Home General ଉପଭୋକ୍ତା ସୁରକ୍ଷାକୁ ପ୍ରାଥମିକତା

ଉପଭୋକ୍ତା ସୁରକ୍ଷାକୁ ପ୍ରାଥମିକତା

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପକ୍ଷରୁ ଉପଭୋକ୍ତାର ସୁରକ୍ଷାକୁ ପ୍ରାଥମିକତା ପ୍ରଦାନ କରାଯାଉଛି । ଉପଭୋକ୍ତାଙ୍କ ଅଧିକାରକୁ କୌଣସି ପ୍ରକାର ସାଲିସ୍‌ କରାଯିବ ନାହିଁ । ଖାଉଟି ସୁରକ୍ଷା ଆଇନ ଅନୁସାରେ ନିଜେ ଉପଭୋକ୍ତା କିଭଳି ନିଜକୁ ସୁରକ୍ଷିତ ରଖିପାରିବେ ସେଥିପାଇଁ ସବୁସ୍ତରରେ ଉଦ୍ୟମର ଆବଶ୍ୟକତା ରହିଛି ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି ।

ଆଜି ଜାତୀୟ ଉପଭୋକ୍ତା ଦିବସ-୨୦୨୦ ପାଳନ ଅବସରରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ଅଧିନସ୍ଥ ରାଜ୍ୟ ଉପଭୋକ୍ତା ସଚେତନତା ପ୍ରତିଷ୍ଠାନ ଆନୁକୂଲ୍ୟରେ ଆୟୋଜିତ ଏକ ୱେବିନାରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ସଚେତନ ଖାଉଟି ହିଁ ସୁରକ୍ଷିତ ଖାଉଟି । ଏହି ବାର୍ତ୍ତା ସାଧାରଣରେ ପହଞ୍ଚାଇବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ନିରନ୍ତର ଉଦ୍ୟମ ଜାରି ରଖିଛି ।

ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ରେ ଥିବା ପ୍ରାବଧାନ ଓ ପ୍ରତିବଦ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ଖାଉଟି ସୁରକ୍ଷା ସଚେତନତାକୁ ଏକ ସାମାଜିକ ଆନ୍ଦୋଳନ ଭାବେ ଅଭିହିତ କରିବା ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଲେ ଯେ ଏ ଦିଗରେ ଗ୍ରାମାଞ୍ଚଳର ଲୋକମାନଙ୍କୁ ଅଧିକ ସଚେତନ କରିବାର ଆବଶ୍ୟକତା ରହିଛି । 

ରାଜ୍ୟ ଉପଭୋକ୍ତା ବିବାଦ ପ୍ରତିକାର ଆୟୋଗର ସଭାପତି ମାନ୍ୟବର ବିଚାରପତି ଡ. ଦୁର୍ଗାପ୍ରସନ୍ନ ଚୌଧୁରୀ କହିଲେ ଯେ ୧୯୮୬ ମସିହାର ଆଇନରେ ଖାଉଟିମାନଙ୍କର ସୀମିତ ଅଧିକାର ଥିବାରୁ ଏହାକୁ ପରିବର୍ତ୍ତନ କରାଯାଇ ନୂତନ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ରେ ପ୍ରଣୟନ କରାଯାଇ ଏହାର ପରିସରକୁ ବ୍ୟାପକ କରାଯାଇଛି ।

ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଶାସନ ସଚିବ ବୀରବିକ୍ରମ ଯାଦବ ଓ ଖାଉଟି କଲ୍ୟାଣ ପରାମର୍ଶଦାତା ପ୍ରଫେସର ବିଜୋନ୍‌ ମିଶ୍ର ଅଂଶ ଗ୍ରହଣ କରି କହିଲେ ଯେ ସଂପ୍ରତି ଇ-ମାର୍କେଟିଂ ଓ ଡିଜିଟାଲ୍‌ ଯୁଗରେ ଦ୍ରବ୍ୟ କ୍ରୟବିକ୍ରୟରେ ବ୍ୟାପକ ପରିବର୍ତ୍ତନ ଘଟିଛି । ଏଥି ସହିତ ଅନ୍ତର୍ଜାତୀୟ ସ୍ତରରେ ବାଣିଜି୍ୟକ ନିୟମରେ ହୋଇଥିବା ପରିବର୍ତ୍ତନକୁ ଦୃଷ୍ଟିରେ ରଖି ଖାଉଟିଙ୍କୁ ସଂପୂର୍ଣ୍ଣ ସୁରକ୍ଷା ଦେବା ପାଇଁ ଉପଭୋକ୍ତା ସୁରକ୍ଷା ଆଇନ ୨୦୧୯ ପ୍ରଣୟନ କରାଯାଇଛି । ଏଣିକି ଉପଭୋକ୍ତାମାନେ ସେମାନଙ୍କ ଅଭିଯୋଗ ଘରେ ବସି ଇ-ଫାଇଲ୍‌ ମାଧ୍ୟମରେ କରିପାରିବେ ।

ଖାଉଟି କଲ୍ୟାଣର ନିର୍ଦ୍ଦେଶକ ସତ୍ୟନାରାୟଣ ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ ଏଥିରେ ବିଭାଗୀୟ ଅଧିକାରୀ, ଉପଭୋକ୍ତା କର୍ମୀ, ସେ୍ୱଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତା, ଉପଭୋକ୍ତା ଅଦାଲତର ଅଧିବକ୍ତା, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, କ୍ଷେତ୍ର ଅଧିକାରୀ ଏବଂ ବରିଷ୍ଠ ନାଗରିକଙ୍କ ସମେତ ୪୫୦ରୁ ଊର୍ଦ୍ଧ୍ୱ ଖାଉଟି ଭାଗ ନେଇଥିଲେ ।