Home General ଇ-ଶୌଚାଳୟରେ ଲୋକଙ୍କ ପାଦ ପଡୁନି

ଇ-ଶୌଚାଳୟରେ ଲୋକଙ୍କ ପାଦ ପଡୁନି

ଭୁବନେଶ୍ୱର : ସ୍ମାର୍ଟସିଟି ଭୁବନେଶ୍ୱରରେ ପ୍ରତିଷ୍ଠା ହୋଇଥିବା ଇ-ଶୌଚାଳୟ ଯୋଜନା ଏବେ ବାଟବଣା । ଏଠାକୁ ଲୋକେ ପାଦ ପକାଉନଥିବାବେଳେ ଶୌଚାଳୟ ଭିତରୁ ଅଧିକାଂଶ ସାମଗ୍ରୀ ଚୋରି ହୋଇଗଲାଣି । ସଞ୍ଜ ନଇଁଲେ ଏହା ଏବେ ନିଶାସେବନର ପ୍ରମୁଖ ସ୍ଥାନ ପାଲଟିଛି ।

୨୦୧୮ ମସିହାରେ ୩୦ଟି ଇ-ଶୌଚାଳୟ ନିର୍ମାଣ ପାଇଁ ଯୋଜନା ହୋଇଥିଲା । ସ୍ୱୟଂକ୍ରିୟ ଭାବେ କାର୍ଯ୍ୟ କରୁଥିବା ଏହି ଶୌଚାଳୟରୁ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୨୦ଟି ପ୍ରତିଷ୍ଠା ହୋଇଥିଲା । ତେବେ ଅନୁଗୁଳ ସହରରେ ମଧ୍ୟ ଜିଲ୍ଲା ଖଣିଜ ପାଣ୍ଠି ଅର୍ଥରେ ବି ସମାନ ଧରଣର ଶୌଚାଳୟ ନିର୍ମାଣ ହୋଇଛି । ଏଥିରେ ଥିବା ବ୍ୟବସ୍ଥା ଅନୁଯାୟୀ ଜଣେ ବ୍ୟକ୍ତି ସୁଇଚ୍‍ ଚିପି ଏହା ଭିତରକୁ ପ୍ରବେଶ କରିବାପରେ ଏହା ଚାଏଁ ଛାଏଁ ବନ୍ଦ ହେବ ଏବଂ ନାଲିବତୀ ଜଳିଉଠିବ । ନାଲିବତୀ ଦେଖିଲାପରେ କେହି ଜଣେ ଭିତରେ ରହିଛି ବୋଲି ବାହାରେ ଥିବା ଜାଣିବ । ଏହା ଶୀତତାପ ନିୟନ୍ତ୍ରିତ ସହିତ ଭିତରେ ବେସିନ୍‍, ହାତଧୁଆ ସାମଗ୍ରୀ ଓ କମୋଡ ଆଦି ରହିଥିଲା । ଏହା ସମ୍ପୂର୍ଣ୍ଣ ଷ୍ଟିଲରେ ନିର୍ମିତ ହୋଇଛି ।

ରାଜଧାନୀରେ ୨୦ଟି ଇ-ଶୌଚାଳୟ ପାଇଁ ୨କୋଟି ୫୮ଲକ୍ଷ ଟଙ୍କା ବ୍ୟୟ ହୋଇଥିବାବେଳେ ଏଥିରୁ ଏବେ ଅନେକ ଭାଙ୍ଗିରୁଜି ଗଲାଣି । ଲୋକେ ଏହା ନିକଟରେ ଖୋଲାରେ ପରିସ୍ରା କରୁଥିବାବେଳେ ଭିତରକୁ ଯାଉ ନାହାନ୍ତି । ତେବେ ଅନୁଧ୍ୟାନରୁ ଜଣାଯାଇଛି ଯେ ଏହି ଅତ୍ୟାଧୁନିକ ଶୌଚାଳୟ ଭିତରେ ଲାଗିଥିବା ଷ୍ଟିଲର ବେସିନ୍‍ ଠାରୁ ଆରମ୍ଭକରି ଅନ୍ୟାନ୍ୟ ସାମଗ୍ରୀକୁ ଚୋରମାନେ ନେଇ ଗଲେଣି । କେତେକ ସ୍ଥାନରେ ଜଳ ଯୋଗାଣ ବ୍ୟବସ୍ଥା ବି ଅଚଳ ।

ଶୌଚାଳୟ ଭିତର ଏଭଳି ଅବସ୍ଥା ହୋଇଛି ଯେ ଲୋକେ ଦେଖିଲେ ତାହା ଭିତରକୁ ପାଦ ପକାଉ ନାହାନ୍ତି । ରାଜଧାନୀର ୨୦ଟି ସ୍ଥାନରେ ଦୁଇଟି କରି ଶୌଚାଳୟ ନିର୍ମାଣ ହୋଇଛି । ଗୋଟିଏ ପୁରୁଷ ଓ ଅନ୍ୟଟି ମହିଳାଙ୍କ ପାଇଁ ହେଲେ ମହିଳା ତ ଦୂରରକଥା ପୁରୁଷମାନେ ବି ଏହାକୁ ବ୍ୟବହାର କରିବାକୁ ଆଗପଛ ହେଉଛନ୍ତି । ଶୌଚାଳୟ ଭିତରେ ଦରପୋଡା ବିଡି, ସିଗାରେଟ, ଦିଆସିଲି କାଠି ଆଦି ଜମା ହୋଇଛି । ତେଣୁ ଏହା ଭିତରେ ଯେ ନିଶାଡିମାନେ ଆଡ୍ଡା ଜମାଉଛନ୍ତି ତାହା ନିଶ୍ଚିତ ହେଉଛି ।

ଇ-ଶୌଚାଳୟ ନିର୍ମାଣ ପୂର୍ବରୁ ବିଏମ୍‍ସି ପକ୍ଷରୁ ରାଜଧାନୀର ବିଭିନ୍ନ ସ୍ଥାନରେ ଶୌଚାଳୟ ନିର୍ମାଣ ହୋଇଥିଲା । ହେଲେ ଏହା କେବଳ ଗାଡିଚାଳକ ଓ ରାଜଧାନୀକୁ ବାହାରୁ ଆସୁଥିବା ଲୋକଙ୍କ ବ୍ୟବହାରରେ ଲାଗୁଛି । ରାଜଧାନୀବାସୀ ଏହାକୁ ସେଭଳି ବ୍ୟବହାର କରନ୍ତି ନାହିଁ । ତେଣୁ ଏଭଳି ସ୍ଥିତିରେ ଇ-ଶୌଚାଳୟ ନିର୍ମାଣ କରି କେବଳ ରାଜକୋଷ ଅର୍ଥ ପାଣିରେ ପଡିଲା ବୋଲି କୁହାଯାଉଛି । (ତଥ୍ୟ)