Home Finance ଋଣ ନକରି ଅନୁଦାନ ହରାଇଲେ

ଋଣ ନକରି ଅନୁଦାନ ହରାଇଲେ

ଭୁବନେଶ୍ୱର : ଋଣ ବୋଝ ଅପବାଦରୁ ବର୍ତ୍ତିବାପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ ଯୋଗୁଁ ଓଡିଶା ଏବେ ବିପୁଳ ପରିମାଣର କେନ୍ଦ୍ରୀୟ ଅନୁଦାନ ହରାଉଛି । ଯେଉଁ ରାଜ୍ୟଗୁଡିକ ଅଧିକ ଋଣ କରି ଅର୍ଥ ବ୍ୟୟ କରିଛନ୍ତି ସେମାନଙ୍କ ରାଜସ୍ୱ ଓ ବ୍ୟୟ ମଧ୍ୟରେ ଥିବା ତାରତମ୍ୟର ଭରଣା ପାଇଁ ଅନୁଦାନ ଯୋଗାଇ ଦେବାକୁ ପଞ୍ଚଦଶ ଅର୍ଥ କମିଶନର ସୁପାରିଶ୍‍ କ୍ରମେ କେନ୍ଦ୍ର ସରକାର ଅନୁଦାନ ଯୋଗାଇ ଦେଉଛନ୍ତି । ଯେହେତୁ ଓଡିଶା ଅଧିକ ଋଣ କରିନାହିଁ ଓ ରାଜସ୍ୱ ନିଅଣ୍ଟିଆ ସ୍ଥିତି ନାହିଁ ସେଥିପାଇଁ ଆମ ରାଜ୍ୟ ଏହି ଅନୁଦାନରୁ ବଞ୍ଚିତ ହେଉଛି ।

୨୦୨୦-୨୧ ବର୍ଷରେ ରାଜ୍ୟଗୁଡିକର ରାଜସ୍ୱ ଆୟ ଏବଂ ବ୍ୟୟର ଅନୁପାତକୁ ଦେଖି କମିଶନ ଅନୁଦାନର ପରିମାଣ ସ୍ଥିର କରିଛନ୍ତି । ଏହି ଯୋଜନାରେ ୧୪ଟି ରାଜ୍ୟକୁ ଏଭଳି ରାଜସ୍ୱ ଅଭାବ ଜନିତ ଅନୁଦାନ ପାଇଁ ୭୪,୩୪୧କୋଟି ଟଙ୍କା ଦେବାକୁ କମିଶନ ସୁପାରିଶ୍‍ କରିଛନ୍ତି । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଆଜି ରାଜ୍ୟଗୁଡିକୁ ରାଜସ୍ୱ ଅଭାବ ପୂରଣ ପାଇଁ ୬୧୯୫କୋଟି ୮ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୬୮,୧୪୫କୋଟି ୯୧ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇ ସାରିଲାଣି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଦାୟିତ୍ୱ ନେବା ସମୟରେ ରାଜ୍ୟର ଆର୍ଥିକ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ବର୍ଷକର ୩୬୫ଦିନ ମଧ୍ୟରୁ ୩୬୪ଦିନ ରାଜ୍ୟ ସରକାର ଓଭରଡ୍ରାଫ୍ଟରେ ଚଳୁଥିଲେ । ଏଥିରେ ପରିବର୍ତ୍ତନ ଆଣି ରାଜ୍ୟ ସରକାର ଖୋଲା ବଜାରରୁ ଋଣ କରିବା ପ୍ରାୟତଃ ବନ୍ଦକରି ଦେଇଥିଲେ । ସେଥିପାଇଁ ଓଡିଶା ଅନ୍ୟ ରାଜ୍ୟ ଅପେକ୍ଷା କମ୍‍ ଋଣ ଉଠାଇଛି ।

ତେବେ କମ୍‍ ଋଣ ଉଠାଇବା ଏବେ ରାଜ୍ୟ ପାଇଁ ମହଙ୍ଗା ପଡିଛି । କାରଣ ଅର୍ଥ କମିଶନ ଅଧିକ ଋଣଗ୍ରସ୍ତ ରାଜ୍ୟମାନଙ୍କୁ ଏବେ ଅନୁଦାନ ଦେବାପାଇଁ ସୁପାରିଶ୍‍ କରିବାପରେ ପଡୋଶୀ ରାଜ୍ୟମାନେ ବେଶ୍‍ ଉପକୃତ ହେଉଛନ୍ତି । ଆନ୍ଧ୍ରପ୍ରଦେଶ, ଆସାମ, ହିମାଚଳ ପ୍ରଦେଶ, କେରଳ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲ୍ୟାଣ୍ଡ, ପଞ୍ଜାବ, ସିକିମ୍‍, ତାମିଲନାଡୁ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି ରାଜ୍ୟମାନେ ରାଜସ୍ୱ ଅଭାବ ଭରଣା ଲାଗି କେନ୍ଦ୍ରୀୟ ଅନୁଦାନ ପାଉଛନ୍ତି ।

ରାଜ୍ୟ ସରକାର ଋଣ କରିବାକୁ ପଛଉ ଥିବାବେଳେ ଏବେ ବାଧ୍ୟହୋଇ ଅଧିକ ଋଣ କରୁଛନ୍ତି । କାରଣ କେନ୍ଦ୍ରୀୟ ଅନୁଦାନ ଦ୍ରୁତ ବେଗରେ ହ୍ରାସ ପାଇବାରେ ଲାଗିଛି । ତେଣୁ ଖୋଲା ବଜାରରୁ ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷରେ ପ୍ରାୟ ୨୭ହଜାର କୋଟି ଟଙ୍କାରୁ ଅଧିକ ଋଣ କରିବାର ଆଶଙ୍କା ଉପୁଜିଛି । ଏହା ଫଳରେ ମୋଟ୍‍ ଋଣ ପରିମାଣ ଚଳିତ ଆର୍ଥିକବର୍ଷ ଶେଷ ସୁଦ୍ଧା ଏକ ଲକ୍ଷ ୧୩ହଜାର କୋଟି ଟଙ୍କାକୁ ଟପିଯିବ ।

ପୂର୍ବରୁ ରାଜ୍ୟ ସରକାର ଯଦି ଅଧିକ ଋଣ ନେଇ ଉନ୍ନୟନ କାର୍ଯ୍ୟପାଇଁ ବିନିଯୋଗ କରିଥାନ୍ତେ ତା ହେଲେ ଏହିଭଳି କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ହୋଇନଥାନ୍ତେ । କିନ୍ତୁ ଋଣ ନକରିବାର ମାନସିକତା ଏବଂ ନିଜ ଆୟ ଅନୁଯାୟୀ ବ୍ୟୟ କରିବା ନୀତି ଏବେ ରାଜ୍ୟ ସରକାରଙ୍କ ପାଇଁ ମହଙ୍ଗା ହୋଇଛି ।