Home Health ଇଏସ୍‍ଆଇ ହସ୍ପିଟାଲ ନୁହେଁ ମେଡିକାଲ କଲେଜ କର

ଇଏସ୍‍ଆଇ ହସ୍ପିଟାଲ ନୁହେଁ ମେଡିକାଲ କଲେଜ କର

ଭୁବନେଶ୍ୱର : ଭୁବନେଶ୍ୱରରେ ଇଏସ୍‍ଆଇର ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ବଦଳରେ ପୂର୍ବ ଘୋଷଣା ଅନୁଯାୟୀ ଇଏସ୍‍ଆଇ ମେଡିକାଲ କଲେଜ ପାଇଁ ଦାବି କରିଛନ୍ତି ସମାଜବାଦୀ ପାର୍ଟି ରାଜ୍ୟ ସଭାପତି ରବି ବେହେରା । ଶ୍ରୀ ବେହେରା କହିଛନ୍ତି ଯେ ଅନୁଗୋଳଠାରେ ଇ.ଏସ୍‌.ଆଇ. ହସ୍ପିଟାଲ୍ ଓ ଝାରସୁଗୁଡାଠାରେ ଇ.ଏସ୍‌.ଆଇ.ର ଆଞ୍ଚଳିକ କାର୍ଯ୍ୟାଳୟ ଆଜି ଉଦ୍‌ଘାଟନ କରି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କେନ୍ଦ୍ର ଶ୍ରମ ରାଷ୍ଟ୍ର ମନ୍ତ୍ରୀ ରାମେଶ୍ୱର ତେଲି ଘୋଷଣା କରିଛନ୍ତି ଯେ, ଓଡ଼ିଶାରେ ଆଉ ୩ଟି ଇ.ଏସ୍‌.ଆଇ. ହସ୍ପିଟାଲ୍ ପ୍ରତିଷ୍ଠା କରାଯିବ ।

ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ ଇ.ଏସ୍‌.ଆଇ. ହସ୍ପିଟାଲ୍‌, ଯାଜପୁରର ଡୁବୁରିଠାରେ ୧୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ଓ ପାରାଦ୍ୱୀପଠାରେ ୩୦ ଶଯ୍ୟା ବିଶିଷ୍ଟ ଇ.ଏସ୍‌.ଆଇ. ହସ୍ପିଟାଲ୍ କରାଯିବ ବୋଲି କେନ୍ଦ୍ର ମନ୍ତ୍ରୀଦ୍ୱୟ କହିଛନ୍ତି । କିନ୍ତୁ ଭୁବନେଶ୍ୱରରେ ୟୁପିଏ ସମୟରେ କାମ ଆରମ୍ଭ ହୋଇଥିବା ଇ.ଏସ୍‌.ଆଇ. ମେଡିକାଲ୍ କଲେଜ ପ୍ରତିଷ୍ଠା ସମ୍ପର୍କରେ ଏହି ମନ୍ତ୍ରୀ ଦ୍ୱୟ ନିରବତା ଅବଲମ୍ବନ କରିଛନ୍ତି ।

ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ ଇ.ଏସ୍‌.ଆଇ. ମେଡିକାଲ୍ ନୁହେଁ ବରଂ ୟୁ.ପି.ଏ. ସମୟରେ ଭୁବନେଶ୍ୱର ଉପକଣ୍ଠରେ କାମ ଆରମ୍ଭ ହୋଇଥିବା ଇ.ଏସ୍‌.ଆଇ. ମେଡିକାଲ କଲେଜ ତୁରନ୍ତ ପ୍ରତିଷ୍ଠା କରିବାକୁ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ଦାବି କରାଯାଇଛି । ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ରବି ବେହେରା ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି ଯେ, ୟୁପିଏ ସରକାର ସମୟରେ ଭୁବନେଶ୍ୱରରେ ୧୦୦ ଶଯ୍ୟା ବିଶିଷ୍ଟ ଇ.ଏସ୍‌.ଆଇ. ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ କାମ ଆରମ୍ଭ ହୋଇଥିଲା । ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମାଥେମାଟିକ୍ସ ପାଖରେ ଜମି ଅଧିଗ୍ରହଣ କରାଯାଇ ମେଡିକାଲ କଲେଜ ନିର୍ମାଣ ପାଇଁ ସମସ୍ତ ପ୍ରସ୍ତୁତି ସରିଥିଲା ।

କିନ୍ତୁ ଦୁର୍ଭାଗ୍ୟର କଥା ୨୦୧୪ ମସିହାରେ ଏନ୍‌.ଡି.ଏ. ସରକାର କ୍ଷମତାକୁ ଆସିଲା ପରେ ଏହି ମେଡିକାଲ୍ କଲେଜ ବନ୍ଦ ହୋଇଗଲା । ଏବେ ମେଡିକାଲ୍ କଲେଜ ପ୍ରତିଷ୍ଠା କଥା ଭୁଲିଯାଇ ବିଜେପି ସରକାର ଭୁବନେଶ୍ୱରରେ ୧୫୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍ ପ୍ରତିଷ୍ଠା କରିବାକୁ ଘୋଷଣା କରୁଛି । ଏହା ଓଡ଼ିଶାବାସୀଙ୍କୁ ଭଣ୍ଡେଇବା ସହିତ ସମାନ । ତେଣୁ ତୁରନ୍ତ ଭୁବନେଶ୍ୱରରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ କେନ୍ଦ୍ର ମନ୍ତ୍ରୀଦ୍ୱୟ ପ୍ରଧାନମନ୍ତ୍ରୀଙ୍କ ପାଖରେ ଦାବି କରିବାକୁ ଶ୍ରୀ ବେହେରା ଆହ୍ୱାନ କରିଛନ୍ତି ।

ଏହା ବ୍ୟତୀତ ଓଡ଼ିଶା ସରକାର ଏବଂ ରାଜ୍ୟର ମାନ୍ୟବର ସାଂସଦମାନେ ଆଗାମୀ ପାର୍ଲାମେଣ୍ଟ ଅଧିବେଶନ ସମୟରେ ଭୁବନେଶ୍ୱରରେ ଇ.ଏସ୍‌.ଆଇ. ମେଡିକାଲ୍ କଲେଜ ପ୍ରତିଷ୍ଠା ଦାବିକୁ ସଂସଦରେ ଉପସ୍ଥାପିତ କରିବାକୁ ଶ୍ରୀ ବେହେରା ସମସ୍ତ ସାଂସଦକୁ ନିବେଦନ କରିଛନ୍ତି । ସେହିଭଳି ରାଜ୍ୟର ଟ୍ରେଡ୍ ୟୁନିୟନ୍‌ମାନେ ଭୁବନେଶ୍ୱରରେ ଇ.ଏସ୍‌.ଆଇ. ମେଡିକାଲ୍ କଲେଜ ପାଇଁ ସର୍ବସମ୍ମତିକ୍ରମେ ଆନ୍ଦୋଳନର ରାସ୍ତାକୁ ଓହ୍ଲାଇ କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରିବାକୁ ଶ୍ରୀ ବେହେରା ଟ୍ରେଡ୍ ୟୁନିୟନ୍‌ମାନଙ୍କୁ ଆହ୍ୱାନ କରିଛନ୍ତି ।