Home Education ଉଚ୍ଚଶିକ୍ଷାରେ ଶିକ୍ଷକ ଅଭାବ ଉତ୍କଟ

ଉଚ୍ଚଶିକ୍ଷାରେ ଶିକ୍ଷକ ଅଭାବ ଉତ୍କଟ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକରେ ଏବେ ପ୍ରାୟ ୮୦୦ ଶିକ୍ଷକ ପଦବୀ ଖାଲିପଡିଥିବାବେଳେ ପାଖାପାଖି ଦେଢ ହଜାର ଅଣଶିକ୍ଷକ ପଦବୀ ମଧ୍ୟ ଫାଙ୍କା ରହିଛି । ଏଗୁଡିକ ତୁରନ୍ତ ପୂରଣ କରିବାପାଇଁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ବର୍ଷ ବର୍ଷ ଧରି କୁହାଯାଉଥିଲେ ବି କେବେ ସୁଦ୍ଧା ଏହି ସମସ୍ୟାର ସମାଧାନ ହେବ ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟଭାବେ କେହି କିଛି କହିପାରୁନାହାନ୍ତି ।

ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ ଶିକ୍ଷକ ପଦବୀ ଖାଲି ପଡିଥିବାବେଳେ ଉତ୍କଳ, ସମ୍ବଲପୁର, ବ୍ରହ୍ମପୁର, ଫକୀରମୋହନ, ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ, ଖଲିକୋଟ, ଗଙ୍ଗାଧର ମେହେର, ରମାଦେବୀ ଓ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ ଆଦିରେ ବି ଶିକ୍ଷକ ମରୁଡି ଅବସ୍ଥା ଉତ୍କଟତର । ସଂସ୍କୃତି ବିଭାଗ ନିୟନ୍ତ୍ରଣରେ ଥିବା ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ, କୃଷି ବିଭାଗ ନିୟନ୍ତ୍ରଣରେ ଥିବା ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଏବଂ ଦକ୍ଷତା ବିକାଶ ବିଭାଗ ନିୟନ୍ତ୍ରଣରେ ଥିବା ବିପିୟୁଟି ସମେତ ଏଗୁଡିକର ଅନୁବନ୍ଧିତ କଲେଜଗୁଡିକରେ ମଧ୍ୟ ଅବସ୍ଥା ସାଂଘାତିକ ।

ପୂର୍ବରୁ ରାଜ୍ୟ ସରକାରଙ୍କ ଖର୍ଚ୍ଚକାଟ ନୀତିର ଅନୁପାଳନ କରାଯାଇ ବିଶ୍ୱବିଦ୍ୟାଳୟଗୁଡିକରେ ପଦବୀ ଉଚ୍ଛେଦ ସହ ଖାଲି ପଦବୀ ପୂରଣ ଉପରେ ପ୍ରତିବନ୍ଧକ ରହିଥିଲା । ମଝିରେ ମଝିରେ ରାଜ୍ୟ ସରକାର ଯେତିକି ପଦବୀ ପୂରଣ ପାଇଁ ଅନୁମୋଦନ ଦେଉଛନ୍ତି ତାହା ଉପରେ ତ୍ରୁଟିପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଯୋଗୁଁ ରେଭେନ୍ସା ସମେତ ଅନେକ କ୍ଷେତ୍ରରେ ମାଲିମୋକଦ୍ଦମା ସୃଷ୍ଟିହୋଇ ପଦବୀ ପୂରଣ ହୋଇପାରୁ ନାହିଁ ।

ଗତବର୍ଷ ରାଜ୍ୟ ସରକାର ଆଇନ୍‍ରେ ସଂଶୋଧନ ଆଣି ବିଶ୍ୱବିଦ୍ୟାଳଗୁଡିକ ନିକଟରୁ ଶିକ୍ଷକ ନିଯୁକ୍ତି କ୍ଷମତା କାଢିନେଇ ରାଜ୍ୟ ଲୋକସେବା ଆୟୋଗ ଉପରେ ନ୍ୟସ୍ତ କରିଛନ୍ତି । ଅନ୍ୟ ସରକାରୀ କଲେଜର ଶିକ୍ଷକ ନିଯୁକ୍ତି ଭଳି ଏଣିକି ଆୟୋଗ ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି ପାଇଁ ପ୍ରାର୍ଥୀ ଚୟନ କରିବ । ଏହି ପ୍ରକ୍ରିୟାରେ କେବେ ସୁଦ୍ଧା ବିଭିନ୍ନ ବିଶ୍ୱବିଦ୍ୟାଳୟର ଭିନ୍ନ ଭିନ୍ନ ବିଷୟ ଲାଗି ସହକାରୀ ଅଧ୍ୟାପକ ନିଯୁକ୍ତି ସରିବ ତାହାର ସମୟସୀମା କେହି କହିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ସବୁ ବିଶ୍ୱବିଦ୍ୟାଳୟଗୁଡିକରେ ଅଣଶିକ୍ଷକ ପଦବୀମାନ ଖାଲି ପଡୁଥିବାରୁ ପରୀକ୍ଷା ପରିଚାଳନା ଠାରୁ ଆରମ୍ଭକରି ପ୍ରଶାସନିକ କାର୍ଯ୍ୟ ପର୍ଯ୍ୟନ୍ତ ବ୍ୟାହତ ହେଉଛି ।

କେବଳ ବିଶ୍ୱବିଦ୍ୟାଳୟ ନୁହେଁ, ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ କଲେଜଗୁଡିକରେ ଅନୁରୂପ ସମସ୍ୟା ଲାଗିରହିଛି । ସଂଖ୍ୟାଧିକ ସ୍ୱୟଂଶାସିତ ଓ ସରକାରୀ କଲେଜଗୁଡିକରେ ନିୟମିତ ଅଧ୍ୟକ୍ଷ ନାହାନ୍ତି । ଅନୁଦାନପ୍ରାପ୍ତ କଲେଜଗୁଡିକ ଭାରପ୍ରାପ୍ତ ଅଧ୍ୟକ୍ଷରେ ଚାଲିଛି । ଯୁକ୍ତ ଦୁଇ ସରକାରୀ କଲେଜଗୁଡିକର ବି ଅନୁରୂପ ଅବସ୍ଥା । ପଦୋନ୍ନତି ଭିତ୍ତିରେ ଏହି ପଦବୀ ସବୁ ପୂରଣ ହୋଇପାରୁନାହିଁ । ଏହାଚଡା କଲେଜଗୁଡିକରେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଅହେତୁକ ବିଳମ୍ବ ଘଟୁଛି ।

ସରକାରୀ ବୈଷୟିକ ଶିକ୍ଷାନୁଷ୍ଠାନରେ ଏହି ସମସ୍ୟା ଅତି ସାଂଘାତିକ ସ୍ତରରେ ରହିଛି । ତୁରନ୍ତ ପ୍ରାଥମିକ ବିଦ୍ୟାଳୟ ଠାରୁ ଆରମ୍ଭକରି ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ସ୍ତରରେ ଖାଲି ପଡିଥିବା ଶିକ୍ଷକ ଓ ଅଣଶିକ୍ଷକ ପଦବୀଗୁଡିକ ପୂରଣ ଉପରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ମହଲରୁ ବାରମ୍ବାର ଦାବି ଉଠୁଛି ।