Home General ଇଭି ମୁହାଁ ଆଇଟି ବିଭାଗ

ଇଭି ମୁହାଁ ଆଇଟି ବିଭାଗ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ଓ ସଂସ୍ଥାରେ ବିଦ୍ୟୁତ୍‍ ଚାଳିତ ଗାଡି (ଇଭି) ଚଳାଇବାପାଇଁ ସରକାର ନିଷ୍ପତ୍ତି ନେବାପରେ ଏବେ ବିଭାଗମାନେ ଏ ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି । ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ସୂଚନା ଓ ପ୍ରଯୁକ୍ତିବିଦ୍ୟା ବିଭାଗ ।

ଏହି ବିଭାଗ ଅଧିନରେ ଥିବା ଓଡିଶା କମ୍ପ୍ୟୁଟର ଆପ୍ଲିକେଶନ ସେଣ୍ଟର (ଓକାକ) କର୍ତ୍ତୃପକ୍ଷ ଏବେ ୩ଟି ଇଭି କିଣିବାପାଇଁ ଆଗ୍ରହ ପ୍ରକାଶ କରିବା ସହ ଟାଟା କମ୍ପାନୀ ସହିତ ଯୋଗାଯୋଗ କରିଛନ୍ତି । ମେକ୍‍ ଇନ୍‍ ଇଣ୍ଡିଆକୁ ଗୁରୁତ୍ୱ ଦେଇ ଓକାକ ଟାଟା କମ୍ପାନୀ ପ୍ରସ୍ତୁତ ଇଭି କିଣିବାପାଇଁ ଆଗ୍ରହ ଦେଖାଇଥିବାବେଳେ ଇତି ମଧ୍ୟରେ ଟାଟା ମୋଟର୍ସର କର୍ତ୍ତୃପକ୍ଷ ଆସି ପ୍ରାରମ୍ଭିକ ଆଲୋଚନା କରିଥିବା ଜଣାଯାଇଛି ।

ଉଲ୍ଲେଖନୀୟ ଯେ ଓକାକ୍‍ ପରିସରରେ ଇତି ମଧ୍ୟରେ ଅତ୍ୟାଧୁନିକ ଇଭି ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ହୋଇଛି । ବିଦ୍ୟୁତ୍‍ ବଣ୍ଟନ କମ୍ପାନୀ ଟିପିଡିଓସିଏଲ୍‍ ସହାୟତାରେ ପ୍ରତିଷ୍ଠା ହୋଇଥିବା ଏହି ଚାର୍ଜିଂ ଷ୍ଟେସନରେ କେବଳ ଚାରିଚକିଆ ଇଭି ଚାର୍ଜିଂର ସୁବିଧା ରହିଛି । ଓକାକ ଟାୱାରରେ ଥିବା ବିଭିନ୍ନ ସଂସ୍ଥାର କାର୍ଯ୍ୟରତ କିଛି ଅଧିକାରୀ ଇଭି ଖରିଦ କରିଥିବାବେଳେ ଏଠାରେ ଚାର୍ଜିଂ ସୁବିଧା ପାଉଛନ୍ତି । ବାହାରର ଗାଡିମାଲିକମାନେ ମଧ୍ୟରେ ଏଠାରେ ନିଜ ନିଜ ଗାଡି ଚାର୍ଜିଂ କରିପାରୁଛନ୍ତି ।

ତେବେ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ଇତି ମଧ୍ୟରେ ସରକାରୀ ବିଭାଗ ଓ ସଂସ୍ଥାଗୁଡିକରେ ଇଭି ଯାନ ଖରିଦ, ଭଡାରେ ଆଣି ଚଳାଚଳ କରିବା ଓ ଏହାର ରକ୍ଷଣା ବେକ୍ଷଣ ବାବଦରେ କେତେ ଖର୍ଚ୍ଚ ହେବ ତାହା ଆକଳନ କରି ଜଣାଇବାକୁ ପରିବହନ ବିଭାଗକୁ କୁହାଯାଇଛି । କାରଣ ବର୍ତ୍ତମାନ ସୁଦ୍ଧା ପେଟ୍ରୋଲ ଓ ଡିଜେଲ ଗାଡିର ଭଡା ଓ ରକ୍ଷଣା ବେକ୍ଷଣ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା ରହିଛି । ଏହାଛଡା ଓଡିଶା ବଜାରରେ ଟାଟା, ହ୍ୟୁଣ୍ଡାଇ, ଏମଜି ଭଳି କମ୍ପାନୀ ସେମାନଙ୍କର ଚାରିଚକିଆ ଯାନ ପ୍ରବେଶ କରିଥିବାବେଳେ ତାହାର ବଜାର ଦର ଓ ଆନୁଷଙ୍ଗିକ ଯନ୍ତ୍ରାଂଶର ମୂଲ୍ୟ ବି ଅଲଗା ଅଲଗା ରହିଛି ।

ସେହିଭଳି ରାଜ୍ୟ ସରକାର ମଧ୍ୟ ୨୦୨୧ ସେପ୍ଟେମ୍ବର ପହିଲାରୁ ତାଙ୍କର ଇଭି ନୀତି ଘୋଷଣା କରିଛନ୍ତି । ଏହି ନୀତିରେ ଦୁଇ ଚକିଆ ଯାନ ପାଇଁ ସର୍ବାଧିକ ୫ହଜାର, ତିନି ଚକିଆ ଯାନ ପାଇଁ ୧୫ହଜାର, ଚାରିଚକିଆ ଛୋଟ ଗାଡି ପାଇଁ ୫୦ହଜାର ଓ ବସ୍‍ ପାଇଁ ଏକ ଲକ୍ଷ ଟଙ୍କାର ସବସିଡ୍‍ ପ୍ରଦାନ କରାଯାଉଛି । ସରକାରୀ କର୍ମଚାରୀମାନେ ଇଭି କିଣିଲେ ସେମାନଙ୍କ ପାଇଁ ସୁଧ ରହିତ ଋଣ ସୁବିଧା ମଧ୍ୟ ରହିଛି । ଏହି ସବ୍‍ସିଡ୍‍ ପ୍ରଦାନ ଆସନ୍ତା ୨୦୨୫ ଡିସେମ୍ବର ପର୍ଯ୍ୟନ୍ତ ଜାରି ରହିବ ।

ରାଜ୍ୟ ସରକାର ଇଭି ନୀତି ଘୋଷଣା କରିବା ଓ ପେଟ୍ରୋଲ ଡିଜେଲର ଦର ଅଧିକ ରହୁଥିବାରୁ ଏବେ ସାଧାରଣ ଲୋକଙ୍କ ମଧ୍ୟରେ ବିଦ୍ୟୁତ୍‍ ଚାଳିତ ଯାନ ପାଇଁ ଅତ୍ୟଧିକ ଆଗ୍ରହ ପରିଲକ୍ଷିତ ହୋଇଛି । ତେବେ ସରକାରୀ କ୍ଷେତ୍ରରେ ଇଭି ଚଳାଚଳ ପାଇଁ ନିଷ୍ପତ୍ତି ନିଆଯିବା ପରେ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଉତ୍ସୁକତା ପ୍ରକାଶ କରୁଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)