Home General ଉତ୍ତେଜନା ମୂଳକ ପୋଷ୍ଟିଂ ନିୟନ୍ତ୍ରଣ ପାଇଁ ମତ

ଉତ୍ତେଜନା ମୂଳକ ପୋଷ୍ଟିଂ ନିୟନ୍ତ୍ରଣ ପାଇଁ ମତ

ଭୁବନେଶ୍ୱର : ଆଫଗାନିସ୍ତାନରେ ଚାଲିଥିବା ତାଲିବାନୀ ହିଂସାକାଣ୍ଡ ଘେନି ସମଗ୍ର ବିଶ୍ୱରେ ଉଦ୍‍ବେଗପ୍ରକାଶ ପାଉଥିବାବେଳେ ଏବେ ସାମାଜିକ ଗଣମାଧ୍ୟମରେ ଅନେକ ଉତ୍ତେଜନା ଉଦ୍ରେକକାରୀ ପୋଷ୍ଟିଂ ଦେଖିବାକୁ ମିଳୁଛି । ଏଥିଯୋଗୁଁ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ଥିବାରୁ ଏ ପ୍ରସଙ୍ଗରେ ସାମାଜିକ ଗଣମାଧ୍ୟମ ଉପରେ ନଜର ରଖିବା ଏବଂ ଯେଉଁମାନେ ଉତ୍ତେଜନା ସୃଷ୍ଟି ହେଲାଭଳି ପୋଷ୍ଟିଂ କରୁଛନ୍ତି ସେମାନଙ୍କୁ ନିୟନ୍ତ୍ରଣ କରିବାଲାଗି ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି ।

ହ୍ୱାଟସଆପ୍‍, ଫେସ୍‍ବୁକ୍‍ ଠାରୁ ଆରମ୍ଭକରି ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ତାଲିବାନୀ ପ୍ରସଙ୍ଗ ଉଠାଇବା ସହିତ ସାମ୍ପ୍ରଦାୟିତ୍ୱ ବିଭେଦ ଓ ଉତ୍ତେଜନା ସୃଷ୍ଟି କରାଯିବା ଭଳି ଅନେକ ଲେଖା ଇଂରାଜୀ, ହିନ୍ଦୀ, ଓଡିଆ ସମେତ ବିଭିନ୍ନ ଭାଷାରେ ଘୂରି ବୁଲୁଛି । ଏଥିଯୋଗୁଁ ଏକ ପ୍ରକାର ଆତଙ୍କର ବାତାବରଣ ସୃଷ୍ଟି ହେଉଛି ।

ତାଲିବାନ ପ୍ରସଙ୍ଗରେ ଭାରତ ସମେତ ସମଗ୍ର ବିଶ୍ୱ ଚିନ୍ତିତ ଅଛି ଏବଂ ଆଫଗାନିସ୍ତାନରେ ମୌଳବାଦୀ ସନ୍ତ୍ରାସବାଦୀମାନେ ଯେଭଳି ନାରକୀୟ କାଣ୍ଡ ଘଟାଉଛନ୍ତି ତାହାକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସାଧାରଣରେ ନାପସନ୍ଦ କରାଯାଉଛି । ଏହା ସତ୍ୱେ ବି ତାଲିବାନୀଙ୍କ ଅପକିର୍ତ୍ତୀକୁ ଅନ୍ୟମାନଙ୍କ ମୁଣ୍ଡରେ ଲଦିଦେଇ ବିଭାଜନ ସୃଷ୍ଟିକାରୀ ରାଜନୀତି ଚାଲୁଛି ବୋଲି ବହୁ ସାମାଜିକକର୍ମୀ ଖୋଲା ଅଭିଯୋଗ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ତାଲିବାନକୁ ପାକିସ୍ତାନ, ଚୀନ୍‍ ସମେତ କେତେକ ମହଲରୁ ସମର୍ଥନ ମିଳୁଛି । ତେବେ ଏହି ମୌଳବାଦୀମାନେ ଆଫଗାନିସ୍ତାନରେ ଥିବା ଭାରତ ସମେତ ଅନ୍ୟ ବିଦେଶୀ ନାଗରିକମାନଙ୍କ ଧନଜୀବନ ପ୍ରତି ବିପଦ ସୃଷ୍ଟି କରିବା ଆଶଙ୍କା ଥିବାରୁ ସେଠାରେ ବହୁ ରାଷ୍ଟ୍ର ସେମାନଙ୍କ ଦୂତାବାସମାନ ବନ୍ଦକରି ସାରିଲେଣି ଏବଂ ନିଜ ନିଜ ଦେଶର ନାଗରିକମାନଙ୍କୁ କିଭଳି ନିରାପଦରେ ଫେରାଇ ଆଣିବେ ସେଥିଘେନି କାମ କରୁଛନ୍ତି । ଆଫଗାନିସ୍ତାନରେ ବି ଓଡିଶାର କିଛି ଲୋକ ଫସି ରହିଛନ୍ତି ଏବଂ ସେମାନେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ମଧ୍ୟ ଚିନ୍ତାରେ ଅଛନ୍ତି ।

ଏଭଳି ସମ୍ବେଦନଶୀଳ ପୃଷ୍ଟଭୂମିରେ ଉତ୍ତେଜନା ସୃଷ୍ଟିକାରୀ ବିବୃତ୍ତି ସାମାଜିକ ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଗଲେ ତାହାର କୁପ୍ରଭାବ ପଡିବାର ଆଶଙ୍କା ରହିଛି । କୂଟନୈତିକ ସ୍ତରରେ ଭାରତ ଏହି ପ୍ରସଙ୍ଗର ମୁକାବିଲା କରୁଥିବାବେଳେ ଯେପରି ଉତ୍ତେଜନାମୂଳକ ପୋଷ୍ଟିଂମାନ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳୁଛି ସେଥିରୁ ଏଗୁଡିକର ସ୍ରଷ୍ଟାମାନଙ୍କର ସାମାଜିକ ଓ ଜାତୀୟ ଦାୟିତ୍ୱବୋଧ ଥିବାଭଳି ମନେ ହେଉନାହିଁ । ତେଣୁ ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ତଥା ଦେଶରେ ଭାଇଚାରା ସମ୍ପର୍କ ବଜାୟ ରଖିବାଲାଗି ଅପପ୍ରଚାରରେ ଲିପ୍ତ ଏଭଳି ଦୁଷ୍ଟ ଶକ୍ତିମାନଙ୍କୁ ଦମନ କରାଯିବାର ଆବଶ୍ୟକତା ରହିଛି ବୋଲି ସମାଜବିଜ୍ଞାନୀ ଓ ବୈଦେଶିକ ବ୍ୟାପାର ବିଶେଜ୍ଞମାନେ କହୁଛନ୍ତି । (ତଥ୍ୟ)