Home Finance ଋଣ ଅଭାବି ତାଲିକାରେ ୬ ଜିଲ୍ଲା

ଋଣ ଅଭାବି ତାଲିକାରେ ୬ ଜିଲ୍ଲା

ଭୁବନେଶ୍ୱର : ରାଜ୍ୟର ୬ଟି ଜିଲ୍ଲା ଋଣ ଅଭାବି ତାଲିକାରେ ସ୍ଥାନ ପାଇଛନ୍ତି । ବ୍ୟାଙ୍କ୍‍ଗୁଡିକ ପ୍ରଦାନ କରୁଥିବା ଋଣକୁ ହିସାବ କରି ଭାରତୀୟ ରିଜର୍ଭ ବ୍ୟାଙ୍କ୍‍ ଏହା ଉଲ୍ଲେଖ କରିଛି । ଏହିସବୁ ଜିଲ୍ଲାଗୁଡିକୁ ହେଲା ଗଜପତି, କନ୍ଧମାଳ, କେନ୍ଦ୍ରାପଡା, ମାଲକାନଗିରି, ନୂଆପଡା ଓ ନବରଙ୍ଗପୁର ।

ଯେଉଁସବୁ ଜିଲ୍ଲାରେ ବ୍ୟାଙ୍କ୍‍ଗୁଡିକ ଅଗ୍ରାଧିକାର କ୍ଷେତ୍ରକୁ ମୁଣ୍ଡପିଛା ୬୦୦୦ ଟଙ୍କାରୁ କମ୍‍ ଋଣ ପ୍ରଦାନ କରୁଛନ୍ତି ସେହିସବୁ ଜିଲ୍ଲା ଏହି ଋଣ ଅଭାବି ତାଲିକାରେ ରହିଛନ୍ତି । ତେଣୁ ବ୍ୟାଙ୍କ୍‍ ସମେତ ଅନ୍ୟାନ୍ୟ ବିତ୍ତୀୟ ସଂସ୍ଥାମାନେ ଏହିସବୁ ଜିଲ୍ଲାକୁ ସହାୟତା ପାଇଁ ଆଗେଇ ଆସିବାକୁ କୁହାଯାଇଛି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ କହିଛନ୍ତି ଯେ ରାଜ୍ୟ ସରକାର ସ୍ଥାୟୀ ଭିତ୍ତିଭୂମି ବିକାଶ କ୍ଷେତ୍ରରେ ବିପୁଳ ଅର୍ଥ ବ୍ୟୟ କରୁଥିବାବେଳେ ବ୍ୟାଙ୍କ୍‍ ଗୁଡିକ ଏଥିପାଇଁ ଅଧିକ ଋଣ ଯୋଗାଇଦେବା ଆବଶ୍ୟକ ଯାହାକି ରାଜ୍ୟ ଅର୍ଥନୀତିକୁ ଆଗେଇ ନେବ ।

ଶ୍ରୀ ଦେବ ରାଜ୍ୟରେ ଥିବା ବ୍ୟାଙ୍କ୍‍ମାନଙ୍କୁ ଅଧିକରୁ ଅଧିକ ଋଣ ଦେବାପାଇଁ କହୁଥିବାବେଳେ ଋଣ-ଜମା (ସିଡି) ଅନୁପାତର ନିମ୍ନଗାମୀ ଧାରା ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ନିକଟରେ ଅନୁଷ୍ଠିତ ରାଜ୍ୟ ସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକରେ ଶ୍ରୀ ଦେବ ଏହା ଉଲ୍ଲେଖ କରିଛନ୍ତି ।

ପ୍ରମୁଖ ସଚିବ ଦର୍ଶାଇଛନ୍ତି ଯେ ୨୦୧୫-୧୬ ରୁ ୨୦୨୦-୨୧ ୫ବର୍ଷ ମଧ୍ୟରେ ସିଡି ଅନୁପାତର ସାମୂହିକ ବାର୍ଷିକ ଅଭିବୃଦ୍ଧି ହାର (ସିଏଜିଆର) -୪% ରହିଛି । ସେ ଉଲ୍ଲେଖ କରିଛନ୍ତି ଯେ ଗତ ୫ବର୍ଷ ମଧ୍ୟରେ ରାଜ୍ୟର ମୋଟ୍‍ ଜମାର ସିଏଜିଆର ୧୨ ପ୍ରତିଶତ ହୋଇଥିବାବେଳେ ରାଜ୍ୟରେ ଋଣ ବ୍ୟବହାର ମାତ୍ର ୬ ପ୍ରତିଶତ ହୋଇଛି । ତେଣୁ ଜମା ଓ ଋଣ ପ୍ରଦାନ ମଧ୍ୟରେ ଥିବା ପାର୍ଥକ୍ୟ ଦୂର କରିବା ଆବଶ୍ୟକ । ଗତବର୍ଷ ମାର୍ଚ୍ଚ ସୁଦ୍ଧା ରାଜ୍ୟରେ ଋଣ-ଜମା ଅନୁପାତ ୬୨.୨୦ ପ୍ରତିଶତ ରହିଥିଲା ।

ରାଜ୍ୟରେ ଋଣ-ଜମା ଅନୁପାତ ବୃଦ୍ଧି ପାଇଁ ବ୍ୟାଙ୍କ, ଅଗ୍ରଣୀ ବ୍ୟାଙ୍କ୍‍ ଓ ଜିଲ୍ଲା ପ୍ରଶାସନ ମିଳିତ ଭାବେ ପଦକ୍ଷେପ ନେବା ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ଶ୍ରୀ ଦେବ ବ୍ୟାଙ୍କ୍‍ଗୁଡିକୁ ପରାମର୍ଶ ଦେଇ କହିଛନ୍ତି ଯେ ଗ୍ରାମାଞ୍ଚଳ ଓ ଛୋଟ ସହରାଞ୍ଚଳରେ ସେମାନେ ଭିନ୍ନ ଭାବେ ୬୦ ପ୍ରତିଶତ ସିଡି ରେସିଓ ହାସଲ କରିବା ଆବଶ୍ୟକ । ସେହିଭଳି ଋଣ ପ୍ରଦାନ କ୍ଷେତ୍ରରେ ଆଞ୍ଚଳିକ ତାରତମ୍ୟ ଦୂର କରାଯିବା ଆବଶ୍ୟକ ।

ଶ୍ରୀ ଦେବ ଉଲ୍ଲେଖ କରିଛନ୍ତି ଯେ କେତେକ ଜିଲ୍ଲାରେ ଋଣ ପ୍ରଦାନ ହାର ଅତ୍ୟନ୍ତ କମ୍‍ ରହିଛି । ବିଭିନ୍ନ କାରଣ ଯଥା ଆବଶ୍ୟକ ଭିତ୍ତିଭୂମିର ଅଭାବ ଓ ଋଣ ଗ୍ରହଣ କରିବାର ଭିନ୍ନ ଭିନ୍ନ କ୍ଷମତା ଏଥିପାଇଁ ଦାୟୀ । ତେଣୁ ସ୍ୱଳ୍ପ ଋଣ ଦିଆଯାଉଥିବା ଜିଲ୍ଲାଗୁଡିକରେ ଗ୍ରାଉଣ୍ଡ ଲେଭଲ କ୍ରେଡିଟ ଫ୍ଲୋ (ଜିଏଲ୍‍ସିଏଫ୍‍) ଉପରେ ସେ ଗୁରୁତ୍ୱ ଦେଇଛନ୍ତି । ରାଜ୍ୟର ଆଙ୍କାକ୍ଷୀ ଜିଲ୍ଲା ଯେଉଁମାନେ କି ବଭିନ୍ନ ମାନଦଣ୍ଡରେ ପଛରେ ଅଛନ୍ତି ସେଗୁଡିକୁ ଅଧିକ ଋଣ ପ୍ରଦାନ ପାଇଁ ଶ୍ରୀ ଦେବ କହିଛନ୍ତି ।

ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ କୋଭିଡ ମହାମାରୀ ସମୟରେ ଭାରତୀୟ ଅର୍ଥନୀତି ୨୦୨୦-୨୧ରେ ୭.୭ ପ୍ରତିଶତକୁ ଖସି ଆସିଥିବାବେଳେ ଓଡିଶାର ଅର୍ଥନୀତି ମଧ୍ୟ ୪.୯ରେ ରହିଥିଲା । ସମଗ୍ର ବିଶ୍ୱର ଅର୍ଥନୀତି ଉପରେ କୋଭିଡ ଗୁରୁତର ପ୍ରଭାବ ପକାଇଥିବାବେଳେ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ ସହିତ ସାମାଜିକ ନ୍ୟାୟ ସୁନିଶ୍ଚିତ ପାଇଁ ଋଣ ଯୋଗାଣ ଉପରେ ଶ୍ରୀ ଦେବ ଗୁରୁତ୍ୱ ଦେଇଛନ୍ତି । (ତଥ୍ୟ)