Home General ଉତ୍କଳ ଦିବସ ପାଇଁ କଟକଣା

ଉତ୍କଳ ଦିବସ ପାଇଁ କଟକଣା

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏପ୍ରିଲ ପହିଲାରୁ ପାଳିତ ହେଉଥିବା ଉତ୍କଳ ଦିବସ ଓ ଅନୁରୂପ କାର୍ଯ୍ୟକ୍ରମ ଉପରେ ରାଜ୍ୟ ସ୍ୱତନ୍ତ୍ର ରିଲିଫ୍‍ କମିଶନର କଟକଣା ଲଗାଇଛନ୍ତି । ଉତ୍କଳ ଦିବସ ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ସାରା ରାଜ୍ୟରେ ବାରଣ କରାଯାଇଛି ।

ସେହିଭଳି ସରକାରୀ ବୈଠକ ଓ ଉତ୍କଳ ଦିବସ କାର୍ଯ୍ୟକ୍ରମରେ ସର୍ବାଧିକ ୨୦୦ ପର୍ଯ୍ୟନ୍ତ ଲୋକ ଯୋଗ ଦେଇପାରିବେ । ଏଠାରେ କୋଭିଡ ମାର୍ଗନିର୍ଦ୍ଦେଶିକା ଅନୁଯାୟୀ ସାମାଜିକ ଦୂରତା, ମାସ୍କ ପିନ୍ଧିବା, ହାତ ଧୋଇବା, ସାନିଟାଇଜର ଆଦି ବ୍ୟବହାରକୁ କଡ଼ାକଡ଼ି ପାଳନ ଲାଗି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ କୌଣସି କାର୍ଯ୍ୟକୁ ବାରଣ କରାଯାଇଛି ।

ଅନ୍ୟ ସଙ୍ଗଠନ ଓ ବେସରକାରୀ ସଂସ୍ଥାଗୁଡ଼ିକ ଉତ୍କଳ ଦିବସ ପାଳନ ଲାଗି ପୂର୍ବରୁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ଆଣିବେ । ଏଥିପାଇଁ ଜିଲ୍ଲାପାଳ, ମୁନିସିପାଲ କମିଶନର କିମ୍ବା ଏମାନଙ୍କ ଦ୍ୱାରା କ୍ଷମତାପ୍ରାପ୍ତ ଅଧିକାରୀ ଅନୁମତି ଦେବେ ଓ ସେଠାରେ କୋଭିଡ୍‍ ମାର୍ଗନିର୍ଦ୍ଦେଶିକା କଡ଼ାକଡ଼ି ଭାବେ ପାଳନ କରାଯିବ ।

କୌଣସିଠାରେ ନିୟମ ଉଲ୍ଲଙ୍ଘନ ହେଲେ ବିପର୍ଯୟ ପରିଚାଳନା ଆଇନ୍‍ ୨୦୦୫ର ଧାରା ୫୧ ଓ ୬୦ ଏବଂ ମହାମାରୀ ଆଇନ୍‍ ୧୮୯୭ ଅନୁଯାୟୀ ଆଇପିସିର ଧାରା ୧୮୮ ଆଧାରରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।