Home News in Odia ଆହୁରି କମିବ ମହାନଦୀ ଜଳ ପ୍ରବାହ

ଆହୁରି କମିବ ମହାନଦୀ ଜଳ ପ୍ରବାହ

ଭୁବନେଶ୍ୱର : ଆଗାମୀ ବର୍ଷଗୁଡ଼ିକରେ ମହାନଦୀରେ ଜଳ ପ୍ରବାହ ଆହୁରି ହ୍ରାସ ପାଇବାର ଆଶଙ୍କା ରହିଛି । ଚଳିତବର୍ଷ ମଧ୍ୟ ଅଣମୌସୁମୀ କାଳରେ ଜଳପ୍ରବାହ ହ୍ରାସ ପାଇଛି ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ । ମନ୍ତ୍ରୀ କହିଛନ୍ତି ଯେ ଛତିଶଗଡ଼ରେ ମହାନଦୀ ପାଣି ଅଟକାଇବା ପାଇଁ ସେଠାକାର ରାଜ୍ୟ ସରକାର ବହୁ ବ୍ୟାରେଜ୍‍ ନିର୍ମାଣ କରିଛନ୍ତି ଓ ଏହାଦ୍ୱାରା ଓଡ଼ିଶାକୁ ପ୍ରବାହିତ ହେଉଥିବା ଜଳର ପରିମାଣ କ୍ରମାଗତ ଭାବେ ହ୍ରାସ ପାଉଛି ।

କିନ୍ତୁ ଛତିଶଗଡ଼ରେ ମହାନଦୀ ଶଯ୍ୟାରେ ଜଳ ଭରପୂର ରହିଛି । ଏହାଦ୍ୱାରା ଅଣମୌସୁମୀ କାଳରେ ଚଳିତବର୍ଷ ମହାନଦୀରେ ଜଳପ୍ରବାହ ହ୍ରାସ ପାଇଛି ଓ ଆଗାମୀ ବର୍ଷମାନଙ୍କରେ ଏହା ଆହୁରି କମିବାର ଆଶଙ୍କା ଅଛି ।

ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ୨୦୧୬ ମସିହାରେ କେନ୍ଦ୍ର ସରକାରଙ୍କ ନିକଟରେ ଏହାର ସମାଧାନ ପାଇଁ ଏକ ବୈଧାନିକ ଅଭିଯୋଗ ଦାଖଲ କରିଥିଲେ । ସେହି ଆଧାରରେ କେନ୍ଦ୍ର ସରକାର ୨୦୧୮ ମସିହାରେ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ କରିଛନ୍ତି ।

ରାଜ୍ୟ ସରକାର ଟ୍ରିବ୍ୟୁନାଲଙ୍କ ନିକଟରେ ୨୦୧୮ ମସିହାରେ ହୀରାକୁଦ ଜଳଭଣ୍ଡାର ଅଣମୌସୁମୀ ସମୟରେ ଆବଶ୍ୟକ ଜଳ ପ୍ରବାହ ସୁନିଶ୍ଚିତ କରିବା ପାଇଁ ବିବିଧ ମାମଲା ଦାଖଲ କରିଛନ୍ତି । ବର୍ତ୍ତମାନ ଏହି ମାମଲାଟି ଅଦାଲତଙ୍କ ବିଚାରାଧୀନ ରହିଥିବା ମନ୍ତ୍ରୀ ଦର୍ଶାଇଛନ୍ତି ।