Home News in Odia ଉପନିର୍ବାଚନ ତିନିଦଳ ପାଇଁ ସେମିଫାଇନାଲ

ଉପନିର୍ବାଚନ ତିନିଦଳ ପାଇଁ ସେମିଫାଇନାଲ

ଭୁବନେଶ୍ୱର : ୨୦୨୪ ର ପ୍ରଥମ ଭାଗରେ ହେବାକୁ ଥିବା ରାଜ୍ୟ ବିଧାନସଭା ଓ ଦେଶର ଲୋକସଭା ନିର୍ବାଚନ ଦୃଷ୍ଟିରୁ ଧାମନଗର ବିଧାନସଭା ଉପନିର୍ବାଚନ ଓଡିଶା ପରିପ୍ରେକ୍ଷୀରେ ସେମିଫାଇନାଲ ହେବାକୁ ଯାଉଛି ।

ଧାମନଗରର ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ଅକାଳନ ବିୟୋଗ ଫଳରେ ଏଠାରେ ଉପନିର୍ବାଚନ ହେବାର ଅଛି । ବିଧାନସଭା ସଚିବାଳୟ ପକ୍ଷରୁ ଏହି ଆସନ ଖାଲି ହୋଇଥିବା ସଂକ୍ରାନ୍ତୀୟ ବିଜ୍ଞପ୍ତି ପ୍ରକାଶ ପାଇଥିଲେ ମଧ୍ୟ ନିର୍ବାଚନ କମିଶନ ଏ ସଂକ୍ରାନ୍ତରେ ନିଷ୍ପତ୍ତି ଗ୍ରହଣ କରିନାହାନ୍ତି । ତେବେ ନିକଟରେ ହେବାକୁ ଥିବା କେତେକ ରାଜ୍ୟର ବିଧାନସଭା ନିର୍ବାଚନ ସମୟରେ କିମ୍ବା ତାହା ପୂର୍ବରୁ ଧାମନଗର ସଂରକ୍ଷିତ ଆସନ ଲାଗି ଉପନିର୍ବାଚନ ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ଗତ ବିଧାନସଭା ନିର୍ବାଚନରେ ଏଠାରୁ ବିଜେପି ପ୍ରାର୍ଥୀ ବିଷ୍ଣୁ ସେଠୀ ବିଜେଡି ପ୍ରାର୍ଥୀଙ୍କୁ ୫ହଜାରରୁ କମ୍‍ ଭୋଟ ବ୍ୟବଧାନରେ ପରାସ୍ତ କରି ନିର୍ବାଚିତ ହୋଇଥିବାବେଳେ କଂଗ୍ରେସ ତୃତୀୟ ସ୍ଥାନକୁ ଚାଲିଯାଇଥିଲା । ନିକଟରେ ସମାପ୍ତ ହୋଇଥିବା ବାଲେଶ୍ୱର, ତିର୍ତ୍ତୋଲ ଓ ପିପିଲି ବିଧାନସଭା ଉପନିର୍ବାଚନରେ ବିଜେଡି ସମସ୍ତ ଆସନ ଜିଣିବା ସହିତ ବିଜେପି ଠାରୁ ବାଲେଶ୍ୱର ଆସନ ଛଡାଇ ନେଇଛି ।

ମୁଣ୍ଡ ଉପରେ ଲୋକସଭା ଓ ରାଜ୍ୟ ବିଧାନସଭା ନିର୍ବାଚନ ଥିବାରୁ ତିନି ପ୍ରମୁଖ ରାଜନୈତିକ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଶିବିରରେ ବିଶେଷ ତତ୍ପରତା ପ୍ରକାଶ ପାଇଥିବାବେଳେ ବାମପନ୍ଥୀ, ଆପ୍‍, ସମୃଦ୍ଧ ଓଡିଶା, କଳିଙ୍ଗ ସେନା ସମେତ ପ୍ରାୟ ସବୁ ରାଜନୈତିକଦଳ କସରତ ଆରମ୍ଭ କରିଦେଇଛନ୍ତି ।

ଗତ ବିଧାନସଭା ନିର୍ବାଚନରେ କଂଗ୍ରେସକୁ ତୃତୀୟ ସ୍ଥାନକୁ ଠେଲି ବିଜେପି ରାଜ୍ୟରେ ପ୍ରମୁଖ ବିରୋଧିଦଳର ମାନ୍ୟତା ହାତେଇଛି । ଗତ ର୍ନିବାଚନରେ ବିଜେପି ୧୨୦ରୁ ଅଧିକ ଆସନ ଜିଣି ରାଜ୍ୟରେ ସରକାର ଗଠନ କରିବ ବୋଲି ଦମ୍ଭୋକ୍ତି ପ୍ରକାଶ କରି ମାତ୍ର ୨୩ଟି ଆସନରେ ସୀମିତ ରହିଥିଲା ଏବଂ ଇତି ମଧ୍ୟରେ ଦଳର ଆସନ ସଂଖ୍ୟା ୨୧କୁ ହ୍ରାସ ପାଇଛି । ଏଥର ବି ଓଡିଶାର ବିଜେଡି ସରକାରକୁ ବଙ୍ଗୋପସାଗରକୁ ଫିଙ୍ଗି ରାଜ୍ୟରେ ୨୦୨୪ରେ ବିଜେପି ସରକାର ଗଢିବ ବୋଲି ବାରମ୍ବାର ବିବୃତ୍ତି ଜାରି କରୁଛି । ଏଥିପାଇଁ ବହୁ କେନ୍ଦ୍ରମନ୍ତ୍ରୀ ଦଳର ପ୍ରମୁଖ ନେତାମାନେ ଘନ ଘନ ଓଡିଶା ଗସ୍ତରେ ଆସୁଥିବାବେଳେ ଦଳର ସଭାପତି ବି ଆସନ୍ତା ୨୯ ତାରିଖରେ ଦଳର ଶକ୍ତିକେନ୍ଦ୍ରମାନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

କଂଗ୍ରେସ ରାହୁଳ ଗାନ୍ଧୀଙ୍କ ଭାରତ ଯୋଡ କାର୍ଯ୍ୟକ୍ରମ ପାଇଁ ଘନ ଘନ ପ୍ରସ୍ତୁତି ବୈଠକ ଚଳାଉଥିବାବେଳେ ଦଳର କେନ୍ଦ୍ରୀୟ ନେତାମାନେ ବି ଏଥିପାଇଁ ବାରମ୍ବାର ଓଡିଶା ଗସ୍ତ କରୁଛନ୍ତି । ଏବେ ରାଜ୍ୟ ବିଧାନସଭାରେ କଂଗ୍ରେସର ୯ଜଣ ବିଧାୟକ ଥିବାବେଳେ ଏହି ସଂଖ୍ୟା ଆଗାମୀ ନିର୍ବାଚନରେ ୯ରୁ ୯୦କୁ ବଢାଇ ସରକାର ଗଢିବାକୁ କଂଗ୍ରେସ ମିଶନ ରଖିଛି । ତେବେ ବିଜେପି ଓ କଂଗ୍ରେସ ଯେଉଁ ଲକ୍ଷ୍ୟ ରଖିଛନ୍ତି ତାହା କେତେଦୂର ସାକାର ହେବ ନିର୍ବାଚନ ଫଳାଫଳରୁ ହିଁ ଜଣାପଡିବ ।

ଅନ୍ୟ ପଟେ ତିନି ତିନୋଟି ଉପନିର୍ବାଚନ ଜିଣିବା ସହ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ବିଜେଡି ୨୦୧୯ ତୁଳନାରେ ୨୦୨୪ରେ ଅଧିକ ଭଲ ପ୍ରଦର୍ଶନ କରି ରାଜ୍ୟରେ ପୁଣି କ୍ଷମତା ଦଖଲ କରିବା ସହ ବିଜେପି ଓ କଂଗ୍ରେସ ହାତରୁ ୯ଟି ଯାକ ଲୋକସଭା ଆସନ ଛଡାଇ ନେବାକୁ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରିଛି । ଏଥିପାଇଁ ଆସନ ୨୯ତାରିଖରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ କ୍ଷେତ୍ର କର୍ମୀମାନଙ୍କୁ ଗୁରୁମନ୍ତ୍ର ଦେଇ ଅକ୍ଟୋବରରୁ ମାସବ୍ୟାପି ଅଭିଯାନ ଚଳାଇ ଅନ୍ୟୁନ କୋଟିଏ ଭୋଟରଙ୍କ ସହ ସମ୍ପର୍କ ଯୋଡିବାକୁ ଯାଉଛନ୍ତି । (ତଥ୍ୟ)