Home Education ଉଚ୍ଚଶିକ୍ଷାରେ ଝିଅ ଆଗରେ

ଉଚ୍ଚଶିକ୍ଷାରେ ଝିଅ ଆଗରେ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଶେଷକରି ସ୍ନାତକୋତ୍ତର, ଏମ୍‍.ଫିଲ୍‍ ଓ ଇଣ୍ଟିଗ୍ରେଟେଡ ପାଠପଢାରେ ଓଡିଶାର ଝିଅମାନେ ପୁଅଙ୍କ ତୁଳନାରେ ଆଗରେ ଅଛନ୍ତି । ୨୦୧୯-୨୦ ବର୍ଷର ସର୍ଭଭାରତୀୟ ଉଚ୍ଚଶିକ୍ଷା ସର୍ଭେ ରିପୋର୍ଟରୁ ଏହି ତଥ୍ୟ ପଦାକୁ ଆସିଛି ।

ସର୍ଭେ ରିପୋର୍ଟ ଅନୁଯାୟୀ ରାଜ୍ୟର ବିଭିନ୍ନ ଉଚ୍ଚ ଶିକ୍ଷାନୁଷ୍ଠାନରେ ୭,୦୯,୩୬୩ ଜଣ ଛାତ୍ରଛାତୀ ଅଧ୍ୟୟନ କରୁଥିବାବେଳେ ଏଥିରୁ ସିଂହଭାଗ ଅର୍ଥାତ୍‍ ୪,୪୦,୪୩୮ଜଣ ଘରୋଇ ଶିକ୍ଷାନୁଷ୍ଠାନ କିମ୍ବା ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନରେ ପଢୁଛନ୍ତି । ସ୍ନାକୋତ୍ତର ପାଠ୍ୟକ୍ରମରେ ୫୦,୭୧୭ଜଣ ଛାତ୍ରୀ ନାମ ଲେଖାଇଥିବାବେଳେ ଛାତ୍ରଙ୍କ ସଂଖ୍ୟା ରହିଛି ୪୭,୮୩୮ ।

ସେହିଭଳି ୫୮୪ଜଣ ଛାତ୍ରୀ ଏମ୍‍.ଫିଲ୍‍ ପାଠ୍ୟକ୍ରମରେ ନାମ ଲେଖାଇଥିବାବେଳେ ଏଥିରେ ଛାତ୍ରଙ୍କ ସଂଖ୍ୟା ହେଉଛି ୪୧୯ । ବିଭିନ୍ନ ସାର୍ଟିଫିକେଟ ପାଠ୍ୟକ୍ରମରେ ମୋଟ୍‍ ୯୧୫୦ଜଣ ନାମଲେଖାଇଥିବାବେଳେ ଏମାନଙ୍କ ମଧ୍ୟରେ ଛାତ୍ରୀଙ୍କ ସଂଖ୍ୟା ୫୭୪୮ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୩୪୦୨ ରହିଛି । ଅନୁରୂପ ଭାବେ ଇଣ୍ଟିଗ୍ରେଟେଡ ପାଠ୍ୟକ୍ରମରେ ୪୪୫୨ଜଣ ପୁଅ ନାମ ଲେଖାଇଥିବାବେଳେ ଝିଅଙ୍କ ସଂଖ୍ୟା ଏହଠାରୁ ୬ଟି ଅଧିକ ରହିଛିା

ଉଚ୍ଚ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରଙ୍କ ତୁଳନାରେ ଛାତ୍ରୀଙ୍କ ସଂଖ୍ୟା ଅଧିକ ରହିଛି । କେବଳ ପି.ଜି ପାଠ୍ୟକ୍ରମରେ ୪୮୮୧ଜଣ ଛାତ୍ରୀ ଥିବାବେଳେ ଛାତ୍ରଙ୍କ ସଂଖ୍ୟା ୨୩୫୩ରହିଛି । ଏହି ସର୍ଭେରୁ ଜଣାଯାଇଛିଯେ ଓଡିଶାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ୧୧୫୯ଜଣ ବିଦେଶୀ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ସେମାନଙ୍କ ମଧ୍ୟରୁ ଛାତ୍ରୀମାନେ ଅଧିକ ସଂଖ୍ୟାରେ ଏମ୍‍.ଫିଲ୍‍, ପିଜି ଓ ୟୁଜି ପାଠ୍ୟକ୍ରମରେ ରହିଛନ୍ତି ।

ବିଭିନ୍ନ ବିଶ୍ୱବିଦ୍ୟାଳୟରେ ନାମଲେଖା ସୂଚୀରୁ ଜଣାଯାଇଛି ଯେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ୭୭୪ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିବାବେଳେ ମୁକ୍ତ ବିଶ୍ୱବିଦ୍ୟାଳୟରେ ୪୨,୨୧୫ଜଣ ଏବଂ ରାଜ୍ୟ ବିଶ୍ୱବିଦ୍ୟାଳୟରେ ୩୪,୩୫୨ଜଣ ନାମଲେଖାଇଛନ୍ତି । ଅନୁରୂପ ଭାବେ ରାଜ୍ୟସରକାରଙ୍କ ପରିଚାଳିତ ଡିମ୍‍ଡ ବିଶ୍ୱବିଦ୍ୟାଳୟରେ ୨୯୫୩ଜଣ ନାମ ଲେଖାଇଥିବାବେଳେ ଘରୋଇ ଡିମ୍‍ଡ ବିଶ୍ୱବିଦ୍ୟାଳୟରେ ୩୮,୯୭୭ଜଣ ପଢୁଛନ୍ତି ।

ରାଜ୍ୟରେ ଥିବା କଲେଜଗୁଡିକରେ ନାମଲେଖା ହାର ୨୦୧୯-୨୦ରେ ୬୮୨ ଥିବାବେଳେ ତାହା ୬୫୯କୁ ହ୍ରାସ ପାଇଛି । ସେହଭଳି ପି.ଏଚ୍‍ଡି, ଏମ୍‍.ଫିଲ୍‍ ଆଦିରେ ମଧ୍ୟ ନାମଲେଖା ହ୍ରାସ ପାଇଛି । ୨୦୧୮-୧୯ରେ ୩୭୨୨ଜଣ ପି.ଏଚ୍‍ଡିରେ ନାମ ଲେଖାଇଥିବାବେଳେ ୨୦୧୯-୨୦େରେ ତାହା ୩୩୪୬କୁ ହ୍ରାସ ପାଇଛି । ଏମ୍‍.ଫିଲ୍‍ ନାମଲେଖା ସଂଖ୍ୟା ବି ୧୧୬୧ରୁ ୧୦୬୩କୁ ହ୍ରାସପାଇଛି । ସମଗ୍ର ରାଜ୍ୟରେ ଉଚ୍ଚଶିକ୍ଷାରେ ନାମଲେଖା କ୍ଷେତ୍ରରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୨୦୧୯-୨୦ରେ ପ୍ରାୟ ଏକ ଲକ୍ଷ କମିଯାଇଛି ।

ଜାତୀୟ ସ୍ତରରେ ଉଚ୍ଚଶିକ୍ଷା କ୍ଷେତ୍ରରେ ନାମଲେଖାରେ ହାରାହାରି ଅନୁପାତ ୨୬.୩ ପ୍ରତିଶତରୁ ୨୭.୧ ପ୍ରତିଶତକୁ ବୃଦ୍ଧି ପାଇଥିବାବେଳେ ଓଡିଶାରେ କିନ୍ତୁ ଏହା ୨୨.୧ ପ୍ରତିଶତରୁ ୨୧.୭ ପ୍ରତିଶତକୁ ହ୍ରାସ ପାଇଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଛାତ୍ର ଶିକ୍ଷକଙ୍କ ଅନୁପାତ ଜାତୀୟ ସ୍ତରରେ ହାରାହାରି ୨୬ ଥିବାବେଳେ ଓଡିଶାରେ ଏହା ୨୭ରୁ ୨୦୧୯-୨୦ରେ ୨୫କୁ ହ୍ରାସପାଇଛି ।

ଓଡିଶାରେ ମୋଟ୍‍ ୩୨ଟି ବିଶ୍ୱବିଦ୍ୟାଳୟ ଥିବାବେଳେ ଏଥିରୁ ୧୬ଟି ସରକାରୀ, ୬ଟି ଘରୋଇ, ୫ଟି ଜାତୀୟ ସ୍ତରର, ୩ଟି ଘରୋଇ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଏବଂ ଗୋଟିଏ କରି କେନ୍ଦ୍ରୀୟ ଓ ମୁକ୍ତ ବିଶ୍ୱବିଦ୍ୟାଳୟ ରହିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here