Home News in Odia ଉଦୟପୁର ଘୋଷଣା ହିଁ ମୋ ଇସ୍ତାହାର

ଉଦୟପୁର ଘୋଷଣା ହିଁ ମୋ ଇସ୍ତାହାର

ଭୁବନେଶ୍ୱର : ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର ବୋଲି କହିଛନ୍ତି କଂଗ୍ରେସର ସଭାପତି ପ୍ରାର୍ଥୀ ମଲିକାର୍ଜୁନ ଖଡଗେ । ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ।

ଆଜି ଏଆଇସିସି ସଭାପତି ପଦ ପାଇଁ ପ୍ରତିଦ୍ୱନ୍ଦିତା କରୁଥିବା ସାଂସଦ ଶ୍ରୀ ଖଡ଼ଗେ ଓଡ଼ିଶା ଗସ୍ତରେ ଆସି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି ସଭ୍ୟମାନଙ୍କ ବୈଠକରେ ନିଜର ପ୍ରାର୍ଥିତ୍ୱ ସଂପର୍କରେ ଅବତାରଣା କରିବା ସହ ସମସ୍ତଙ୍କୁ ଭୋଟ ଦେବାପାଇଁ ନିବେଦନ କରିଥିଲେ । ଏହି ବୈଠକପରେ ସେ ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ତାଙ୍କର ଗସ୍ତ ସପଂର୍କରେ କହିଥିଲେ । ଶ୍ରୀ ଖଡ଼ଗେଙ୍କ ସହ ଅଖିଳ ଭାରତ କଂଗ୍ରେସ କମିଟିର ପୂର୍ବତନ ମୁଖପାତ୍ର ଡଃ ଗୌରବ ବଲ୍ଲଭ ମଧ୍ୟ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହିଥିଲେ । ଶ୍ରୀ ବଲ୍ଲଭ ସୂଚନା ଦେଇଥିଲେ ଯେ ଇନ୍ଦିରା ଗାନ୍ଧୀଙ୍କ ସମୟରୁ ସେ କଂଗ୍ରେସ ଦଳରେ ସକ୍ରୀୟ ଭାବେ ବିଭିନ୍ନ ପଦପଦବୀରେ କାର୍ଯ୍ୟ କରିଆସୁଛନ୍ତି । ପ୍ରାୟ ୫୫ ବର୍ଷ ଧରି ଶୃଙ୍ଖଳା ଓ ନିଷ୍ଠାର ସହ ଦଳର ସେବା କରିଆସୁଛନ୍ତି ।

ସେ ପ୍ରଥମେ ବ୍ଲକ କଂଗ୍ରେସ ସଭାପତି, ଜିଲ୍ଲା କଂଗ୍ରେସ ଉପସଭାପତି ଓ ସଭାପତି, ପ୍ରଦେଶ କଂଗ୍ରେସ ଉପସଭାପତି ଓ ସଭାପତି, ବିରୋଧି ଦଳ ନେତା ଭାବରେ କାର୍ଯ୍ୟକରି ଆସିଛନ୍ତି । କର୍ଣ୍ଣାଟକ ପ୍ରଦେଶରେ ବହୁବାର ମନ୍ତ୍ରୀ ଏବଂ ନିରବଚ୍ଛିନ୍ନ ଭାବରେ ୯ଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଲୋକସଭାକୁ ଦୁଇଥର ଏବଂ ରାଜ୍ୟ ସଭାକୁ ଥରେ ନିର୍ବାଚିତ ହୋଇଛନ୍ତି । ସେ ଲୋକସଭାରେ କଂଗ୍ରେସ ସଂସଦୀୟ ଦଳର ନେତା ଏବଂ ରାଜ୍ୟ ସଭାରେ ବିରୋଧି ଦଳ ନେତା ଭାବରେ ସୂଚାରୁରୂପେ ଦାୟୀତ୍ୱ ନିର୍ବାହ କରିଛନ୍ତି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ସେ ଦୀର୍ଘ ୫୫ ବର୍ଷଧରି ନିଷ୍ଠା ଓ ଶୃଙ୍ଖଳା ସହ ଉତ୍ସର୍ଗୀକୃତ ଭାବେ ଦଳରେ କାର୍ଯ୍ୟ କରିଆସୁଛନ୍ତି । ସେ ତାଙ୍କର ଇସ୍ତାହାର ସଂପର୍କରେ ସୂଚନା ଦେଇ କହିଲେ ଯେ ତାଙ୍କର କିଛି ନୂତନ ଇସ୍ତାହାର ନାହିଁ । ରାଜସ୍ଥାନର ଉଦୟପୁର ଚିନ୍ତନ ଶିବିବରରେ ଏଆଇସିସିର ବିଭିନ୍ନ ବିଶେଷଜ୍ଞ କମିଟି ର ଘୋଷଣା ହିଁ ତାଙ୍କର ଇସ୍ତାହାର ବୋଲି ସେ କହିଥିଲେ । ସେହି ଘୋଷଣା ନାମା ଅନୁସାରେ ସାମାଜିକ ନ୍ୟାୟ, କୃଷକ ଓ ଯୁବକମାନଙ୍କର ଅଧିକାର, ଅର୍ଥନୈତିକ ଓ ବୈଦଶିକ ନୀତି ଏବଂ ବିଶେଷ କରି କଂଗ୍ରେସ ସାଂଗଠନିକ କାର୍ଯ୍ୟକ୍ରମ ପ୍ରସ୍ତୁତ ହେବ ।

ସେ ତାଙ୍କର ଆଗାମୀ ସଂଗ୍ରାମ ସଂପର୍କରେ ଏକ ଝଲକ ଦେଇ କହିଲେ ଯେ ଆମକୁ ଦେଶକୁ ରସାତଳଗାମୀ କରୁଥିବା ମୋଦି ସରକାର ବିରୁଦ୍ଧରେ ଦୁର୍ବାର ଆନ୍ଦୋଳନ କରିବାକୁ ହେବ । ଦରଦାମ ବୃଦ୍ଧି, ଜାତି, ଧର୍ମ ଓ ବର୍ଣ୍ଣକୁ ନେଇ ଦେଶରେ ହିଂସା, ଇର୍ଷା ଓ ଭେଦଭାବ ସୃଷ୍ଟି କରୁଥିବା ମୋଦି, ବିଜେପି ଓ ଆରଏସଏସକୁ ମୁକାବିଲା କରି ଦେଶରେ ଅଖଣ୍ଡତା, ଭାତୃଭାବ, ଶାନ୍ତି, ପ୍ରିତି ଓ ମୈତ୍ରି ବଜାୟ ରଖିବା ହେଉଛି ଆମର କର୍ତବ୍ୟ । ଗଣତନ୍ତ୍ର ଏବଂ ସଂବିଧାନ ଏବେ ବିପଦ ଗ୍ରସ୍ତ । ସାମ୍ବିଧାନିକ ଅନୁଷ୍ଠାନ ଗୁଡ଼ିକ ମୋଦି ସରକାରଙ୍କ ଦ୍ୱାରା କବଳିତ । ମୋଦି ସରକାର ଗଣତନ୍ତ୍ରଙ୍କୁ ହତ୍ୟା କରୁଛନ୍ତି ।

କଂଗ୍ରେସର ନିର୍ବାଚିତ ସରକାର ଯଥା କର୍ଣ୍ଣାଟକ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦିକୁ ସରକାରୀ କଳର ଅପବ୍ୟବହାର ଓ ଅର୍ଥବଳ ପ୍ରୟୋଗ କରି ମୋଦି ସରକାର ଭାଙ୍ଗି ଦେଇଛନ୍ତି । ଗୋଆ ଓ ମଣିପୁରରେ ମଧ୍ୟ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଅବମାନନା କରିଛନ୍ତି । ସାରା ଦେଶରେ ଯେଉଁମାନେ ଅଣବିଜେପି ସରକାର ଗଠନ କରିଛନ୍ତି ସେମାନଙ୍କୁ ଭୀତସ୍ତତ କରାଉଛନ୍ତି । ବିଧାୟକ କିଣି ସରକାର ଗଢ଼ିବା ଏବଂ ନିର୍ବାଚିତ ସରକାରକୁ ଭାଙ୍ଗିବା ମୋଦି ସରକାର ଓ ବିଜେପିର ପ୍ରଧାନ ଲକ୍ଷ୍ୟ । ଦେଶର ସଂପତି ଯାହାକି ଦୀର୍ଘ ଅର୍ଦ୍ଧଶତାବ୍ଦି ଧରି କଂଗ୍ରେସ ସରକାର ସୃଷ୍ଟି କରିଥିଲା ଏବେ ସେ ସବୁକୁ ମୋଦି ତାଙ୍କ କିଛି ନିର୍ଦ୍ଦିଷ୍ଟ ଶିଳ୍ପପତି ବନ୍ଧୁମାନଙ୍କ ହାତରେ ଟେକି ଦେଉଛନ୍ତି । ଯେଉଁମାନେ ମୋଦି ସରକାରଙ୍କ ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି ସେମାନଙ୍କୁ ସିବିଆଇ, ଇଡି ଓ ଆୟକର ବିଭାଗକୁ ଲଗାଇ ହଇରାଣ ହରକତ କରାଯାଉଛି ।

ଶ୍ରୀ ଖଡ଼ଗେ କହିଥିଲେ ଯେ ଦେଶ ସ୍ୱାଧୀନତା ପାଇଁ ଆରଏସଏସ ବା ବିଜେପି ଦଳର କୌଣସି ଅବଦାନ ନାହିଁ । କଂଗ୍ରେସ ଦଳ ଦେଶକୁ ସ୍ୱାଧୀନତା ଦେଇଛି । ଦେଶ ଗଠନ କରିଛି । ମହାତ୍ମା ଗାନ୍ଧୀ, ପଣ୍ଡିତ ନେହେରୁ, ବଲ୍ଲଭଭାଇ ପଟେଲ ଏବଂ ସୁଭାଷ ବୋଷଙ୍କ ତ୍ୟାଗ ଓ ତିତୀକ୍ଷାର ପଟାନ୍ତର ନାହିଁ । ଆରଏସଏସ ବ୍ରିଟିଶର ବୋଲକରା ଥିଲା । ବିଜେପି ବା ଆରଏସଏସର କେଉଁମାନେ ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଛନ୍ତି ବା କାରାବରଣ କରିଛନ୍ତି ତାହା ବିଜେପି ପ୍ରକାଶ କରୁ । ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ହିଁ ମୋର ପ୍ରଧାନ କର୍ତବ୍ୟ ଓ ଲକ୍ଷ୍ୟ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ରାହୁଲ ଗାନ୍ଧୀଙ୍କର ଭାରତ ଯୋଡ଼ ଯାତ୍ରା ଦେଶରେ ବୈପ୍ଳବିକ ପରିବର୍ତନ ଆଣିବ ବୋଲି ସେ କହିଥିଲେ । ବିଜେପି ଦେଶକୁ ଭାଙ୍ଗୁଥିବା ବେଳେ ସମ୍ମାନୀୟ ରାହୁଲ ଗାନ୍ଧୀ ଦେଶକୁ ଯୋଡ଼ି ରଖିବା ପାଇଁ ପ୍ରଚେଷ୍ଟାରତ । ମହଙ୍ଗା ମାଡ଼, ଦୁର୍ନୀତି, ବେରୋଜଗାର, ଦାରିଦ୍ର‌୍ୟ, ଅର୍ଥନୈତିକ ବୈଷମ ଓ କ୍ଷୁଧା ବିରୁଦ୍ଧରେ ତାଙ୍କର ଏହି ମହାସଂଗ୍ରାମ । ପରିଶେଷରେ ସେ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।