Home Education ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ଦାବି ଜୋରଦାର

ଉତ୍କଳକୁ କେନ୍ଦ୍ରୀୟ ମାନ୍ୟତା ଦାବି ଜୋରଦାର

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ପ୍ରାୟ ୪୦ବର୍ଷ ଧରି ବିଭିନ୍ନ ମହଲରୁ ହୋଇ ଆସୁଥିବା ଦାବି ଏବେ ଜୋରଦାର ହେବାରେ ଲାଗିଛି । ଉତ୍କଳ ଛଡା ଆଉ ଦୁଇଟି ବିଶ୍ୱବିଦ୍ୟାଳୟକୁ ମଧ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ଦାବି ଉଠୁଛି ।

ପ୍ରଫେସର ମନ୍ମଥ ନାଥ ଦାସ ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ଥିବାବେଳେ ବିଧିବଦ୍ଧ ଭାବେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମର୍ଯ୍ୟାଦା ଦେବାଲାଗି ଭାରତ ସରକାରଙ୍କ ନିକଟରେ ଦାବି ଉଠାଇଥିଲେ । ଏହାକୁ ସେତେବେଳେ ଶିକ୍ଷାବିତ୍‍, ବୁଦ୍ଧିଜୀବୀ, ଛାତ୍ରଛାତ୍ରୀଙ୍କ ସମେତ ଦଳ ମତ ନିର୍ବିଶେଷରେ ନେତାମାନେ ବି ସମର୍ଥନ ଜଣାଇଥିଲେ । ସେ ସମୟରେ କିନ୍ତୁ ବିଭିନ୍ନ ରାଜ୍ୟର ଅନେକ କେତେକ ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଥିବାବେଳେ ଦିଲ୍ଲୀ ଲବି ଜୋରଦାର ହୋଇନପାରିବାରୁ ଉତ୍କଳ ସେଥିରୁ ବଞ୍ଚିତ ହୋଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ କେନ୍ଦ୍ର ସରକାର କୋରାପୁଟରେ ଏକ ନୂଆ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ସ୍ଥାପନ କରିଛନ୍ତି ।

ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ଛାତ୍ରନେତା ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଥିବାବେଳେ ଏହି ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦର ପୂର୍ବତନ ସଭାପତି ଡକ୍ଟର ଅରୁଣ ସାହୁ ରାଜ୍ୟର ଉଚ୍ଚଶିକ୍ଷା ମନ୍ତ୍ରୀ ଅଛନ୍ତି । ବିଶେଷକରି ଧର୍ମେନ୍ଦ୍ରଙ୍କୁ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ମିଳିବାପରେ ଉତ୍କଳକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ମିଳିବା ଘେନି ଶିକ୍ଷକ, ଛାତ୍ରଛାତ୍ରୀ, ପୁରାତନ ଛାତ୍ର ଓ ବିଭିନ୍ନ ମହଲରୁ ଆଶା ଦୃଢ ହେବାରେ ଲାଗିଛି ।

ଇତି ମଧ୍ୟରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାପାଇଁ ମଧ୍ୟ ଦାବି ଜୋର ହେବାରେ ଲାଗିଛି । ଗତ ସାଧାରଣ ନିର୍ବାଚନରେ ପଶ୍ଚିମଓଡିଶାର ୫ଟି ଯାକ ଲୋକସଭା ଆସନ ବିଜେପି ହାତକୁ ଯାଇଥିବା ପରିପ୍ରେକ୍ଷୀରେ ପଶ୍ଚିମାଞ୍ଚଳର ବିଜେପି ନେତାମାନେ ସମ୍ବଲପୁର ବିଶ୍ୱବିଦ୍ୟାଳୟ କେନ୍ଦ୍ରୀୟ ମାନ୍ୟତା ପାଇବ ବୋଲି ଆଶା କରିବା ସ୍ୱାଭାବିକ ।

ଅନ୍ୟ ପକ୍ଷରେ ଓଡିଶାର ସର୍ବ ପୁରାତନ ମହିଳା କଲେଜ କଟକର ଶୈଳବାଳା ମହିଳା ମହାବିଦ୍ୟାଳୟ ସମେତ ପୁରୀର ସାମନ୍ତ ଚନ୍ଦ୍ରଶେଖର କଲେଜ, ଖୋର୍ଦ୍ଧାର ପ୍ରାଣନାଥ କଲେଜ ଓ କେନ୍ଦ୍ରାପଡା କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାପାଇଁ ମଧ୍ୟ ଦାବି ଜୋରଦାର ହେବାରେ ଲାଗିଛି । ଏହି ୪ଟି ଯାକ ଶିକ୍ଷାନୁଷ୍ଠାନ ଅବଶ୍ୟ ସ୍ୱୟଂଶାସିତ ମର୍ଯ୍ୟାଦା ପାଇଛନ୍ତି ।

୧୯୪୩ ମସିହାରେ ଓଡିଶାର ପ୍ରଥମ ବିଶ୍ୱବିଦ୍ୟାଳୟ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଏବେ ଓଡିଶାରେ ୨୦ରୁ ଅଧିକ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ରହିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here