Home News in Odia ଇକୋ-ଟୁରିଜିମ୍‌ ପାଇଁ ୩୦ କୋଟି

ଇକୋ-ଟୁରିଜିମ୍‌ ପାଇଁ ୩୦ କୋଟି

ଭୁବନେଶ୍ୱର :  ଓଡ଼ିଶାରେ ପ୍ରକୃତି-ପର୍ଯ୍ୟଟନ (ଇକୋ-ଟୁରିଜିମ୍) ଉଲ୍ଲେଖନୀୟ ସଫଳତା ହାସଲ କରିଛି ।  କୋଭିଡ଼୍‌ ମହାମାରୀ ପ୍ରଭାବିତ ଆର୍ଥିକ  ମାନ୍ଦାବସ୍ଥା ସତ୍ତ୍ୱେ ଗତ ଦୁଇ ବର୍ଷ  ମଧ୍ୟରେ ଇକୋ-କେନ୍ଦ୍ର ମାନଙ୍କରେ ପର୍ଯ୍ୟଟକଙ୍କ ସଂଖ୍ୟାରେ ୯୬ ପ୍ରତିଶତ ଏବଂ ଆର୍ଥିକ କାରବାର ଓ ରାଜସ୍ୱ ସଂଗ୍ରହରେ ୪୯ପ୍ରତିଶତ ଅବିବୃଦ୍ଧି ଘଟିଛି ।

ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରୁ ଏହା ଜଣାପଡିଛି । ବୈଠକରେ  ଜଙ୍ଗଲ ଓ ପରିବେଶ ବିଭାଗ  ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ଼ଃ ମୋନା ଶର୍ମା ପ୍ରକୃତି-ପର୍ଯ୍ୟଟନ ପ୍ରକଳ୍ପ ଗୁଡିକର କାର୍ଯ୍ୟାନ୍ୱୟନ ଓ ପରିଚାଳନା  ସମ୍ୱନ୍ଧୀୟ ବିଷୟ ଆଲୋଚନା ନିମନ୍ତେ  ଉପସ୍ଥାପନ କରିଥିଲେ ।

ବର୍ତ୍ତମାନ ପର୍ଯ୍ୟନ୍ତ  ହୋଇଥିବା ଅଗ୍ରଗତିର ସମୀକ୍ଷା କରି  ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନୂତନଭାବେ  ପ୍ରସ୍ତୁତ ହୋଇଥିବା  ୫ ଟି ନୂଆ ସ୍ଥାନକୁ ୱେବ୍‌ସାଇଟ୍‌ରେ ଅପ୍‌ଲୋଡ୍‌କରି ପର୍ଯ୍ୟଟକମାନଙ୍କ ନିମନ୍ତେ  ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବରଗଡ଼ ଜିଲ୍ଲାର ନୃସିଂହନାଥ, କୋରାପୁଟର ଦେବଦାରୁ( ପାଇନ୍ ) ବଣ, ନୂଆପଡାର ପାତୋରା ଡ୍ୟାମ୍, ସୁନ୍ଦରଗଡ଼ର ଟେନ୍‌ସା ଏବଂ କେନ୍ଦୁଝରର କାଞ୍ଜିଆପାଣିଠାରେ ଏହି ନୂଆ ପ୍ରକୃତି-ପର୍ଯ୍ୟଟନସ୍ଥଳୀ ବିକଶିତ କରାଯାଇଛି ।

ନୂଆ ସ୍ଥାନଗୁଡିକର ବିକାଶ କଲାବେଳେ ସେସବୁ ସ୍ଥାନର ପର୍ଯ୍ୟଟନ ସମ୍ଭାର ଏବଂ ଅନ୍ୟ ରାଜ୍ୟ ଓ ବିଦେଶରୁ ପର୍ଯ୍ୟଟକଙ୍କୁ ଆକର୍ଷଣ କରିବାର ସମ୍ଭାବନା ଆଦିକୁ  ଲକ୍ଷ୍ୟ କରିବା ପାଇଁ ମୁଖ୍ୟ ଶାସନ ସଚିବ  ଶ୍ରୀ ମହାପାତ୍ର ଜଙ୍ଗଲ ଓ ପରିବେଶ ବିଭାଗଙ୍କୁ  ନିର୍ଦ୍ଦେଶ ଦେଇଥିଲେ ।  କଳିଙ୍ଗା ଘାଟି ପାଇନ୍‌ ବଣ, ବଣାଇ, ଦେଓମାଳି ପର୍ବତ ଶିଖର, ଡମ୍ୱରୁଗଡ଼ ଏବଂ କଳାହାଣ୍ଡିର ଜଖମ ଆଦି ସ୍ଥାନକୁ ରାତ୍ରି-ରହଣୀ ଇକୋ-କେନ୍ଦ୍ର ଭାବେ  ବିକଶିତ  କରିବା ନିମନ୍ତେ ବୈଠକରେ  ନିଷ୍ପତ୍ତି ହୋଇଥିଲା ।  

ଏହାଛଡା ଫୁଲବାଣୀ ବନଖଣ୍ଡର  ସିକିରି, ବଲାଙ୍ଗିର ବନଖଣ୍ଡର ଭୀମ୍‌ଡ଼ୁଙ୍ଗୁରି, ସାତକୋଶିଆର ବାଲିପୁଟ, କଳାହାଣ୍ଡିର ଫୁଲ୍‌ଝରଣ ଓ ରାବଣଧାର ଝରଣା, ଢ଼େଙ୍କାନାଳର ଚକୁରିଆ ଘାଟ ଏବଂ  ବୌଦ୍ଧ ବନଖଣ୍ଡର ଡ଼ମ୍ବୁରୁଗଡ଼ଠାରେ ପ୍ରକୃତି-ପର୍ଯ୍ୟଟନ ସ୍ଥଳୀ ବିକାଶ କରିବା ନିମନ୍ତେ ମଧ୍ୟ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ନୂଆ ପ୍ରକୃତି ପର୍ଯ୍ୟଟନ କେନ୍ଦ୍ରର ବିକାଶ, ବର୍ତ୍ତମାନ ପର୍ଯ୍ୟନ୍ତ ବିକାଶ କରାଯାଇଥିବା ସ୍ଥାନଗୁଡିକର ରକ୍ଷଣାବେକ୍ଷଣ ଓ ଦୃଢ଼ୀକରଣ, ନିର୍ମାଣାଧିନ କେନ୍ଦ୍ରଗୁଡିକର ତ୍ୱରିତ କାର୍ଯ୍ୟାନ୍ୱୟନ ଏବଂ ଇକୋ-କେନ୍ଦ୍ର ଚଳାଉଥିବା ସ୍ଥାନୀୟ ବାସିନ୍ଦାମାନଙ୍କର ତାଲିମ ଓ ଦକ୍ଷତା ବୃଦ୍ଧି ଆଦି  ବିଷୟରେ ବୈଠକରେ ସବିଶେଷ ଆଲୋଚନା ହୋଇଥିଲା ।  ଏହିସବୁ କାର୍ଯ୍ୟ ନିମନ୍ତେ ମୁଖ୍ୟ ଶାସନ ସଚିବ  ୩୦ କୋଟି ଟଙ୍କା ଅଟକଳର କାର୍ଯ୍ୟଯୋଜନା  ଅନୁମୋଦନ କରିଥିଲେ ।

ପ୍ରକୃତି ପର୍ଯ୍ୟଟନ କେନ୍ଦ୍ରମାନଙ୍କରେ ପରିଚ୍ଛନତା, ସ୍ୱାସ୍ଥ୍ୟକର ପରିବେଶ ଏବଂ ସର୍ବୋପରି କୋଭିଡ୍ ପ୍ରତିରୋଧ ବ୍ୟବସ୍ଥା ଓ କୋଭିଡ୍ ନିୟମର ପୂର୍ଣ୍ଣ ଅନୁପାଳନ ଉପରେ  ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ । କୋଭିଡ୍ ପ୍ରତିରୋଧ  ନିମନ୍ତେ  ନିର୍ଦ୍ଧାରିତ  କାର୍ଯ୍ୟପନ୍ଥା (ଏସ୍.ଓ.ପି.) କାର୍ଯ୍ୟାନ୍ୱୟନ ପାଇଁ  ୨୫ ଟି ବନଖଣ୍ଡଙ୍କୁ ସମୁଦାୟ ୧୫୦ କୋଟି  ଟଙ୍କା ଆବଣ୍ଟନ କରାଯାଇଥିଲା ।

ପ୍ରଧାନ ବନରକ୍ଷକ  (ବନ୍ୟଜନ୍ତୁ) ଶଶୀ ପଲ୍ ଜଣାଇଥିଲେ ଯେ ୨୦୧୭-୧୮  ଆର୍ଥିକ ବର୍ଷରେ  ରାଜ୍ୟର ଇକୋ-କେନ୍ଦ୍ରମାନଙ୍କୁ  ୧୧,୫୦୦ ପର୍ଯ୍ୟଟକ  ଆସିଥିବା ବେଳେ  ୨୦୧୮-୧୯ ରେ ପର୍ଯ୍ୟଟକଙ୍କ  ସଂଙ୍ଖ୍ୟା ୨୯,୦୨୪ କୁ ଏବଂ ୨୦୨୦-୨୧ ବର୍ଷରେ  ୫୭,୦୦୦ କୁ ବୃଦ୍ଧି  ପାଇଥିଲା ।  ଏହି ସମୟ ମଧ୍ୟରେ  ଇକୋ-କେନ୍ଦ୍ର ମାନଙ୍କରେ  ଆର୍ଥିକ  କାରବାର ଏବଂ ରାଜସ୍ୱ ସଂଗ୍ରହ ମଧ୍ୟ  ବୃଦ୍ଧି ପାଇଥିଲା ।  

୨୦୧୭-୧୮ ମସିହାରେ  ପ୍ରକୃତି-ପର୍ଯ୍ୟଟନରୁ  ରାଜସ୍ୱ ୩.୪୦ କୋଟି ଥିବା ବେଳେ, ୨୦୧୮-୧୯ ବର୍ଷରେ ଏହା ୫.୬୧ କୋଟି ଏବଂ ୨୦୨୦-୨୧ ବର୍ଷରେ ଏହା ୮.୩୨ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ମୋଟାମୋଟି ଭାବେ ୨୦୧୭-୧୮ ଆର୍ଥିକ ବର୍ଷ  ତୁଳନାରେ  ୨୦୨୦-୨୧ ବର୍ଷରେ ପର୍ଯ୍ୟଟକଙ୍କ ଆଗମନରେ ୯୬ ପ୍ରତିଶତ ଏବଂ ରାଜସ୍ୱ ଆଦାୟରେ ୪୬ ପ୍ରତିଶତ ବୃଦ୍ଧି ଘଟିଥିଲା ।