Home Health ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ

ଆୟୁଷ୍ମାନ ଯୋଜନା ପାଇଁ କେନ୍ଦ୍ର ମନ୍ତ୍ରୀଙ୍କ ଅନୁରୋଧ

ପୁରୀ : ପୁରୀରେ ଶ୍ରୀଜଗନ୍ନାଥ ମେଡ଼ିକାଲ କଲେଜର ଲୋକାର୍ପଣ ସମାରୋହରେ ଭର୍ଚ୍ଚୁଆଲ ମାଧ୍ୟମରେ ଯୋଡ଼ି ହୋଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ଓଡ଼ିଶାବାସୀଙ୍କୁ ସୁଲଭ ମୂଲ୍ୟରେ ସ୍ୱାସ୍ଥ୍ୟସେବା ଉପଲବ୍ଧ କରିବା ପାଇଁ ଆୟୁଷ୍ମାନ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏହି ଯୋଜନା ଲାଗୁ ହେବା ଦ୍ୱାରା ଓଡ଼ିଆ ଲୋକମାନେ ଲାଭ ପାଇବେ ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା ଭଲ ରହିବ ବୋଲି ସେ କହିଛନ୍ତି । 

ଛାତ୍ରଛାତ୍ରୀଙ୍କ ସହ ମତ ବିନିମୟ କରିବା ଅବସରରେ ଶ୍ରୀ ମାଣ୍ଡଭୀୟ ଓଡ଼ିଶାରେ ସ୍ୱାସ୍ଥ୍ୟସେବା ସୁଲଭ ଓ ସର୍ବବ୍ୟାପୀ କରିବା ପାଇଁ ମେଡ଼ିକାଲ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପୁରୀ ଜଗନ୍ନାଥ ମନ୍ଦିର ଯାଇ ଦର୍ଶନ କରିବା ଓ ମହାପ୍ରସାଦ ସେବନ କରିବା ଆମ ପାଇଁ ଗର୍ବର ବିଷୟ । ସେହି ପବିତ୍ର ଧାମରେ ରହି ମେଡ଼ିକାଲ ଶିକ୍ଷା ଲାଭ କରିବା ଛାତ୍ରଛାତ୍ରୀଙ୍କ ପାଇଁ ଗର୍ବର ବିଷୟ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ରହିଛି ସ୍ୱାସ୍ଥ୍ୟସେବା ସୁଲଭ ଏବଂ ସର୍ବବ୍ୟାପୀ ହେବା ଦରକାର । ଏଥିପାଇଁ ଏକ ଡ଼ାକ୍ତର ରୂପରେ ଛାତ୍ରଛାତ୍ରୀଙ୍କୁ ଦୂର, ସୁଦୂର, ଗାଁ ଯେଉଁଠି ବି ଦାୟିତ୍ୱ ମିଳୁଛି, ସେମାନେ ଗରିବଙ୍କ ସେବା କରିବା ପାଇଁ ନିଜକୁ ଉତ୍ସର୍ଗ କରିବା ସହ ଦେଶର ସ୍ୱାସ୍ଥ୍ୟ କ୍ଷେତ୍ରରେ ଯୋଗଦାନ ରଖନ୍ତୁ ।

ମୋଦି ସରକାର ଓ ରାଜ୍ୟ ସରକାର ମିଳିତ ଭାବରେ ରାଜ୍ୟରେ ଅନେକ ମେଡ଼ିକାଲ କଲେଜ ଆରମ୍ଭ କରିଛନ୍ତି ଏବଂ ଆଗାମୀ ଦିନରେ ଅନେକ ମେଡ଼ିକାଲ କଲେଜ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଓଡ଼ିଶା ସମେତ ଦେଶର ଛାତ୍ରଛାତ୍ରୀମାନେ ଗୁଣାତ୍ମକ ଶିକ୍ଷା ନେଇ ଉତ୍ତମ ଡ଼ାକ୍ତର ହୁଅନ୍ତୁ ଏବଂ ସରକାରୀ ବ୍ୟବସ୍ଥାକୁ ଉପଯୋଗ କରି ରାଜ୍ୟ ଓ ରାଷ୍ଟ୍ର ନିର୍ମାଣରେ ନିଜର ଯୋଗଦାନ ରଖନ୍ତୁ ।

ସୁନ୍ଦରଗଡ଼ରେ ଏନଟିପିସି ତରଫରୁ ହସ୍ପିଟାଲ ହୋଇଛି । ତାଳଚେରରେ କୋଲ ଇଣ୍ଡିଆ 1 ହଜାର କୋଟି ଟଙ୍କା ଖର୍ଚ୍ଚ କରି ମେଡ଼ିକାଲ କଲେଜ ନିର୍ମାଣ କରିଛି । ମୋଦି ସରକାରଙ୍କ ସମୟରେ ଓଡ଼ିଶାରେ ସ୍ୱାସ୍ଥ୍ୟ ସୁବିଧା, ମେଡ଼ିକାଲ କଲେଜ ଓ ସିଟ୍ ସଂଖ୍ୟା ବୃଦ୍ଧି ପାଉଛି । ଏହାର ଲାଭ ଓଡ଼ିଶାକୁ ମିଳିବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ କହିଛନ୍ତି ।

LEAVE A REPLY

Please enter your comment!
Please enter your name here