Home News in Odia ଏଏସଆଇ କ’ଣ କହୁଛି ଅପେକ୍ଷା କର

ଏଏସଆଇ କ’ଣ କହୁଛି ଅପେକ୍ଷା କର

ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥ ସମସ୍ତଙ୍କର । ସେ ଆମ ବଡ଼ ଠାକୁର । ରାଜନୀତି ନ କରି ଏଏସଆଇ କ’ଣ କହୁଛି, ତା’ ପାଇଁ ଅପେକ୍ଷା କରିବା ଦରକାର ବୋଲି କହିଛନ୍ତି ରାଷ୍ଟ୍ରୀୟ ମୁଖପାତ୍ର ଡ଼ାକ୍ଟର ସମ୍ବିତ୍ ପାତ୍ର ।

ଶ୍ରୀ ପାତ୍ର ଶ୍ରୀମନ୍ଦିର କୋରିଡ଼ର ପ୍ରକଳ୍ପ ପ୍ରସଙ୍ଗରେ ଫେସବୁକରେ ଏକ ପୋଷ୍ଟରେ କହିଛନ୍ତି ଯେ ଗତ କିଛି ଦିନ ତଳେ ଭୁବନେଶ୍ୱର ଶୁକସାରୀ ମନ୍ଦିର ନିକଟରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସଆଇ) ଦ୍ୱାରା ଖନନ କାର୍ଯ୍ୟ ବେଳେ ପ୍ରାୟ ୧୪ ଶହ ବର୍ଷ ପୂର୍ବ ମହିଷା ମର୍ଦ୍ଦିନୀ ମୂର୍ତି ମିଳିଥିଲା । ନିକଟ ଅତିତରେ ରାଜ୍ୟ ସରକାରଙ୍କ ଦ୍ୱାରା ବିଶ୍ୱପ୍ରସିଦ୍ଧ ଲିଙ୍ଗରାଜ ମନ୍ଦିର ନିକଟରେ ବିଶୃଙ୍ଖଳିତ ଭାବରେ ଖନନ ଓ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିଲା ଏବଂ ଏହାକୁ ଆମେ ବିରୋଧ କରି ଏଏସଆଇର ହସ୍ତକ୍ଷେପ ଲୋଡ଼ିଥିଲୁ । ଏଏସଆଇର ହସ୍ତକ୍ଷେପ ପରେ ଓଡ଼ିଶାକୁ ଆଜି ୧୪୦୦ ବର୍ଷ ପୁରୁଣା ମହିଷା ମର୍ଦ୍ଦିନୀ ମୂର୍ତି ମିଳିଛି ।

ଶ୍ରୀଜଗନ୍ନାଥ କୋରଡ଼ିର ନିର୍ମାଣ କାର୍ଯ୍ୟରେ ମଧ୍ୟ ଏପରି କରାଯିବା ନେଇ ପ୍ରଶ୍ନ ଉଠୁଛି । ବିଶୃଙ୍ଖଳିତ ଖନନ, ଆଇନର ଉଲ୍ଲଘଂନ ଏବଂ ମନ୍ଦିର ସୁରକ୍ଷା ସହିତ ସାଲିସ୍ କରାଯାଉଥିବା ସମାଜର ବିଭିନ୍ନ ବର୍ଗରୁ ଅଭିଯୋଗ ହେଉଅଛି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତଙ୍କ ସୁବିଧା ତଥା ବିକାଶ ପାଇଁ ବିଜେପି ସବୁବେଳେ ସ୍ୱର ଉଠାଇଛି । “ଭଗବାନଙ୍କ ଭକ୍ତ”ର ସୁବିଧା ପାଇଁ କରାଯାଉଥିବା ନିର୍ମାଣ କାର୍ଯ୍ୟକୁ ବିରୋଧ କରିବା କେହି ସ୍ୱପ୍ନରେ ସୁଦ୍ଧା ବି ଭାବିନଥିବେ । କିନ୍ତୁ ଭାରତର ସଚେତନ ନାଗରିକ ହିସାବରେ ଜାଣି ରଖିବା ଉଚିତ୍ ଯେ, ଶ୍ରୀମନ୍ଦିର ଭଳି ଆମର ଐତିହ୍ୟର ସୁରକ୍ଷା ଓ ସଂରକ୍ଷଣ ପାଇଁ ଆମ ପୂର୍ବପୁରୁଷମାନେ କିଛି ନିର୍ଦ୍ଦିଷ୍ଟ ନୀତି ନିର୍ଦ୍ଧାରଣ କରିଛନ୍ତି ।

ଏଏସଆଇ “ଦ ଆନସିଏଣ୍ଟ ମନୁମେଣ୍ଟ ଆଣ୍ଡ୍ ଆର୍କେଲୋଜିକାଲ ସାଇଟ ଆଣ୍ଡ ରିମେନ୍ସ ଆକ୍ଟ ୧୯୫୮ ଦ୍ୱାରା ପରିଚାଳିତ । ଏହି ଆକ୍ଟ ମାଧ୍ୟମରେ ଆମର ଐତିହ୍ୟର ସୁରକ୍ଷା ଏବଂ ସଂରକ୍ଷଣ ପାଇଁ ପ୍ରାବଧାନ ରହିଛି । ଏମସାର୍ ଆକ୍ଟ ୧୯୫୮ରେ କୌଣସି ଦ୍ୱନ୍ଦ କିମ୍ବା ବିଭ୍ରାନ୍ତି ନ ହେବା ଭଳି ପ୍ରାବଧାନ ରହିଛି । ଏହା ସବୁ ସତ୍ୱେ ଶ୍ରୀଜଗନ୍ନାଥ କୋରିଡ଼ର ମାମଲା ମାନ୍ୟବର ହାଇକୋର୍ଟରେ ପହଁଚିଛି ଏବଂ ଏହାର ଶୁଣାଣି ଆସନ୍ତା ମେ ମାସ ଦ୍ୱିତୀୟ ସପ୍ତାହରେ ହେବ ।

ଶ୍ରୀ ପାତ୍ର ଉଲ୍ଲେଖ କରିଛନ୍ତି ଯେ ମାନ୍ୟବର ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ନ ଆସିବା ପର୍ଯ୍ୟନ୍ତ ରାଜନୀତିକରଣ ନକରି ଓଡ଼ିଆ ଅସ୍ମିତାର ସୁରକ୍ଷା ପାଇଁ ଏହି ନିର୍ମାଣ କାର୍ଯ୍ୟ ବନ୍ଦ ରଖାଯିବା ଉଚିତ୍ । ଜିଦ୍ ଏବଂ ଅହଙ୍କାର କେବଳ ବିନାସ ଆଡ଼କୁ ଗତି କରେ ଓ ଏହା ଦ୍ୱାରା କୌଣସି ନୂଆ କାର୍ଯ୍ୟ ସୃଷ୍ଟି ହୁଏନାହିଁ, ଏହା ଆମେ ମନେ ରଖିବା ଉଚିତ୍ । ଧୌର୍ଯ୍ୟ ଏବଂ ସମ୍ବେଦନଶୀଳତା ସହ ଆଇନକୁ ପାଳନ କରି ଆଜି ଆମେ ଲିଙ୍ଗରାଜ ମନ୍ଦିର ନିକଟରୁ ମା’ ମହିଷା ମର୍ଦ୍ଦିନୀଙ୍କ ଆଶୀର୍ବାଦ ଲାଭ କରୁଛୁ । “କଳା ପାହାଡ଼” ମାନସିକତା ଆମ ଓଡ଼ିଆ ଅସ୍ମିତା ପ୍ରତି କ୍ଷତି ପହଁଚାଇବ । ଆଇନର ବିଜୟ ହେଉ ; ଆଇନର ବିଜୟ ହେଲେ ହିଁ ଭଗବାନଙ୍କ ବିଜୟ ହେବ ବୋଲି ଶ୍ରୀ ପାତ୍ର କହିଛନ୍ତି ।