Home Administration ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡିକଲ

ଇସ୍ପାତ ଓ ଖଣି ବିଭାଗକୁ ଗଲା ଇଡିକଲ

ଭୁବନେଶ୍ୱର :ରାଜ୍ୟରେ ଶିଳ୍ପ ତଥା ନିଯୁକ୍ତି ସୁଯୋଗ ସୃଷ୍ଟି ଉଦ୍ଦେଶ୍ୟରେ ତଥା ଶିଳ୍ପସଂସ୍ଥାଗୁଡିକୁ ପ୍ରୋତ୍ସାହନ, ସ୍ଥାପନ ଏବଂ ପରିଚାଳନା ନିମନ୍ତୋ ୧୯୬୨ ମସିହାରେ ଓଡିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ (ଇଡିକଲ) ପ୍ରତିଷ୍ଠା କରାଯାଇଥିଲା । ଏହାର କାର୍ଯ୍ୟକଳାପ ଆଧାରରେ ତାହାକୁ ଶିଳ୍ପ ବିଭାଗ ନିକଟରୁ ଇସ୍ପାତ ଓ ଖଣି ବିଭାଗକୁ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ନିଆଯାଇଛି ।

କ୍ୟାବିନେଟ୍‍ ନିଷ୍ପତ୍ତି ସଂକ୍ରାନ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇ କହିଛନ୍ତି ଯେ ଅର୍ଦ୍ଧ ଶତାବ୍ଦୀର ଅଧିକ ସମୟ ଧରି ରାଜ୍ୟରେ ଶିଳ୍ପାୟନ ଏବଂ ପରିଚାଳନାରେ ଏହା ନିଜର ଉତ୍କର୍ଷ ପ୍ରତିପାଦିତ କରିପାରିଛି । ପରିବର୍ତ୍ତିତ ସମୟରେ ରାଜ୍ୟରେ ଶିଳ୍ପଭିତ୍ତିକ ଅର୍ଥନୀତି ସହିତ ତାଳଦେଇ ଆବଶ୍ୟକତା ଅନୁସାରେ ଇଡିକଲ ଏହାର ମାନବ ସମ୍ବଳ,ବ୍ୟବସାୟ ଓ କାର୍ଯ୍ୟାନ୍ୱୟନକୁ ପୁନର୍ବିନ୍ୟାସ କରିଅଛି ।

ଇଡିକଲର ବର୍ତ୍ତମାନର କାର୍ଯ୍ୟକଳାପ ମୁଖ୍ୟତଃ ଖଣିଭିତ୍ତିକ ଏବଂ କିଛି ମାତ୍ରାରେ ଶିଳ୍ପଭିତ୍ତିକ ଅଟେ । ବିଗତ କିଛିବର୍ଷ ଧରି ଇଡିକଲ ଚୂନପଥର ଖଣି, ଲୁହାପଥର ଖଣି, ମାଙ୍ଗାନିଜ ଖଣି ଏବଂ କ୍ରୋମାଇଟ୍‍ ଖଣି କାର୍ଯ୍ୟ ସମ୍ପାଦନ କରିଆସୁଛି । ଇଡିକାଲ ବର୍ତ୍ତମାନ ଖଣିଜ ଭିତ୍ତିକ ଶିଳ୍ପଗୁଡିକର ମୂଳ କାର୍ଯ୍ୟକଳାପକୁ ଏକୀଭୂତ କରିବା ଧ୍ୟାନ ଦେଉଛି ।

ଯେହେତୁ ଇଡିକଲର ମୂଳ ଉଦ୍ଦେଶ୍ୟ ବର୍ତ୍ତମାନ ଖଣି କ୍ଷେତ୍ରକୁ ପରିବର୍ତ୍ତିତ ହୋଇଅଛି, ଓଡିଶା ସରକାରୀ କାର୍ଯ୍ୟ ନିୟମାବଳୀରେ ସଂଶୋଧନ ପୂର୍ବକ ଓଡିଶା ଶିଳ୍ପ ଉନ୍ନୟନ ନିଗମ ଲିମିଟେଡ (ଇଡିକଲ) ବିଷୟଟିକୁ ଶିଳ୍ପ ବିଭାଗର ଠାରୁ ଇସ୍ପାତ ଏବଂ ଖଣି ବିଭାଗକୁ ସ୍ଥାନନ୍ତର କରିବା ନିମନ୍ତେ ପ୍ରସ୍ତାବଟି ମନ୍ତ୍ରୀମଣ୍ଡଳର ଅନୁମୋଦନ ଲାଭ କରିଛି ।