Home Industry ଇସ୍ପାତ କାରଖାନା ପାଇଁ ସବୁ ସହାୟତା ମିଳିବ

ଇସ୍ପାତ କାରଖାନା ପାଇଁ ସବୁ ସହାୟତା ମିଳିବ

ଭୁବନେଶ୍ୱର : କେନ୍ଦ୍ରାପଡା ଜିଲ୍ଲାରେ ଆର୍ସେଲର ମିତ୍ତଲ ନିପନ ଷ୍ଟିଲ ଇଣ୍ଡିଆ ଦ୍ୱାରା ପ୍ରସ୍ତାବିତ ଇସ୍ପାତ କାରଖାନା ଶୀଘ୍ର ପ୍ରତିଷ୍ଠା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ । ଆର୍ସେଲର ମିତ୍ତଲ ପକ୍ଷରୁ ଏଠାରେ ୧,୦୨,୨୭୫ କୋଟି ଟଙ୍କା ବ୍ୟୟରେ ବାର୍ଷିକ ୨୪ ନିୟୁତ ମେଟ୍ରିକ ଟନ୍‍ ଇସ୍ପାତ ଉତ୍ପାଦନ କ୍ଷମତାର କାରଖାନା ୨୦୨୭ ସୁଦ୍ଧା ପ୍ରତିଷ୍ଠା ପାଇଁ ଯୋଜନା ରଖିଛି ।

ଚଳିତବର୍ଷ ମାର୍ଚ୍ଚ ମାସରେ କମ୍ପାନୀ ପକ୍ଷରୁ ଇସ୍ପାତ କାରଖାନା ପ୍ରତିଷ୍ଠା ପାଇଁ ରଜ୍ୟ ସରକାରଙ୍କ ସହ ରାଜିନାମା ସ୍ୱାକ୍ଷର ହୋଇଥିଲା । ଏତେ ବଡ ପୁଞ୍ଜି ନିବେଶ ଦୃଷ୍ଟିରୁ ରାଜ୍ୟ ସରକାର ଏହାର କାର୍ଯ୍ୟକାରୀ ଉପରେ ଗୁରୁତ୍ୱ ଦେଉଛନ୍ତି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରାଳୟରେ ଭିତରକନିକା ଇଏସ୍‍ଜେଡ୍‍ ଏବଂ ଗହୀରମଥା ଅଭ୍ୟାରଣ୍ୟ ବିଜ୍ଞପ୍ତି ମଞ୍ଜୁରୀ ଅପେକ୍ଷାରେ ପଡି ରହିଛି । ଏହି ମଞ୍ଜୁରୀ କିଭଳି ତୁରନ୍ତ ମିଳିବ ସେଥିପାଇଁ ରାଜ୍ୟ ସରକାର ମନ୍ତ୍ରାଳୟ ସହ ଖୁବ୍‍ଶୀଘ୍ର ଯୋଗାଯୋଗ କରିବେ ।

ନିକଟରେ ଜଣେ ବରିଷ୍ଠ ମନ୍ତ୍ରୀ କେନ୍ଦ୍ର ସରକାରଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିବାବେଳେ କେନ୍ଦ୍ରର ସକରାତ୍ମକ ମନୋଭାବ ମିଳିଥିବା ଜଣାଯାଇଛି । କୋଭିଡ ମହାମାରୀ ପରବର୍ତ୍ତୀ ସମୟରେ ରାଜ୍ୟ ସରକାର ପୁଞ୍ଜିନିବେଶ ଓ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେଉଥିବାରୁ ଏହା ସମ୍ଭବ ହୋଇଛି । ଗତ କିଛିବର୍ଷ ଧରି ଓଡିଶା ଦ୍ରୁତ ଶିଳ୍ପାୟତ କ୍ଷେତ୍ରରେ ଅଗ୍ରଣୀ ରାଜ୍ୟ ହୋଇଥିବାବେଳେ ବିଗତ ୨ବର୍ଷରେ ମହାମାରୀ ସତ୍ୱେ ରାଜ୍ୟକୁ ୪ଲକ୍ଷ କୋଟି ଟଙ୍କାର ନିବେଶ ଆସିଛି ।

ନିବେଶକାରୀମାନେ ଓଡିଶାରେ ଖଣିଜ ଶିଳ୍ପ, ଶକ୍ତି, ସିମେଣ୍ଟ, ବୟନଶିଳ୍ପ, ପେଟ୍ରୋକେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ ଏବଂ ପର୍ଯ୍ୟଟନ ଆଦି କ୍ଷେତ୍ରରେ ପୁଞ୍ଜି ଖଟାଇବାକୁ ଆଗ୍ରହ ପ୍ରକାଶ କରୁଛନ୍ତି । ତେବେ ପ୍ରକଳ୍ପଗୁଡିକ କାର୍ଯ୍ୟକାରୀ ପାଇଁ ଠିକଣା ସମୟରେ ପରିବେଶ ଅନୁମତି ପାଇଁ ରାଜ୍ୟ ସରକାର କେନ୍ଦ୍ରର ସହାୟତା ଆବଶ୍ୟକ କରୁଚନ୍ତି ।

ଇସ୍ପାତ ପ୍ରକଳ୍ପ ପାଇଁ ଅତି କମ୍‍ରେ ୪୦୦୦ ଏକରର ସରକାରୀ ଓ ଘରୋଇ ଜମି ଅଧିଗ୍ରହଣ ହୋଇଛି । ଇତି ମଧ୍ୟରେ ଇସ୍ପାତ ପ୍ରକଳ୍ପ ପାଇଁ କମ୍ପାନୀ ମଧ୍ୟରୁ ସମ୍ଭାବ୍ୟ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ ହୋଇଛି । ଆର୍ସେଲର ମିତ୍ତଳ ନିପନ ଷ୍ଟିଲ କାରଖାନା ପ୍ରତିଷ୍ଠା ଦ୍ୱାରା କେନ୍ଦ୍ରାପଡା ସମେତ ସମଗ୍ର ରାଜ୍ୟରେ ନିଯୁକ୍ତି ଓ ଆର୍ଥିକ ବିକାଶରେ ଏହା ପ୍ରମୁଖ ଭୂମିକା ଗ୍ରହଣ କରିବ । ଇସ୍ପାତ କାରଖାନା ପ୍ରତିଷ୍ଠା କରୁଥିବା କମ୍ପାନୀ ହେଉଛି ଆର୍ସେଲର ମିତ୍ତଲ ଏବଂ ଜାପାନର ନିପନ ଷ୍ଟିଲର ମିଳିତ ଉଦ୍ୟୋଗ ।

କମ୍ପାନୀ ନିକଟରେ ଦୁଇଟି ଲୁହାପଥର ଖଣି ରହିଛି । ଏଥି ମଧ୍ୟରେ ୧୭୯.୨୬ ନିୟୁତ ଟନ୍‍ ମହଜୁଦ ଥିବା ଠାକୁରାଣୀ ବ୍ଲକ ଏବଂ ୭୮.୨୪ ନିୟୁତ ଟନ୍‍ ମହଜୁଦ ଥିବା ଘୋରବୁରାହଣି-ଶାଗସାହୀ ଲୁହାପଥର ବ୍ଲକ । ତେଣୁ କମ୍ପାନୀକୁ ଲୁହାପଥର ସମସ୍ୟାର ସମ୍ମୁଖୀନ ହେବାର ନାହିଁ । ବିଶ୍ୱ ଇସ୍ପାତ ଚାହିଦାକୁ ମେଣ୍ଟାଇବାପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ୨୦୩୦ ସୁଦ୍ଧା ଦେଶରେ ବାର୍ଷିକ ୩୦୦ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନର ଲକ୍ଷ୍ୟ ରଖିଥିବାବେଳେ ଏଥିରୁ କେବଳ ୧୦୦ ନିୟୁତ ଟନ୍‍ ଓଡିଶାରୁ ରହିଛି । (ତଥ୍ୟ)