟରେ ଜୈବିକ ସାର ବ୍ୟବହାର ବୃଦ୍ଧି ପାଇବାକଥା ତାହା ହେଉନାହିଁ । ୨୦୧୮-୧୯ ବର୍ଷରେ ରାଜ୍ୟରେ ବ୍ୟବହାର ହୋଇଥିବା ମୋଟ ସାରର ମାତ୍ର ୦.୧୮ ପ୍ରତିଶତ ଜୈବିକ ସାର ହୋଇଥିବାବେଳେ ୨୦୧୯-୨୦ ବର୍ଷରେ ଏହାର ୦.୨୪ ପ୍ରତିଶତକୁ ବୃଦ୍ଧି ପାଇଥିଲା । ଏହା ପରବର୍ଷ ଅର୍ଥାତ୍‍ ୨୦୨୦-୨୧ ରେ ଏହା ଏକ ପ୍ରତିଶତରେ ପହଞ୍ଚିଥିଲା ।

ଜୈବିକ ସାରର ଏଭଳି ବ୍ୟବହାର ସଂକ୍ରାନ୍ତରେ ଚାଷୀଙ୍କ ମତ ହେଉଛି କୃଷି କାର୍ଯ୍ୟରେ ଏହାର ଠିକଣା ପ୍ରୟୋଗ ନେଇ ସଚେତନ କରାନଯିବା ଓ ଚାଷୀଙ୍କ ହାତ ପାଆନ୍ତାରେ ସବୁଜସାର କୁହାଯାଉଥିବା ଧନିଚା ଉପଲବ୍ଧ ନହେବା । ଧାନ ଚାଷ ପୂର୍ବରୁ ଧନିଚା ବୁଣି ତାହାକୁ ମାଟିରେ ମିଶାଇ ଦେଲେ ଏହା ୩୦ ପ୍ରତିଶତ ସାର ଆବଶ୍ୟକତା ପୂରଣ କରିଥାଏ । ଏଥି ସହିତ ଏହା ପରିବେଶ ଅନୁକୂଳ ମଧ୍ୟ ହୋଇଥାଏ । କିନ୍ତୁ ଆମ ରାଜ୍ୟରେ ଯେତେ ପରିମାଣରେ ଧନିଚା ବିହନ ଆବଶ୍ୟକ ତାହା ମିଳିନଥାଏ । ରାଜ୍ୟରେ ଆବଶ୍ୟକ ଧନିଚା ବିହନ ମିଳୁନଥିବାବେଳେ ରାଜ୍ୟ ସରକାର ଆସାମ, ମିଜୋରାମ ଭଳି ରାଜ୍ୟରୁ ଏହାକୁ ଆମାଦାନୀ କରିଥାନ୍ତି । ତେବେ ସରକାରୀ ପ୍ରକ୍ରିୟାରେ ଏହା ଖରିଦ ବେଳକୁ ସମୟ ଗଡିଯାଇଥାଏ ।

ସେହିଭଳି ଜାତୀୟ ଓ ଆର୍ନ୍ତଜାତୀୟ ବଜାରରେ ଜୈବିକ ପଦ୍ଧତିରେ ଉତ୍ପାଦିତ ଫସଲର ବେଶ୍‍ ଚାହିଦା ଥିବାବେଳେ ଏହାର ଦର ଅଧିକ ରହିଥାଏ । ତେବେ ରାଜ୍ୟର ଅଧିକାଂଶ ଚାଷୀ ଏ ସଂକ୍ରାନ୍ତରେ ସେତେଟା ସଚେତନ ନୁହନ୍ତି । ଯେଉଁମାନେ ଜାଣିଛନ୍ତି ସେମାନେ ଭଲ ଦୁଇପଇସା ରୋଜଗାର କରୁଛନ୍ତି । ଏପରିକି ସାମଗ୍ରୀ ରପ୍ତାନିର ସୁଯୋଗ ପାଉଛନ୍ତି । ବର୍ତ୍ତମାନ ଆମ ରାଜ୍ୟରେ ୧୪,୪୦୦ ହେକ୍ଟର ଜମିରେ ଜୈବିକ ପଦ୍ଧତିରେ ଚାଷ ହେଉଥିବାବେଳେ ବିଶ୍ୱବ୍ୟାଙ୍କ ସହାୟତାରେ ୬୭୦୦ ହେକ୍ଟରରେ ବି ଜୈବିକ ଚାଷ ହେଉଛି ।

ରାଜ୍ୟ ସରକାର ୨୦୨୩ ସୁଦ୍ଧା ୨ଲକ୍ଷ ହେକ୍ଟର ଜମିରେ ଜୈବିକ ଚାଷପାଇଁ ଲକ୍ଷ୍ୟ ରଖିଥିବାବେଳେ ଏଥିପାଇଁ ଗାଁ ଗହଳର ଚାଷୀଙ୍କୁ ବିଶେଷ ସଚେତନ କରିବାକୁ ପଡିବବୋଲି ମତପ୍ରକାଶ ପାଉଛି । କାରଣ ବିଭିନ୍ନ ସାର କମ୍ପାନୀମାନେ ଯେଭଳି ମନୋଲୋଭା ବିଜ୍ଞାପନ ଦେଇ ଚାଷୀଙ୍କ ନିକଟରେ ପହଞ୍ଚୁଛନ୍ତି ଅନୁରୂପ ଭାବେ ଜୈବିକ ଚାଷର ପ୍ରଚାର ପ୍ରସାର ହୋଇପାରୁନଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)