Home News in Odia ଉପନିର୍ବାଚନରେ ବହୁ କୋଣୀୟ ପ୍ରତିଦ୍ୱନ୍ଦ୍ୱିତା

ଉପନିର୍ବାଚନରେ ବହୁ କୋଣୀୟ ପ୍ରତିଦ୍ୱନ୍ଦ୍ୱିତା

ଭୁବନେଶ୍ୱର : ବ୍ରଜରାଜନଗର ବିଧାନସଭା ଉପନିର୍ବାଚନରେ ବହୁମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାକୁ ଯାଉଛି । ପ୍ରମୁଖ ରାଜନୈତିକ ଦଳଗୁଡିକ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ପୂର୍ବାପେକ୍ଷା ଅଧିକ ଭୋଟ ବ୍ୟବଧାନରେ ବିଜେଡି ଏହି ଆସନଟିକୁ ପୁଣି କବ୍‍ଜା କରିବ ବୋଲି ଆଶା ରଖିଛି ।

ପୂର୍ବତନ ବାଚସ୍ପତି କିଶୋର ମହାନ୍ତିଙ୍କ ଅକାଳ ମୃତ୍ୟୁ ପରେ ବ୍ରଜରାଜନଗର ବିଧାନସଭା ଆସନ ପାଇଁ ଉପନିର୍ବାଚନ ହେବାକୁ ଯାଉଛି । ଏଠାରୁ ବିଜେଡି ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଥିବା ବେଳେ ପୂର୍ବରୁ ବ୍ରଜରାଜନଗରର ବିଧାୟିକା ଥିବା ରାଧାରାଣୀ ପଣ୍ଡା ଆଉଥରେ ଏହି ଆସନରୁ ବିଜେପି ପ୍ରାର୍ଥୀ ଭାବେ ଅଳକାଙ୍କ ସହ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି । କଂଗ୍ରେସ ବି ଏଠାରୁ ଦଳର ହେଭିୱେଟ୍‍ ନେତା ତଥା ପୂର୍ବତନ ବାଚସ୍ପତି କିଶୋର ପଟେଲଙ୍କୁ ପ୍ରାର୍ଥୀ କରିଛି ।

ଏହାଛଡା ବ୍ରଜରାଜନଗର ଏକଦା ସିପିଆଇର ଦୁର୍ଗ ଥିବା ପରିପ୍ରେକ୍ଷୀରେ ସେଠାରୁ ଜଣାଶୁଣା ଶ୍ରମିକ ନେତା ପ୍ରସନ୍ନ କୁମାର ପଣ୍ଡା ଏକାଧିକବାର ଜିଣି ଆସୁଥିଲେ । ଏବେବି ବ୍ରଜରାଜନଗର ଅଞ୍ଚଳରେ ସ୍ୱର୍ଗତ ପଣ୍ଡାଙ୍କ ହାତଗଢ଼ା ବାମପନ୍ଥୀ ଶ୍ରମିକ ସଂଗଠନର ଦବଦବା ରହିଛି । ସିପିଆଇ ଏଥର ଏଠାରୁ ଏଆଇଟିୟୁସିର ଜଣାଶୁଣା ଶ୍ରମିକ ନେତା ରମେଶ ଚନ୍ଦ୍ର ତ୍ରିପାଠୀଙ୍କୁ ପ୍ରାର୍ଥୀ କରିବାକୁ ଘୋଷଣା କରିଛି । ଏଯାବତ୍‍ ଏହି ୪ଟି ପ୍ରମୁଖ ରାଜନୈତିକ ଦଳ ସେମାନଙ୍କ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ନିର୍ବାଚନ ମଇଦାନକୁ ଅନ୍ୟ କିଛି ଦଳ ଓ ସ୍ୱାଧୀନ ପ୍ରାର୍ଥୀ ମଧ୍ୟ ଲମ୍ଫ ଦେବାର ସମ୍ଭାବନା ଅଛି ।

ବ୍ରଜରାଜନଗର ବିଧାନସଭା କ୍ଷେତ୍ରରୁ ଅତୀତରେ କମ୍ୟୁନିଷ୍ଟ, କଂଗ୍ରେସ, ବିଜେପି ଓ ବିଜେଡି ପ୍ରାର୍ଥୀ ଜିଣିଥିବା ପରିପ୍ରେକ୍ଷୀରେ ଏବେ ଏହି ୪ ଦଳ ପାଇଁ ଚଳିତ ମାସରେ ହେଉଥିବା ଉପନିର୍ବାଚନ ଆହ୍ୱାନ ସୃଷ୍ଟି କରିଛି । ଜଣେ ଧୂରୀଣ ସଂଗଠକ ଓ ଅମାୟିକ ବ୍ୟକ୍ତି ଭାବେ କିଶୋର ମହାନ୍ତିଙ୍କର କେବଳ ବ୍ରଜରାଜନଗର କାହିଁକି ଝାରସୁଗୁଡା ସମେତ ଅବିଭକ୍ତ ସମ୍ବଲପୁର ଜିଲ୍ଲାରେ ସ୍ୱତନ୍ତ୍ର ପରିଚିତି ରହିଛି । ତାଙ୍କ ଅବର୍ତ୍ତମାନରେ ବିଜେଡି ପତ୍ନୀ ଅଳକାଙ୍କୁ ପ୍ରାର୍ଥୀ କରିଥିବା ପରିପ୍ରେକ୍ଷୀରେ ସାଂଗଠନିକ ସମର୍ଥନ ସହ କିଶୋରଙ୍କ ପୁରୁଣା ସଂପର୍କକୁ ଅଳକାଙ୍କୁ ବେଶ୍‍ ଫାଇଦା ମିଳିବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ଆଶା କରୁଛନ୍ତି ।

କିଶୋରଙ୍କ ମୃତ୍ୟୁ ପରଠାରୁ ବ୍ରଜରାଜନଗରର ପ୍ରତ୍ୟେକ ବୁଥ୍‍କୁ ବିଜେଡି ସଶକ୍ତ କରିବାରେ ଲାଗିଛି । ନିକଟରେ ଶେଷ ହୋଇଥିବା ପଞ୍ଚାୟତ ଓ ପୌର ନିର୍ବାଚନରେ ମଧ୍ୟ ବିଭିନ୍ନ ଦଳର କ୍ୟାଡର ଏକ୍ସରସାଇଜ୍‍ ଚାଲିଥିବା ବେଳେ ବିଜେଡିର ପ୍ରଦର୍ଶନ ଭଲ ଥିଲା । ଏହି ନିର୍ବାଚନ ମଣ୍ଡଳୀରେ ଭୋଟରଙ୍କ ସଂଖ୍ୟା ପାଖାପାଖି ୨ଲକ୍ଷ ୧୫ ହଜାର ଥିବାବେଳେ ୮୦ ପ୍ରତିଶତରୁ ଅଧିକ ମତଦାନ ହେବ ଏବଂ ବିଜେଡି ପ୍ରାର୍ଥୀ ପୁରୁଣା ରେକର୍ଡ ଭାଙ୍ଗି ଏଥର ଢ଼େର ଅଧିକ ଭୋଟ ପାଇବ ବୋଲି ଇତିମଧ୍ୟରେ ବ୍ରଜରାଜନଗର ପାଇଁ ଥିବା ଦଳୀୟ ପର୍ଯ୍ୟବେକ୍ଷକ ତଥା କଟକ ମେୟର ସୁବାସ ସିଂହ ଆଶା ପ୍ରକାଶ କରିଛନ୍ତି ।

ଦଳର ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସିଧାସଳଖ ଭାବେ ପ୍ରତିଦିନ ବ୍ରଜରାଜନଗରର ବିଭିନ୍ନ ଅଞ୍ଚଳର ଖବର ରଖୁଛନ୍ତି । ଏହି ନିର୍ବାଚନ ପାଇଁ ବାହାରୁ ବେଶୀ ନେତାଙ୍କୁ ବ୍ରଜରାଜନଗର ନ ଆଣି ୨୭୯ଟି ଯାକ ବୁଥ୍‍ ଦାୟିତ୍ୱରେ ଅବିଭକ୍ତ ସମ୍ବଲପୁର, ବଲାଙ୍ଗୀର, କଳାହାଣ୍ଡି ଓ ସୁନ୍ଦରଗଡ ଜିଲ୍ଲାର ସାଂଗଠନିକ ଦକ୍ଷତା ଥିବା ସଂଖ୍ୟାଧିକ ନେତାମାନଙ୍କୁ ବିଜେଡି ଦାୟିତ୍ୱ ଦେବ ବୋଲି ସୂଚନା ମିଳୁଛି ।

ବ୍ରଜରାଜନଗର ବିଧାନସଭା କ୍ଷେତ୍ରରେ ଗତଥର ବିଜେଡି ଅକ୍ତିଆର କରିଥିବା ବେଳେ ୨୦୧୪ରେ ବିଜେପି ଓ ୨୦୦୯ରେ କଂଗ୍ରେସ ଖାତାକୁ ଯାଇଥିଲା । ଏବେ ସେ ଅଞ୍ଚଳର ସାଂସଦ ସୁରେଶ ପୂଜାରୀ ବିଜେପିର ଜଣେ ଆଗଧାଡିର ନେତା । ଏ ପରିପ୍ରେକ୍ଷୀରେ ଉଭୟ ବିଜେପି, କଂଗ୍ରେସ ଓ ସିପିଆଇ ବିଜେଡିକୁ କଡା ଟକ୍କର ଦେବାକୁ ଯାଉଥିବା ବେଳେ ବିଜେଡି ବିରୋଧରେ ଭୋଟ ବିଭାଜନ ଦଳୀୟ ପ୍ରାର୍ଥୀ ଅଳକାଙ୍କ ପାଇଁ ବରଦାନ ହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here