Home Industry ଇପିକଲ୍‌ ଏବଂ ଫିକି ମଧ୍ୟରେ ବୁଝାମଣା

ଇପିକଲ୍‌ ଏବଂ ଫିକି ମଧ୍ୟରେ ବୁଝାମଣା

ଭୁବନେଶ୍ୱର : ଇପିକଲ ଏବଂ ଫିକି ମଧ୍ୟରେ ଆଗାମୀ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ମେକ୍‌ ଇନ୍‌ ଓଡ଼ିଶା କନ୍‌କ୍ଲେଭ୍‌ରେ ସହଯୋଗ ପ୍ରଦାନ ପାଇଁ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।

ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ ଓ ଶକ୍ତି ମନ୍ତ୍ରୀ ଶ୍ରୀ ପ୍ରତାପ କେଶରୀ ଦେବ, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା, ମହାନିର୍ଦ୍ଦେଶକ ଫିକି, ନୂଆଦିଲ୍ଲୀ ଅରୁଣ ଚାୱାଲାଙ୍କ ଉପସ୍ଥିତିରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଭୂପିନ୍ଦ୍ର ସିଂ ପୁନିଆ ଓ ଫିକିର ଉପସଭାପତି ମୌସୁମୀ ଘୋଷ ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ ।

ଏହି ଅବସରରେ ମନ୍ତ୍ରୀ ପ୍ରତାପ କେଶରୀ ଦେବ କହିଥିଲେ ଯେ, ଏଥର ରାଜ୍ୟ ତା’ର ମେକ୍‌ ଇନ୍‌ ଓଡ଼ିଶାର ତୃତୀୟ ସଂସ୍କରଣ ଆୟୋଜନ କରିବାକୁ ଯାଉଛି । ବିଗତ ଦୁଇଟି ସଂସ୍କରଣରେ ଯଥାକ୍ରମେ ୨ ଓ ୪ ଲକ୍ଷ କୋଟି ପୁଞ୍ଜିନିବେଶର ସମ୍ଭାବନା ସୃଷ୍ଟି ହୋଇଥିବାବେଳେ ଏଥିର କନ୍‌କ୍ଲେଭ୍‌ରୁ ଅଧିକ କିଛି ପୁଞ୍ଜିନିବେଶ ହେବାର ସମ୍ଭାବନା ରହିଥିବା ପ୍ରକାଶ କରିଥିଲେ ।

ଆଗାମୀ ଦିନରେ ଓଡ଼ିଶା ଦେଶର ଏକ ପ୍ରକୃଷ୍ଟ ପୁଞ୍ଜିନିବେଶ ସ୍ଥଳୀ ପାଲଟିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଓଡ଼ିଶାର କ୍ରୋମାଇଟ୍‌, ନିକେଲ, ବକ୍ସାଇଟ୍‌, ମାଙ୍ଗାନିଜ୍‌, ଲୁହାପଥର, କୋଇଲା ଭଳି ଖଣିଜରେ ଭରପୂର ଭଣ୍ଡାର ରହିଥିବାବେଳେ ରାଜ୍ୟ ଇସ୍ପାତ ଷ୍ଟେନ୍‌ଲେସ୍‌ ଷ୍ଟିଲ, ଫେରୋ ଆଲଏଜ୍‌, ଆଲୁମିନା ଓ ଆଲୁମିନିୟମ୍‌ ଉତ୍ପାଦ କ୍ଷେତ୍ରରେ ପ୍ରମୁଖତା ହାସଲ କରିଥିବା ଦର୍ଶାଇଥିଲେ ।

ଫିକି, ନୂଆଦିଲ୍ଲୀର ମହାନିର୍ଦ୍ଦେଶକ ଶ୍ରୀ ଚାୱଲା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟିସଂପନ୍ନ ନେତୃତ୍ୱ, ସ୍ଥାୟୀ ସରକାର, ଅଧିକାରୀମାନଙ୍କ କାର୍ଯ୍ୟ ସଂପାଦନାରେ ତତ୍ପରତା, କି୍ରୟାଶୀଳତା ଓ ଇଜ୍‌ ଅଫ୍‌ ଡୁଇଂ ବିଜିନେସ୍‌ ରାଜ୍ୟରେ ଏକ ଉତ୍ତମ ବାତାବରଣ ସୃଷ୍ଟି କରିପାରିଛି ବୋଲି କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀ ଶର୍ମା ସ୍ୱାଗତ ଭାଷଣ ଦେବା ସହ ମେକ୍‌ ଇନ୍‌ ଓଡ଼ିଶା-୨୦୨୨କୁ ସହଯୋଗ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ପ୍ରତିଷ୍ଠିତ ଶିଳ୍ପପତି ଓ ଉଦ୍ୟୋଗୀମାନେ ଯୋଗଦେଇଥିଲେ । ଶେଷରେ ଇପିକଲର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଭୂପିନ୍ଦ୍ର ସିଂ ପୁନିଆ ଧନ୍ୟବାଦ ଅର୍ପଣ କରିଥିଲେ ।