Home Administration ଏଏସ୍‍ଓ ନିଯୁକ୍ତି ଉପରେ ପ୍ରଶ୍ନବାଚୀ

ଏଏସ୍‍ଓ ନିଯୁକ୍ତି ଉପରେ ପ୍ରଶ୍ନବାଚୀ

ଭୁବନେଶ୍ୱର : ଲୋକସେବା ଭବନରେ କାର୍ଯ୍ୟରତ ୫୦ରୁ ଅଧିକ ଏଏସ୍‍ଓଙ୍କ ନିଯୁକ୍ତିକୁ ନେଇ ପ୍ରଶ୍ନ ଉଠିବା ସହିତ ଅଦାଲତରେ ମାମଲା ରୁଜୁ ହୋଇଛି । ଏମାନଙ୍କ ନିଯୁକ୍ତିକୁ ଓ ବରିଷ୍ଠତାକୁ ନେଇ ଏବେ ଆଉ କିଛି ଏଏସ୍‍ଓ ଅଦାଲତଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଲୋକସେବାଭବନରେ ୮୦୦ ଏଏସ୍‍ଓ ନିଯୁକ୍ତିନେଇ ୨୦୧୨ ମସିହାରେ ବିଜ୍ଞାପନ ପ୍ରକାଶ ପାଇଥିଲା । ଏଥିରେ ଉଲ୍ଲେଖଥିଲା ଯେ ୨୦୧୨ ଜାନୁୟାରୀ ପହିଲା ସୁଦ୍ଧା ଯେଉଁ ପ୍ରାର୍ଥୀମାେନେ ବୟସ ଓ ଶିକ୍ଷାଗତ ଯୋଗ୍ୟତା ସର୍ତ୍ତ ପୂରଣ କରୁଥିବେ ସେମାନେ ଆବେଦନ କରିପାରିବେ । ତେବେ ଏହି ବିଜ୍ଞାପନରେ ଅନ୍ୟ ପଛୁଆବର୍ଗଙ୍କ ପାଇଁ ୨୭ପ୍ରତିଶତ ସ୍ଥାନ ସଂରକ୍ଷିତ ଥିବାରୁ ତାହାକୁ ନେଇ ମାମଲା ରୁଜୁ ହୋଇଥିଲା । ଅମର ଛାଟୋଇ ବନାମ ଓଡିଶା ସରକାର ମାମଲାରେ ଓଡିଶା ପ୍ରଶାସନିକ ନ୍ୟାୟାଳୟ ଏସ୍‍ଇବିସିଙ୍କ ସଂରକ୍ଷଣ ସୀମାକୁ ୨୭ ପ୍ରତିଶତରୁ ହ୍ରାସକରି ୧୧.୨୫ ପ୍ରତିଶତ କରିଥିଲେ । ରାଜ୍ୟ ସରକାର ଏହା ବିରୁଦ୍ଧରେ ଉପର ଅଦାଲତକୁ ଯାଇଥିଲେ ମଧ୍ୟ ସ୍ୟାଟ୍‍ ନିର୍ଦ୍ଦେଶ କାଏମ ରହିଥିଲା ।

ମାମଲା ଲଢେଇରେ ପ୍ରାୟ ବର୍ଷଟିଏ ବିତିବା ପରେ ରାଜ୍ୟ ସରକାର ଏଏସ୍‍ଓ ନିଯୁକ୍ତି ପାଇଁ ଲୋକସେବା ଆୟୋଗଙ୍କୁ ପୁର୍ନବାର ଅନୁରୋଧ କରିଥିଲେ । ଏଥିରେ ମୋଟ୍‍ ୮୦୦ ପଦବୀ ମଧ୍ୟରୁ ସାଧାରଣବର୍ଗଙ୍କ ପାଇଁ ୫୦ ପ୍ରତିଶତ ଅର୍ଥାତ୍‍ ୪୦୦ ପଦବୀ ଥିବାବେଳେ ଆଉ ଅଧା ଅନ୍ୟାନ୍ୟ ସଂରକ୍ଷିତବର୍ଗଙ୍କ ପାଇଁ ରହିଥିଲା । ଏଥି ସହିତ ଗୃହ ବିଭାଗ ସ୍ପଷ୍ଟ କରିଥିଲେ ଯେ ଯେଉଁମାନେ ପୂର୍ବରୁ ଆବେଦନ କରିପାରି ନାହାନ୍ତି ସେମାନେ ଆବେଦନ କରିପାରିବେ । କିନ୍ତୁ ଯୋଗ୍ୟତା ସର୍ତ୍ତ ପୂର୍ବଭଳି ୨୦୧୨ ଜାନୁୟାରୀ ପହିଲା ରହିବ ।

ହେଲେ ୨୦୧୪ରେ ଆବେଦନ ସମୟରେ କିଛି ପ୍ରାର୍ଥୀ ଯେଉଁମାନେ କି ୨୦୧୨ ଜାନୁୟାରୀ ପହିଲା ପରେ ବୟସ ଓ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିଲେ ସେମାନେ ଆବେଦନ କଲେ । ସେତେବେଳେ ଲୋକସେବା ଆୟୋଗ ଏହି ପ୍ରାର୍ଥୀମାନଙ୍କୁ ପ୍ରବେଶିକା ପରୀକ୍ଷାରୁ ବାଦ୍‍ ଦେଲାନାହିଁ । ୨୦୧୫ ମସିହାରେ ପ୍ରବେଶିକା ପରୀକ୍ଷା ହେବା ସହ ୨୦୧୬ରେ ଏଏସ୍‍ଓ ନିଯୁକ୍ତି ହେଲା । ହେଲେ ଏବେ ଦେଖାଯାଉଛି ଯେ ସର୍ତ୍ତ ଉଲ୍ଲଙ୍ଘନ କରିଥିବା ୫୦ରୁ ଅଧିକ ପ୍ରାର୍ଥୀ ଏଏସ୍‍ଓ ଚାକିରି ପାଇଛନ୍ତି । ଏମାନଙ୍କ ମଧ୍ୟରୁ କେତେକ ପ୍ରଥମ ଶହେ ଜଣଙ୍କ ମଧ୍ୟରେ ଅଛନ୍ତି ।

ଏହାକୁ ନେଇ ଏବେ ଲୋକସେବା ଭବନ କର୍ମଚାରୀଙ୍କ ମଧ୍ୟରେ ଆଇନ୍‍ଗତ ଲଢେଇ ଆରମ୍ଭ ହୋଇଛି । ଗୃହ ବିଭାଗ ଲୋକସେବା ଆୟୋଗଙ୍କୁ ପତ୍ରଲେଖି ତାଙ୍କର ମତାମତ ଲୋଡିଥିବାବେଳେ ପଦୋନ୍ନତି କ୍ଷେତ୍ରରେ ଅନିଶ୍ଚିତତା ଦେଖାଦେଇଛି ।