Home Education ଇଂରାଜୀ ମାଧ୍ୟମ ସ୍କୁଲକୁ ନିୟନ୍ତ୍ରଣ କର

ଇଂରାଜୀ ମାଧ୍ୟମ ସ୍କୁଲକୁ ନିୟନ୍ତ୍ରଣ କର

ଭୁବନେଶ୍ୱର : ସରକାରୀ ପ୍ରାଥମିକ ବିଦ୍ୟାଳୟ ବନ୍ଦ ପାଇଁ ପ୍ରମୁଖ କାରଣ ସାଜିଥିବା ଘରୋଇ ଇଂରାଜୀ ମାଧ୍ୟମ ବିଦ୍ୟାଳୟଗୁଡ଼ିକୁ ଅନୁମତି ଓ ଆପତ୍ତିବିହୀନ ପ୍ରମାଣପତ୍ର ଦେବା ସମୟରେ ନିୟନ୍ତ୍ରଣ ଲାଗି ନୂଆ ନୀତି ପ୍ରସ୍ତୁତି ଏବଂ ସ୍ୱୀକୃତି ପାଇନଥିବା ଏହି ଧରଣର ବିଦ୍ୟାଳୟଗୁଡ଼ିକୁ ବନ୍ଦ ଲାଗି ଜିଲ୍ଲାପାଳ ଓ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଂ କମିଟି ସରକାରୀଙ୍କୁ ପରାମର୍ଶ ଦେଇଛନ୍ତି ।

ବିଜେଡି ବିଧାୟକ ଭୂପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ ଜଣ ବିଧାୟକ ରହିଛନ୍ତି । କମିଟି କରିଥିବା ଅନ୍ୟ ସୁପାରିଶଗୁଡ଼ିକ ମଧ୍ୟରେ କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀମାନେ ଆଦର୍ଶ ବିଦ୍ୟାଳୟ ହଷ୍ଟେଲରେ ରହୁନାହାଁନ୍ତି ସେମାନାଙ୍କ ଯା’ଆସ ଲାଗି ସରକାରୀ ଓ ଘରୋଇ ବସ୍‍ରେ ରିହାତି ପାସ୍‍ ବ୍ୟବସ୍ଥା କରାଯାଉ ।

ବିଦ୍ୟାଳୟଗୁଡ଼ିକରେ ବହୁସଂଖ୍ୟାରେ ଶିକ୍ଷକ ପଦବୀ ଖାଲିପଡ଼ିଥିବାରୁ ପାଠପଢ଼ା ଲାଗି ଆଡ୍‍ହକ୍‍ ଭିତ୍ତିରେ ଶିକ୍ଷକ ନିଯୁକ୍ତି ପାଇଁ ଜିଲ୍ଲାପାଳମାନଙ୍କୁ କ୍ଷମତା ହସ୍ତାନ୍ତର କରିବାକୁ ବିଭାଗ ପଦକ୍ଷେପ ଗ୍ରହଣ ଲାଗି କମିଟି ପରାମର୍ଶ ଦେଇଛନ୍ତି । ବିଦ୍ୟାଳୟ ବନ୍ଦ ସଂକ୍ରାନ୍ତରେ କମିଟି କହିଛନ୍ତି ଯେ କେବିକେ ଜିଲ୍ଲାଗୁଡ଼ିକରେ ୨୦ କିମ୍ବା ଅଧିକ ଛାତ୍ରଛାତ୍ରୀ ଥିବା ବିଦ୍ୟାଳୟ ମଧ୍ୟରେ କମ୍‍ ଦୂରତା ଥିଲେ ତାହାକୁ ବନ୍ଦ କରିଦିଆଯାଉଛି । କେବିକେ ଜିଲ୍ଲାଗୁଡ଼ିକ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳରେ ଥିବାରୁ ଏଠାରେ ଦୂରତାକୁ ଆଧାର କରି ବିଦ୍ୟାଳୟ ବନ୍ଦ ନ କରିବାକୁ ପରାମର୍ଶ ଦିଆଯାଇଛି ।

କୋଭିଡ୍‍ ମହାମାରୀ ସମୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଯେଭଳି ନିଜ ନିଜ ଶିକ୍ଷାନୁଷ୍ଠାନରେ ବାର୍ଷିକ ପରୀକ୍ଷା ଦେଇପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ ଲାଗି କମିଟି ପରାମର୍ଶ ଦେଇଛନ୍ତି । ଏଥିସହିତ ବିଧାୟକ ହାତପାଣ୍ଠି ଅର୍ଥ ଯେଭଳି ବିଦ୍ୟାଳୟଗୁଡ଼ିକୁ ମିଳିପାରିବ ସେଥିପାଇଁ ଯୋଜନା ଓ ସଂଯୋଜନ ବିଭାଗ ସହିତ ଆଲୋଚନା କରି ପଦକ୍ଷେପ ନେବାକୁ କୁହାଯାଇଛି ।

ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ନିଜର କଠିନ ପରିଶ୍ରମ ବଳରେ ବିଦ୍ୟାଳୟର ପରିବେଶକୁ ବୃକ୍ଷରୋପଣ, ସୌନ୍ଦର୍ଯ୍ୟକରଣ ଆଦି ଦ୍ୱାରା ବଦଳାଇ ଦେଇଛନ୍ତି ସେମାନଙ୍କୁ ଉତ୍ସାହିତ ଲାଗି ପୁରସ୍କୃତ କରିବାକୁ କମିଟି କହିଛି । ବିଜ୍ଞାନ ପରୀକ୍ଷାଗାରଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା ଲାଗି ହାଇସ୍କୁଲ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ ଆବଶ୍ୟକ ମୁତାବକ ପାଣ୍ଠି ଯୋଗାଇ ଦେବାକୁ କମିଟି ସରକାରଙ୍କୁ କହିଛନ୍ତି । ଆଦର୍ଶ ବିଦ୍ୟାଳୟରେ ନାମଲେଖା ଲାଗି ବର୍ତ୍ତମାନ ବିଧାୟକମାନେ ଦୁଇଜଣ ଛାତ୍ରଛାତ୍ରୀଙ୍କ ନାମ ସୁପାରିଶ କରୁଥିବା ବେଳେ ଏହି ସଂଖ୍ୟା ୪କୁ ବଢ଼ାଇବା ଲାଗି କମିଟି ସରକାରଙ୍କୁ କହିଛନ୍ତି ।