Home Agriculture ଉପକୂଳରେ ଦୁଗ୍ଧ ଓ ମାଂସ ଉତ୍ପାଦନ ସର୍ବାଧିକ

ଉପକୂଳରେ ଦୁଗ୍ଧ ଓ ମାଂସ ଉତ୍ପାଦନ ସର୍ବାଧିକ

ଭୁବନେଶ୍ୱର : ଦୁଗ୍ଧ, ଅଣ୍ଡା ଓ ମାଂସ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ଧୀରେ ଧୀରେ ଆତ୍ମନିର୍ଭରଶୀଳ ହେଉଥିବା ବେଳେ ଉପକୂଳ ଓଡ଼ିଶାରେ ମାଂସ ଓ ଦୁଗ୍ଧ ଉତ୍ପାଦନ ସର୍ବାଧିକ ରହିଛି । ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ବି ଧିରେ ଧିରେ ଆଗକୁ ବଢୁଛି ।

ଦୁଗ୍ଧ ଉତ୍ପାଦନ ନେଇ ୨୦୧୯-୨୦ ବର୍ଷରେ ହୋଇଥିବା ସର୍ବଶେଷ ହିସାବରୁ ଜଣାଯାଇଛି ଯେ ରାଜ୍ୟରେ ବାର୍ଷିକ ମୋଟ୍‍ ୨୩୭୦ ହଜାର ମେଟ୍ରିକ୍‍ ଟନ୍‍ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଏହାର ସିଂହଭାଗ କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା, ବାଲେଶ୍ୱର, ଖୋର୍ଦ୍ଧା ଓ ପୁରୀ ଜିଲ୍ଲାରେ ରହିଛି । କଟକ ଜିଲ୍ଲାରୁ ସର୍ବାଧିକ ୨୭୧ହଜାର ଟନ୍‍ ଦୁଗ୍ଧ ଉତ୍ପାଦନ ହେଉଥିବା ବେଳେ ଜଗତସିଂହପୁରରୁ ୧୬୯, ପୁରୀରୁ ୧୭୩, ବାଲେଶ୍ୱରରୁ ୧୫୩, କେନ୍ଦ୍ରାପଡ଼ରୁ ୧୦୮, ଖୋର୍ଦ୍ଧାରୁ ୧୧୨ ହଜାର ମେଟ୍ରିକ୍‍ ଟନ୍‍ ଦୁଗ୍ଧ ଉତ୍ପାଦନ ହେଉଛି ।

ରାଜ୍ୟର ଅନ୍ୟ ସମସ୍ତ ଜିଲ୍ଲାରେ ଯଦିଓ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଉଛି ତେବେ ଉପକୂଳ ଓଡ଼ିଶାରେ ଏହାର ଉତ୍ପାଦନ ସର୍ବାଧିକ ରହିଛି । ବର୍ଷାଦିନେ ବଳକା ଦୁଗ୍ଧକୁ କର୍ତ୍ତୃପକ୍ଷ ଗୁଣ୍ଡ ଦୁଗ୍ଧରେ ପରିଣତ କରିବା ପାଇଁ ରାଜ୍ୟ ବାହାରକୁ ବି ପଠାଉଛନ୍ତି । ଓଡ଼ିଶାରେ ଦୁଗ୍ଧ ଉତ୍ପାଦନ ବୃଦ୍ଧି ପାଉଥିବାରୁ ଏବେ ଅମୁଲ୍‍ ଭଳି ଜାତୀୟ ସ୍ତରର ସଂସ୍ଥା ଉପକୂଳ ଓଡ଼ିଶାରୁ ଦୁଗ୍ଧ ସଂଗ୍ରହ ଆରମ୍ଭ କରିଛି ।

ସେହିଭଳି ରାଜ୍ୟରେ ବାର୍ଷିକରେ ୨୦୫ହଜାର ମେଟ୍ରିକ୍‍ ଟନ୍‍ ମାଂସ ଉତ୍ପାଦନ ହେଉଥିବା ବେଳେ ଉପକୂଳ ଓଡ଼ିଶାରୁ ଏହାର ସିଂହଭାଗ ମିଳୁଛି । କଟକ ଜିଲ୍ଲାରୁ ବର୍ଷକୁ ୨୨ହଜାର ମେଟ୍ରିକ୍‍ ଟନ୍‍ ମାଂସ ଉତ୍ପାଦନ ହେଉଥିବା ବେଳେ ଖୋର୍ଦ୍ଧାରୁ ୨୧, ବାଲେଶ୍ୱରରୁ ୧୦, ଗଞ୍ଜାମରୁ ୧୦, ଢେଙ୍କାନାଳରୁ ୧୨ ହଜାର ମେଟ୍ରିକ୍‍ ଟନ୍‍ ମାଂସ ଉତ୍ପାଦନ ହେଉଛି । ସବୁଠାରୁ କମ୍‍ ମାଂସ ଦେବଗଡ଼ ଜିଲ୍ଲାରେ ଉତ୍ପାଦିତ ହେଉଛି ।

ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ବି ଉପକୂଳ ଓଡ଼ିଶା ଆଗରେ ରହିଛି । ରାଜ୍ୟରେ ମୋଟ୍‍ ୨୩୮ କୋଟି ୧୪ଲକ୍ଷଟି ଅଣ୍ଡା ଉତ୍ପାଦିତ ହେଉଥିବା ବେଳେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୭୩ କୋଟି ୨୧ଲକ୍ଷ ଅଣ୍ଡା ମିଳୁଥିବା ବେଳେ ବଲାଙ୍ଗୀର ଜିଲ୍ଲାରୁ ୩୨ କୋଟି ୫୧ ଲକ୍ଷ, ଖୋର୍ଦ୍ଧାରୁ ୨୧କୋଟି ୪୮ଲକ୍ଷ, ମୟୂରଭଞ୍ଜରୁ ୧୨ କୋଟି ୪୮ଲକ୍ଷ, ଢେଙ୍କାନାଳରେ ୧୧କୋଟି ୭୭ଲକ୍ଷ, ବରଗଡ଼ରୁ ୧୦କୋଟି ୫୫ଲକ୍ଷ ଅଣ୍ଡା ଉତ୍ପାଦନ ହେଉଛି । ଅନ୍ୟ ଜିଲ୍ଲାଗୁଡ଼ିକରେ ଅଣ୍ଡା ଉତ୍ପାଦନ ପରିମାଣ ୧୦ କୋଟିରୁ ତଳେ ରହିଛି । ଏତେ ପରିମାଣର ଅଣ୍ଡା ଉତ୍ପାଦନ ସତ୍ତ୍ୱେ ଓଡ଼ିଶାକୁ ପଡ଼ୋଶୀ ରାଜ୍ୟରୁ ବାର୍ଷିକ ୭୫ କୋଟିରୁ ଅଧିକ ଅଣ୍ଡା ଆମଦାନୀ କରିବାକୁ ପଡ଼ୁଛି ।

ରାଜ୍ୟ ସରକାର ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ବିଭିନ୍ନ ଯୋଜନା ହାତକୁ ନେବାପରେ ରାଜ୍ୟରେ ଏହାର ଉତ୍ପାଦନ ବଢ଼ିବାରେ ଲାଗିଛି । ବିଶେଷକରି ମହିଳା ସ୍ୱୟଂସହାୟିକା ଗୋଷ୍ଠୀକୁ କୁକୁଡ଼ା ପାଳନ ଓ ଅଣ୍ଡା ଉତ୍ପାଦନ ପାଇଁ ସହାୟତା ଯୋଗାଇଦେବା ସହିତ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୁକୁଡ଼ା ଚାଷକୁ ପ୍ରୋତ୍ସାହନ ଦେବା ଯୋଗୁ ଏଭଳି ସଫଳତା ମିଳିଛି । ମାଛ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବିଶେଷ ସଫଳତା ହାସଲ କରିଥିବାରୁ ବର୍ଷକୁ ଏବେ ୫୦ହଜାର ଟନ୍‍ରୁ କମ୍‍ ମଧୁର ଜଳ ମାଛ ଆମଦାନୀ କରିବାକୁ ପଡ଼ୁଛି । (ତଥ୍ୟ)