Home General ଆହାର ସଫଳତା ପଛରେ ମହିଳା ଗୋଷ୍ଠି

ଆହାର ସଫଳତା ପଛରେ ମହିଳା ଗୋଷ୍ଠି

ଭୁବନେଶ୍ୱର : ରାଜ୍ୟରେ ଥିବା ଆହାର କେନ୍ଦ୍ର ଗୁଡିକର ବଳ ପାଲଟିଛନ୍ତି ମିଶନ ଶକ୍ତିର ମହିଳା ଗୋଷ୍ଠି । ମହିଳା ଗୋଷ୍ଠିର ସଫଳ ପରିଚାଳନା ଓ ସହଯୋଗ ଲାଗି ସହରାଞ୍ଚଳର ଆହର କେନ୍ଦ୍ରଗୁଡିକ ଏବେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢିବାରେ ଲାଗିଛି ।

ମହିଳାମାନଙ୍କୁ ଆତ୍ମନିର୍ଭର ପାଇଁ ସବୁ କ୍ଷେତ୍ରରେ ସେମାନଙ୍କୁ ସହଭାଗୀ କରିବାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଆହାର କେନ୍ଦ୍ରର ପରିଚାଳନା ଦାୟିତ୍ୱରେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସେମାନଙ୍କୁ ସାମିଲ କରାଯାଇଥିଲା । ଯାହାର ସୁଫଳ ଏବେ ରାଜ୍ୟବାସୀ ପାଉଛନ୍ତି ।

ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଥିବା ୧୬୬ଟି ଆହାର କେନ୍ଦ୍ରର ପରିଚାଳନାରେ ୧୫୭ ମିଶନ ଶକ୍ତି ଗୋଷ୍ଠିର ୨୦୦୦ରୁ ଅଧିକ ସଦସ୍ୟା ନିୟୋଜିତ ହୋଇଛନ୍ତି । ୨୦୨୦ ନଭେମ୍ବର ମାସରୁ ଏହି ମହିଳମାନେ ସଫଳତାର ସହ ଆହାର କେନ୍ଦ୍ର ପରିଚାଳନା କରୁଛନ୍ତି । ସରକାର ମଧ୍ୟ ସେମାନଙ୍କ ଅବଦାନର ମୂଲ୍ୟାୟନ କରିବା ସହିତ ତଦାରଖ ଦେୟ ପ୍ରଦାନ କରି ସେମାନଙ୍କ ଆର୍ଥିକ ନିରାପତ୍ତାକୁ ସୁରକ୍ଷିତ କରିଛନ୍ତି । ୧୫୭ଟି ମିଶନ ଶକ୍ତି ଗୋଷ୍ଠିକୁ ଆହାର କେନ୍ଦ୍ରଗୁଡିକରେ ସେବା ଯୋଗାଇବା ଓ ତଦାରଖ ବାବଦରେ ଏକ କୋଟି ୧୫ଲକ୍ଷ ଟଙ୍କା ଯୋଗାଇ ଦିଆଯାଇଛି ।

ଉଲ୍ଲେଖନୀୟ ଯେ ସହରାଞ୍ଚଳରେ ଥିବା ଆହାର କେନ୍ଦ୍ରଗୁଡିକରେ ଅଭାବୀ ଓ ଅସହାୟ ଲୋକଙ୍କୁ ମାତ୍ର ୫ଟଙ୍କା ଦରରେ ପେଟପୂରା ଗରମ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଉଛି । ଏହି କେନ୍ଦ୍ରରେ ମହିଳାଗୋଷ୍ଠିଙ୍କୁ ନିୟୋଜିତ କରାଯିବା ଫଳରେ ଖାଦ୍ୟ ବିତରଣ ଠାରୁ ଆରମ୍ଭକରି ଶାନ୍ତିଶୃଙ୍ଖଳା ରକ୍ଷା, ପରିଷ୍କାର ପରିଚ୍ଛନ୍ନତା ଆଦି ଠିକଣା ଭାବେ ପରିଚାଳନା କରାଯାଇ ପାରୁଛି । ମହିଳାମାନେ ଏବେ ଆହାର କେନ୍ଦ୍ରର ବଳ ପାଲଟିଛନ୍ତି । ବିଶେଷକରି କୋଭିଡ-୧୯ ମହାମାରୀ ସମୟରେ ମହିଳାଙ୍କ ସଫଳ ପରିଚାଳନା ଯୋଗୁଁ ଆହାରକେନ୍ଦ୍ରଗୁଡିକ ଖୋଲା ରହିବା ସହିତ ନିୟମିତ ଭାବେ ଅସହାୟମାନଙ୍କୁ ଖାଦ୍ୟ ଯୋଗାଇବାରେ ସଫଳ ହୋଇଛି ।

କେବଳ ଆହାର କେନ୍ଦ୍ର ନୁହେଁ ମହିଳାଙ୍କ ସଫଳ ପରିଚାଳନାକୁ ଦେଖି ସହରାଞ୍ଚଳରେ ଥିବା ଆଶ୍ରୟସ୍ଥଳୀଗୁଡିକର ପରିଚାଳନା ଦାୟିତ୍ୱ ବି ଗୃହ ଏବଂ ନଗର ଉନ୍ନୟନ ବିଭାଗ ମହିଳା ଗୋଷ୍ଠିଙ୍କ ହାତରେ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ୩ଟି ମିଶନଶକ୍ତି ଗୋଷ୍ଠିକୁ ବାଲେଶ୍ୱରର ମା’ ଦୁର୍ଗା, ନବରଙ୍ଗପୁରର ଶ୍ରୀ ସାଈ ଏବଂ ରାୟଗଡାର ସଂସ୍କୃତ ମିଶନ ଶକ୍ତି ଗୋଷ୍ଠିଙ୍କୁ ସହରାଞ୍ଚଳର ବାସହୀନଙ୍କ ପାଇଁ ଆଶ୍ରୟସ୍ଥଳୀ ପରିଚାଳନା ଦାୟିତ୍ୱ ଦିଆଯାଇଛି ।

ଏହାର ସଫଳ ପରିଚାଳନା ପାଇଁ ମୋଟ୍‍ ଖର୍ଚ୍ଚ ହେଉଥିବା ଅର୍ଥର ୧୦ ପ୍ରତିଶତ ମିଶନ ଶକ୍ତି ଗୋଷ୍ଠିକୁ ମିଳୁଛି । କେବଳ ଏହି ଦୁଇଟିରେ ମିଶନ ଶକ୍ତିର ମହିଳାଗୋଷ୍ଠି ନିଜର ସଫଳତାର ପ୍ରମାଣ ଦେଇନାହାନ୍ତି ବରଂ ସହରାଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଜଳଯୋଗାଣ ଠାରୁ ଆରମ୍ଭ କରି ପରିମଳ ଏବଂ ଟ୍ରାଫିକ ନିୟନ୍ତ୍ରଣ ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ନିଜକୁ ସାମିଲ କରିବା ସହିତ ଆତ୍ମନିର୍ଭର ହୋଇ ପାରୁଛନ୍ତି ।