Home General ଉତ୍କଳିକାର ନିଜସ୍ୱ ୱେବସାଇଟ୍‍ ଲୋକାର୍ପିତ

ଉତ୍କଳିକାର ନିଜସ୍ୱ ୱେବସାଇଟ୍‍ ଲୋକାର୍ପିତ

ଭୁବନେଶ୍ୱର : ଆଜିଠାରୁ ଉତ୍କଳିକାର ନିଜସ୍ୱ ୱେବସାଇଟ୍‍ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନଙ୍କ ଦ୍ୱାରା ଗୁଗୁଲ ମିଟ୍‌ ମାଧ୍ୟମରେ ଲୋକାର୍ପିତ ହୋଇଯାଇଛି ।

www.utkalikaodisha.com ମାଧ୍ୟମରେ ଲଗ୍‌ ଇନ୍‌ କରି ଏବଂ ଗୁଗୁଲ ପ୍ଲେ ଷ୍ଟୋରରୁ ଉତ୍କଳିକା ଆପ୍‌ ଡାଉନ୍‌ଲୋଡ୍‌ କରି ପସନ୍ଦ ମୁତାବକ ହସ୍ତତନ୍ତ ଶାଢ଼ି ଓ ଅନ୍ୟାନ୍ୟ ସାମଗ୍ରୀ ଅର୍ଡର କରିପାରିବେ । ବର୍ତ୍ତମାନ ସମ୍ବଲପୁରୀ ଶାଢ଼ି ସହିତ ପଟ୍ଟଚିତ୍ର, ଶାଢ଼ି, ରଘୁରାଜପୁର ପଟ୍ଟଚିତ୍ର, ଜନଜାତି ଅଳଙ୍କାର ଏବଂ ଓଡ଼ିଶା ଗହଣା ଇତ୍ୟାଦି ବିକ୍ରୟ ପାଇଁ ଉପଲବ୍ଧ ଅଛି । ନିକଟ ଭବିଷ୍ୟତରେ ବିଭିନ୍ନ ପ୍ରକାରର ଓଡ଼ିଶା କାରିଗରମାନଙ୍କ ଦ୍ୱାରା ପ୍ରସ୍ତୁତ ହସ୍ତଶିଳ୍ପ ଏବଂ ହସ୍ତତନ୍ତ ସାମଗ୍ରୀ ଏହି ୱେବସାଇଟ୍‍ ଉପଲବ୍ଧ କରାଯିବ ।

ବିଗତ ୧ ବର୍ଷରୁ ଊଦ୍ଧ୍ୱର୍ ହେବ ଖାଲି ଓଡ଼ିଶା ନୁହେଁ, ସାରା ବିଶ୍ୱ କୋଭିଡ୍‌-୧୯ ଦ୍ୱାରା କବଳିତ ହୋଇ ଜନସମାଜ ଖୁବ୍‌ ଦୁର୍ଦ୍ଦଶା ଭୋଗ କରୁଛନ୍ତି । ସାରା ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଦେଖା ଦେଇଛି । ଏ ଅବସରରେ ଆମ ଓଡ଼ିଶାର ବିଭିନ୍ନ ହସ୍ତତନ୍ତ, ବୟନଶିଳ୍ପ ଏବଂ ହସ୍ତଶିଳ୍ପକୁ ଆଧାର କରି ଜୀବିକା ନିର୍ବାହ କରୁଥିବା ବ୍ୟବସାୟମାନ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ଏଣୁ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ଅନ୍ତର୍ଗତ ଉତ୍କଳିକା ଅନ୍‌ଲାଇନ୍‌ ବ୍ୟବସାୟ ମାଧ୍ୟମରେ ହସ୍ତଶିଳ୍ପ ଓ ହସ୍ତତନ୍ତ ସାମଗ୍ରୀ ବିକ୍ରୟ କରିବାକୁ ମନସ୍ଥ କରି ନିଜସ୍ୱ ୱେବସାଇଟ୍‍ ଆରମ୍ଭ କରିଛି । ଏହା ଦ୍ୱାରା ଉଭୟ ହସ୍ତଶିଳ୍ପୀ ଓ ଗ୍ରାହକମାନେ ବହୁଳ ଭାବେ ଉପକୃତ ହେବା ସଙ୍ଗେ ସଙ୍ଗେ ଉତ୍କଳିକାର ବ୍ୟବସାୟର ପୁନରୁଦ୍ଧାର ହୋଇ ମାନ୍ଦାବସ୍ଥାରୁ ମୁକ୍ତି ପାଇଁ ଆଶା କରାଯାଉଛି ।

ଅନ୍‌ଲାଇନ୍‌ ବ୍ୟବସାୟ ଦ୍ୱାରା ଘରେ ବସି ମଧ୍ୟ ଗ୍ରାହକମାନେ ଉତ୍ତମ ସେବା ପାଇପାରିବେ । ଉତ୍କଳିକା ମାଧ୍ୟମରେ ମଧ୍ୟ ଉତ୍ପାଦଗୁଡ଼ିକ ଆହୁରି ଅଧିକରୁ ଅଧିକ ଲୋକାଭିମୁଖୀ ହେବାର ସୁଯୋଗ ରହିବ । ଫିଡ୍‌ବ୍ୟାକ୍‌ ମାଧ୍ୟମରେ ମଧ୍ୟ ଉତ୍କଳିକା ଗ୍ରାହକମାନଙ୍କ ଚାହିଦା ମୁତାବକ ଉତ୍ପାଦଗୁଡ଼ିକର ଆହୁରି ଆଧୁନିକୀକରଣ ଓ ଯୁଗୋପଯୋଗୀ କରି ଆକର୍ଷଣୀୟ କରିବାର ସଂକଳ୍ପ ନେଇଛି ।

ଏହି ଲୋକାର୍ପଣ ଉତ୍ସବରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା, ଅତିରିକ୍ତ ଶାସନ ସଚିବ ସରୋଜ କୁମାର ପଟେଲ, ହସ୍ତ ଓ କୁଟୀର ଶିଳ୍ପ ନିର୍ଦ୍ଦେଶକ ସନାତନ ନାୟକ, ଉତ୍କଳିକାର ପରିଚାଳନା ନିର୍ଦ୍ଦେଶିକା ସ୍ୱୟଂପ୍ରଭା ମୁଦୁଲି ଯୋଗଦେଇଥିଲେ । ଉତ୍କଳିକାର ଶିଳ୍ପ ବିକାଶ ଅଧିକାରୀ ରଶ୍ମିରେଖା, ହସ୍ତଶିଳ୍ପ ବିକାଶ ଅଧିକାରୀ ପଦ୍ମିନୀ ମିଶ୍ର, ହସ୍ତଶିଳ୍ପ ବିକାଶ ଅଧିକାରୀ ପ୍ରୀତିଶ୍‌ କୁମାର ବେହେରାଙ୍କ ସମେତ ଉତ୍କଳିକାର କର୍ମଚାରୀମାନେ ମଧ୍ୟ ଏହି ଉତ୍ସବରେ ଗୁଗୁଲ୍‌ ମିଟ୍‌ ମାଧ୍ୟମରେ ଯୋଗ ଦେଇଥିଲେ ।