ଭୁବନେଶ୍ୱର: ପିଆଜ ଓ ଡାଲି ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିବା କୃଷି ବିଭାଗର ପରିସଂଖ୍ୟାନ କହୁଥିବା ବେଳେ ଯୋଗାଣ ବିଭାଗ କିନ୍ତୁ ସୂଚନା ଦେଉଛି ଯେ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶାକୁ ବାହାର ରାଜ୍ୟରୁ ପ୍ରଚୁର ପରିମାଣର ପିଆଜ ଓ ଡାଲି କିଣିବାକୁ ପଡୁଛି । ପରସ୍ପର ବିରୋଧାତ୍ମକ ପରିସଂଖ୍ୟାନଗତ ହିସାବ ପରିପ୍ରେକ୍ଷୀରେ ଖାଉଟିମାନଙ୍କୁ କିନ୍ତୁ ଅନ୍ୟ ରାଜ୍ୟରୁ ଅଣାଯାଉଥିବା ଡାଲି ଓ ପିଆଜ ପାଇଁ ମୋଟା ଅଙ୍କର ପଇସା ଗଣିଗଣି ଆଖିରୁ ପାଣି ବାହାରି ଯାଉଛି ।
କୃଷି ବିଭାଗର ତଥ୍ୟ ମୁତାବକ ୨୦୨୧-୨୨ ବର୍ଷରେ ଓଡ଼ିଶା ୩ଲକ୍ଷ ୬୦ ହଜାର ମେଟ୍ରିକ୍ ଟନ୍ ପିଆଜ ଆବଶ୍ୟକ ପଡୁଥିବା ବେଳେ ଏହି ବର୍ଷରେ ରାଜ୍ୟରେ ଫଳିଥିଲା ୩ଲକ୍ଷ ୬୮ ହଜାର ମେଟ୍ରିକ ଟନ୍ ପିଆଜ । ସେହିପରି ୨୦୨୨-୨୩ ବର୍ଷରେ ଆମ ରାଜ୍ୟରେ ୩ଲକ୍ଷ ୬୫ ହଜାର ଟନ୍ ପିଆଜର ଆବଶ୍ୟକତା ଥିଲାବେଳେ ୩ଲକ୍ଷ ୬୮ ହଜାର ମେଟ୍ରିକ ଟନ୍ ଉତ୍ପାଦିତ ହୋଇଥିଲା । ୨୦୨୩-୨୪ ବର୍ଷର ଅଗ୍ରୀମ ଆକଳନ ଅନୁଯାୟୀ ରାଜ୍ୟ ପାଇଁ ୩ଲକ୍ଷ ୭୨ ହଜାର ମେଟ୍ରିକ ଟନ୍ ପିଆଜ ଆବଶ୍ୟକ ପଡୁଥିବା ବେଳେ ରାଜ୍ୟରେ ୪ଲକ୍ଷ ୧୯ ହଜାର ମେଟ୍ରିକ ଟନ୍ ପିଆଜ ଉତ୍ପାଦିତ ହୋଇଛି । ଗତ ୩ବର୍ଷର ଏହି ସରକାରୀ ତଥ୍ୟରୁ ସ୍ପଷ୍ଟ ଜଣାପଡୁଛି ଯେ ଓଡ଼ିଶା ପାଇଁ ଯେତିକି ପିଆଜ ଆବଶ୍ୟକ ତାହାଠାରୁ ଅଧିକ ପରିମାଣର ପିଆଜ ଓଡ଼ିଶାର ଚାଷୀମାନେ ଫଳାଉଛନ୍ତି ।
ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହୋଇଥିବା ବେଳେ କିନ୍ତୁ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ ଓ କର୍ଣ୍ଣାଟକ ଆଦି ରାଜ୍ୟରୁ ପ୍ରଚୁର ପରିମାଣର ପିଆଜ ଆମଦାନି କରୁଛି । ବଜାର ବିଶେଷଜ୍ଞମାନେ କହୁଛନ୍ତି ଯେ ପିଆଜ ଉତ୍ପାଦନ ସଂକ୍ରାନ୍ତରେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ତଥ୍ୟର ସତ୍ୟତା ବେସରକାରୀ ସ୍ତରରେ ଯାଞ୍ଚ କରିବା ସମ୍ଭବପର ନୁହେଁ ।
ତେବେ ଏକଥା ସତ ଯେ ପିଆଜ ଉତ୍ପାଦନ ଋତୁରେ ଏହାର ସଂରକ୍ଷଣ ପାଇଁ ଓଡ଼ିଶାରେ ପର୍ଯ୍ୟାପ୍ତ ଭିତ୍ତିଭୂମି ନଥିବାରୁ ଉତ୍ପାଦନ ଋତୁରେ ଅନ୍ୟ ରାଜ୍ୟର ଲାଭଖୋର ବ୍ୟବସାୟୀମାନେ କିଲୋ ୫ଟଙ୍କାରୁ ୮ ଟଙ୍କା ଦରରେ ଚାଷୀମାନଙ୍କ ଠାରୁ ପିଆଜ କିଣିନେଇ ସଂରକ୍ଷିତ କରି ରଖିବା ପରେ ପୁଣି ଓଡ଼ିଶାକୁ କିଲୋ ୫୦ରୁ ୭୦ ଟଙ୍କା ଦରରେ ବିକୁଛନ୍ତି । ବାହାର ରାଜ୍ୟର ବ୍ୟବସାୟୀଙ୍କୁ ବାଧ୍ୟବାଧକତାରେ ଅଭାବି ପିଆଜ ବିକ୍ରି କରିଥିବା ଓଡ଼ିଆ ଚାଷୀ ଏବେ ତା’ର ପଖାଳ କଂସାରେ ପିଆଜ ଖଣ୍ଡେ ଖାଇବା ବେଳକୁ ସତେ ଯେମିତି ଆଖିରୁ ପାଣି ସହ ରକ୍ତ ଝରିଯାଉଛି ।
ସେହିଭଳି ସରକାରୀ ତଥ୍ୟ ମୁତାବକ ଓଡ଼ିଶାରେ ବାର୍ଷିକ ପ୍ରାୟ ୨ଲକ୍ଷ ୯୫ ହଜାର ମେଟ୍ରିକ ଟନ୍ ଡାଲିର ଆବଶ୍ୟକତା ରହିଥିବା ତଥ୍ୟ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ୨୦୨୩ ନଭେମ୍ବର ୨୨ ତାରିଖରେ ତତ୍କାଳୀନ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ବିଧାନସଭାରେ ତଥ୍ୟ ରଖିଥିଲେ । ୨୭/୧୧/୨୦୨୪ରେ ଅନ୍ୟତମ ବିଧାୟକ ଅରୁଣ କୁମାର ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି ଯେ ଓଡ଼ିଶାରେ ଡାଲିର ବାର୍ଷିକ ଚାହିଦା ୧,୨୮,୬୦,୦୦୦ କ୍ୱିଣ୍ଟାଲ ଥିବାବେଳେ ୨୦୨୩-୨୪ ବର୍ଷରେ ୧,୩୦,୯୪,୯୦୦ କ୍ୱିଣ୍ଟାଲ ଡାଲି ଉତ୍ପାଦିତ ହୋଇଥିଲା । ଭିନ୍ନ ସରକାରୀ ତଥ୍ୟ ମୁତାବକ ଡାଲି ପାଇଁ ଓଡ଼ିଶା ମହାରାଷ୍ଟ୍ର, ଛତିଶଗଡ଼, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ ଓ ପଶ୍ଚିମବଙ୍ଗ ଉପରେ କିନ୍ତୁ ନିର୍ଭର କରୁଛି । (ତଥ୍ୟ)