ଭୁବନେଶ୍ୱର : ରାଜ୍ୟରେ ଇଣ୍ଟରନେଟ୍ର ସାନ୍ଧ୍ରତା ଏବେ ମାତ୍ର ୫୧ ପ୍ରତିଶତ ରହିଛି । ଏଥିଯୋଗୁଁ ମାଓ ମୁକାବିଲା ଠାରୁ ଆରମ୍ଭ କରି ବ୍ୟାଙ୍କ ସେବା ଯୋଗାଣ କ୍ଷେତ୍ରରେ ଗୁରୁତର ସମସ୍ୟା ଉପୁଜୁଛି । ତେଣୁ ରାଜ୍ୟରେ ଇଣ୍ଟରନେଟ୍ ସାନ୍ଧ୍ରତା ବଢାଇବାପାଇଁ ରାଜ୍ୟ ସରକାର କେନ୍ଦ୍ରର ଦୃଷ୍ଟି ଆକର୍ଷଣ କରିଛନ୍ତି ।
ଏ ସଂକ୍ରାନ୍ତରେ ରାଜ୍ୟ ସରକାର କେନ୍ଦ୍ରକୁ ଦେଇଥିବା ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ ଟ୍ରାଇର ସର୍ବଶେଷ ଆକଳନ ଅନୁଯାୟୀ ରାଜ୍ୟରେ ଇଣ୍ଟରନେଟ୍ର ସାନ୍ଧ୍ରତା ୫୦.୯୭ ରହିଛି । ଜାତୀୟ ସ୍ତରରେ ଏହି ହାର ୬୩ ପ୍ରତିଶତ ଉପରେ ରହିଛି । ଇଣ୍ଟରନେଟ୍ର ଏଭଳି ଦୁର୍ବଳ ଅବସ୍ଥା ଯୋଗୁଁ ରାଜ୍ୟରେ ବ୍ୟାଙ୍କିଂ କାରବାର ଗୁରୁତର ପ୍ରଭାବିତ ହେଉଛି । ଉପକୂଳ ଜିଲ୍ଲାର କାଁ ଭାଁ ଅଞ୍ଚଳକୁ ବାଦ୍ ଦେଲେ ୧୦ଟି ମାଓ ପ୍ରଭାବିତ ଜିଲ୍ଲା ଏବଂ ୧୦ଟି ଆଙ୍କାକ୍ଷୀ ଜିଲ୍ଲାରେ ଠିକଣା ଭାବେ ବ୍ୟାଙ୍କ୍ସେବା ଯୋଗାଇ ଦିଆଯାଇ ପାରୁନାହିଁ ।
ଏହିସବୁ ଜିଲ୍ଲାରେ ଯେଉଁଠାରେ ବି ଇଣ୍ଟରନେଟ୍ ସେବା ଯୋଗାଇ ଦିଆଯାଇଛି ତାହା ୨ଜି ହୋଇଥିବାରୁ ଅର୍ଥ ଦେଣ ନେଣ କରିବା ସମ୍ଭବପର ହୋଇପାରୁ ନାହିଁ । ଧିମା ଇଣ୍ଟରନେଟ୍ ଯୋଗୁଁ ଟଙ୍କା ଦେଣ ନେଣ ପାଇଁ ବହୁ ସମୟ ଧରି ଲୋକେ ଅପେକ୍ଷା କରୁଛନ୍ତି । ସେହଭଳି ୨ଜି ବ୍ୟବସ୍ଥାରେ ମାଓ ନିୟନ୍ତ୍ରଣ କରିବା ଅଧିକାରୀଙ୍କ ପାଇଁ କାଠିକର ପାଠ ହେଉଛି । ବହୁ ସ୍ଥାନରେ ନେଟୱାର୍କ ଆସୁନଥିବା ଏବଂ ଭଲଭାବେ କଥାବାର୍ତ୍ତା ଶୁଣାଯାଉ ନଥିବାର ଅଭିଯୋଗ ହେଉଛି ।
କେବଳ ଇଣ୍ଟରନେଟ୍ ନୁହେଁ ମୋବାଇଲ ସଂଯୋଗ କ୍ଷେତ୍ରରେ ମଧ୍ୟ ଜାତୀୟ ହାର ଠାରୁ ଓଡିଶା ପଛରେ ରହିଛି । ଜାତୀୟ ସ୍ତରରେ ଟେଲିଫୋନ୍ ସାନ୍ଧ୍ରତା ୮୪.୫୧ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୭୬ ପ୍ରତିଶତରୁ ସାମାନ୍ୟ ଅଧିକ ରହିଛି । ରାଜ୍ୟର ୩୦ ଟି ଜିଲ୍ଲାରେ ୫ଜି ସେବା ଆରମ୍ଭ ନେଇ ଘୋଷଣା ହୋଇଥିବାବେଳେ ତାହା ଏପର୍ଯ୍ୟନ୍ତ ହୋଇପାରିଲା ନାହିଁ । ଅଧିକାଂଶ ଅଞ୍ଚଳରେ ଏବେ ବି ଲୋକେ ୪ଜି ଉପରେ ନିର୍ଭରଶୀଳ ଅଛନ୍ତି ।
ଏଭଳି ସ୍ଥିତିରେ ଓଡିଶାରେ ଟେଲିଫୋନ୍ ଓ ଇଣ୍ଟରନେଟ୍ ସେବାର ଉନ୍ନତି ପାଇଁ ଅର୍ଥ ଯୋଗାଇ ଦେବାକୁ ଓଡିଶା ପକ୍ଷରୁ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ଏଥି ସହିତ ଓଡିଶାରେ ବ୍ରଡବ୍ୟାଣ୍ଡ ସେବା ସହିତ ୪ଜି ଓ ୫ଜି ସେବାକୁ ପରିବ୍ୟାପ୍ତ କରିବାପାଇଁ ଟେଲି ଯୋଗାଯୋଗ ମନ୍ତ୍ରଣାଳୟକୁ ନିର୍ଦ୍ଦେଶ ଦେବା ସକାଶେ ରାଜ୍ୟ ସରକାର କେନ୍ଦ୍ରକୁ କହିଥିବା ଜଣ।।ଯାଇଛି । (ତଥ୍ୟ)