Home General ଇ-ଜିଲ୍ଲାରୁ ମିଳୁନି ସୁଫଳ

ଇ-ଜିଲ୍ଲାରୁ ମିଳୁନି ସୁଫଳ

ଭୁବନେଶ୍ୱର : ଲୋକଙ୍କ ହାତ ପାଆନ୍ତାରେ ବିଭନ୍ନ ସରକାରୀ ସେବା ଯୋଗାଇ ଦେବାପାଇଁ ରାଜ୍ୟ ସରକାର ଆରମ୍ଭ କରିଥିବା ଇ-ଜିଲ୍ଲାରୁ ଲୋକେ ଆଉ ପୂର୍ବଭଳି ସୁଫଳ ପାଉନାହାନ୍ତି । ବିଶେଷକରି ଏନ୍‍ଆଇସି ହାତକୁ ଏହା ଯିବାପରେ ବିଭିନ୍ନ ଜିଲ୍ଲାରୁ ସେବା ବିଭ୍ରାଟ ଅଭିଯୋଗମାନ ଆସିବାରେ ଲାଗିଛି ।

ଜନ୍ମ, ମୃତ୍ୟୁ ପ୍ରମାଣପତ୍ର, ବାସସ୍ଥାନ, ଜାତି, ଆୟ ଆଦି ସାର୍ଟିଫିକେଟ ପାଇଁ ଲୋକେ ସରକାରୀ ଦପ୍ତରକୁ ନଦଉଡି ନିଜ ଘର ପାଖରେ ଥିବା ଜନସେବା କେନ୍ଦ୍ରରୁ କିଭଳି ଏହା ପାଇପାରିବେ ସେଥିପାଇଁ ୨୦୧୦-୧୧ ବର୍ଷରେ ଆରମ୍ଭ ହୋଇଥିଲା ଇ-ଜିଲ୍ଲା କାର୍ଯ୍ୟକ୍ରମ । ପ୍ରଥମ ଦଫାରେ ୭ଟି ସେବାକୁ ଏଥିରେ ସାମିଲ କରାଯାଇଥିବାବେଳେ ପରବର୍ତ୍ତୀ ସମୟରେ ସେବା ସଂଖ୍ୟା ବୃଦ୍ଧି ପାଇଥିଲା । ଓଡିଶା କମ୍ପ୍ୟୁଟର ଆପ୍ଲିକେସନ ସେଣ୍ଟର (ଓକାକ) ଏହାକୁ ବିକଶିତ କରିବା ସହିତ ରକ୍ଷଣା ବେକ୍ଷଣ କରୁଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି ଯେ ଓଡିଶା ରାଇଟ ଟୁ ସର୍ଭିସ ଆକ୍ଟ ଅନୁଯାୟୀ ଲୋକଙ୍କୁ ସେବା ଯୋଗାଯାଇ ପାରୁଥିଲା । ସରକାରଙ୍କ ଦ୍ୱାରା ଧାର୍ଯ୍ୟ ସମୟରେ ସେବା ନମିଳିଲେ ଜୋରିମାନା ଭୟ ଥିବାରୁ ଜିଲ୍ଲା ସ୍ତରରେ ଥିବା କର୍ମଚାରୀମାନେ ତୁରନ୍ତ ଆବେଦନଗୁଡିକର ସମାଧାନ କରୁଥିଲେ । ଫଳରେ ଗାଁ ଗହଳର ଲୋକେ ଇ-ଜିଲ୍ଲା ପ୍ରକଳ୍ପରୁ ଉତ୍ତମ ସେବା ପାଇପାରୁଥିଲେ ।

ତେବେ ୨୦୧୮ ମସିହାରେ ଓକାକ୍‍ କର୍ତ୍ତୃପକ୍ଷ ଏହାକୁ ଏନ୍‍ଆଇସିକୁ ହସ୍ତାନ୍ତର କରିଦେଲେ । ଏନ୍‍ଆଇସିର ସର୍ଭିସ ପ୍ଲାଟଫର୍ମରେ ଏହି ସେବା ଯୋଗାଣ ପାଇଁ ସ୍ଥିର ହେବା ସହିତ ଏଥିପାଇଁ ରାଜ୍ୟ ସରକାର ଏନ୍‍ଆଇସିକୁ ଏକ କୋଟିରୁ ଅଧିକ ଟଙ୍କା ପ୍ରଦାନ କରିଥିଲେ । ତେବେ ଏନ୍‍ଆଇସି ହାତକୁ ଇ-ଜିଲ୍ଲା ଯିବାପରେ ଏବେ ଅନେକ ବିଭ୍ରାଟ ଦେଖା ଦେଇଛି । ସାଧାରଣ ଲୋକେ ତ ଦୂରରକଥା ସରକାରୀ ବାବୁମାନେ ପୂର୍ବଭଳି ଏହାକୁ ଚଳାଇ ନପାରି ମାଳ ମାଳ ଅଭିଯୋଗ ପଠାଇପାରେ ଲାଗିଛନ୍ତି । ସେବା ସଂଖ୍ୟା ବଢିଥିବାବେଳେ ଅଭିଯୋଗ ସଂଖ୍ୟା ବି ବଢିବାରେ ଲାଗିଛି ।

ତେବେ ଏନ୍‍ଆଇସି ହାତକୁ ଯିବାପରେ ଏଭଳି ବିଭ୍ରାଟ ଦେଖା ଦେଇଥିବାବେଳେ ସୁରୁଖୁରୁରେ ଚାଲିଥିବା ଇ-ଜିଲ୍ଲାକୁ କାହିଁକି ଓକାକ୍‍ କର୍ତ୍ତୃପକ୍ଷ ଏନ୍‍ଆଇସି ହାତକୁ ଟେକିଦେଲେ ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏଥିପାଇଁ ରାଜକୋଷରୁ କୋଟିଏ ଟଙ୍କା ବ୍ୟୟ ହୋଇଥିବାବେଳେ ଯେଭଳି ସୁଫଳ ମିଳିବା କଥା ତାହା ମିଳିପାରୁ ନାହିଁ । ଏଥିରୁ ସେବା ମିଳିବା ତ ଦୂରରକଥା, ଏଥିରେ ଲଗ୍‍ ଇନ୍‍ ଓ ପାସ୍‍ୱାର୍ଡ ବାରମ୍ବାର ଦେଲାପରେ ବି ଆବେଦନ କରିବାର ପେଜ୍‍ ଖୋଲୁନଥିବା ଦେଖିବାକୁ ମିଳୁଛି ।

ଇ-ଜିଲ୍ଲାରେ ସେବା ଯୋଗାଣ ପାଇଁ କ୍ଷେତ୍ରସ୍ତରୀୟ ଅଧିକାରୀମାନେ ଆଗ୍ରହୀ ଥିବାବେଳେ ସଫ୍ଟୱେରରେ ସମସ୍ୟା ଯୋଗୁଁ ସେମାନେ ବି ନାଚାର ହୋଇପଡୁଛନ୍ତି । ଫଳରେ ଲୋକଙ୍କୁ ଆଉ ପୂର୍ବଭଳି ଓଡିଶା ସେବା ଅଧିକାର ଆଇନ୍‍ ବଳରେ ଧାର୍ଯ୍ୟ ସମୟରେ ସେବା ମିଳିପାରୁ ନାହିଁ ।