Home Education ଇସ୍ରୋ ଓ ନାସା ଯିବେ ଓଡ଼ିଶାର ଛାତ୍ରଛାତ୍ରୀ

ଇସ୍ରୋ ଓ ନାସା ଯିବେ ଓଡ଼ିଶାର ଛାତ୍ରଛାତ୍ରୀ

ଭୁବନେଶ୍ୱର : ବିଜ୍ଞାନ ଶିକ୍ଷାକୁ ଅଧିକ ସଶକ୍ତ କରିବା ପାଇଁ ବିଜ୍ଞାନ ଓ କାରିଗରୀ ବିଭାଗ ପକ୍ଷରୁ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ପରିଦର୍ଶନ କରିବା ନିମନ୍ତେ ‘ଇସ୍ରୋ’ ଓ ‘ନାସା’କୁ ପଠାଇବା ପାଇଁ ପଦକ୍ଷେପ ନିଆଯାଉଛି ବୋଲି ବିଜ୍ଞାନ ଓ କାରିଗରୀ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ଓଡ଼ିଶା ବିଜ୍ଞାନ ଏକାଡେମୀର ପ୍ରତିଷ୍ଠା ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟରେ ‘ମୋ ସ୍କୁଲ’ ଯୋଜନାରେ ଆଦର୍ଶ ବିଦ୍ୟାଳୟଗୁଡ଼ିକର ବିଜ୍ଞାନ ଓ ଗଣିତ ଶିକ୍ଷକମାନଙ୍କୁ ଉଚ୍ଚତର ତାଲିମ ଦିଆଯିବା ସହିତ ଛାତ୍ରଛାତ୍ରୀମାନଙ୍କୁ ବିଜ୍ଞାନ ଶିକ୍ଷା ପ୍ରତି ଅଧିକ ଆକୃଷ୍ଟ କରିବା ନିମନ୍ତେ ସରକାର କାର୍ଯ୍ୟ କରୁଛନ୍ତି ।

ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞାନର ଲୋକପି୍ରୟତା ବୃଦ୍ଧି ଓ ଉପଯୋଗର ପ୍ରସାର ନିମନ୍ତେ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ରାଜ୍ୟର ସମସ୍ତ ଜିଲ୍ଲାରେ ବିଜ୍ଞାନ କେନ୍ଦ୍ର ଏବଂ ୬ଟି ଜିଲ୍ଲାରେ ପ୍ଲାନେଟୋରିୟମ୍‌ ପ୍ରତିଷ୍ଠା କରାଯିବ ବୋଲି ସେ ଉଲ୍ଲେଖ କରିଥିଲେ ।

ଏହି ସମାରୋହରେ ଆଞ୍ଚଳିକ ଭେଷଜ ବିଜ୍ଞାନ ପ୍ରତିଷ୍ଠାନର ନିର୍ଦ୍ଦେଶିକା ଡ. ସଂଘମିତ୍ରା ପତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ୟ ରଖିଥିବାବେଳେ ଏକାଡେମୀର ସଭାପତି ପ୍ରଫେସର ବିଭୂତିଭୂଷଣ ମିଶ୍ର ଅଧ୍ୟକ୍ଷତା କରିଥିଲେ । ଖ୍ୟାତିସଂପନ୍ନ ବୈଜ୍ଞାନିକ ପ୍ରଫେସର ରମେଶ ଚନ୍ଦ୍ର ପରିଡ଼ା, ଡ. ବେଦାଙ୍ଗ ଦାସ ମହାନ୍ତି, ପ୍ରଫେସର ଜ୍ୟୋତିର୍ମୟୀ ଦାଶ, ଡ. ଜ୍ୟୋତିରଞ୍ଜନ ଏସ୍‌. ରାୟ, ଡ. ମାମୋନୀ ଦାଶ ଓ ପ୍ରଫେସର ନାରାୟଣ ପ୍ରଧାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉପଢୌକନ ସହ ମନ୍ତ୍ରୀ ଶ୍ରୀ ପଣ୍ଡା ସମ୍ମାନିତ କରିଥିଲେ ।

ଏକାଡେମୀ ଦ୍ୱାରା ପ୍ରକାଶିତ ‘ବିଜ୍ଞାନ ଦିଗନ୍ତ’(ଓଡ଼ିଆ) ଓ ‘ସାଇନ୍ସ ହୋରାଇଜନ୍‌’(ଇଂରାଜୀ) ପତି୍ରକା ଉନ୍ମୋଚିତ ହୋଇଥିଲା । ପୂର୍ବରୁ ଅନୁଷ୍ଠିତ ପ୍ରବନ୍ଧ, ପ୍ରକଳ୍ପ ନିର୍ମାଣ, ତର୍କ, ଚିତ୍ରାଙ୍କନ ଏବଂ କୁଇଜ୍‌ ପ୍ରତିଯୋଗିତାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଏହା ପୂର୍ବରୁ ଦୁଇଦିନ ଧରି ବିଜ୍ଞାନ ଶିକ୍ଷକ ଓ ଛାତ୍ରଛାତ୍ରୀମାନଙ୍କ ଭାବବିନିମୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।