Home General ଆହାର ଯୋଜନାକୁ ମିଳୁନି ଦାନ

ଆହାର ଯୋଜନାକୁ ମିଳୁନି ଦାନ

ଭୁବନେଶ୍ୱର : ସହରାଞ୍ଚଳରେ ୫ ଟଙ୍କାରେ ଭାତ ଡାଲ୍‍ମା ଯୋଗାଯାଉଥିବା ଆହାର ଯୋଜନା ଲାଗି ଦାନ ଦେବାକୁ ସାଧାରଣ ଲୋକେ କୁଣ୍ଠିତ । ହାତଗଣତି ଦୁଇତିନୋଟି ଶିଳ୍ପ ସଂସ୍ଥା ମୋଟା ଅଙ୍କର ଦାନ ଦେଉଥିବା ବେଳେ ଅନଲାଇନରେ ମିଳୁଥିବା ଦାନ ପରିମାଣ ୬ହଜାର ଟଙ୍କା ବି ହେଉନି ।

ରାଜ୍ୟର ୧୧୪ଟି ପୌରାଞ୍ଚଳରେ ଲୋକଙ୍କୁ ୫ଟଙ୍କାରେ ଭାତ ଡାଲ୍‍ମା ଯୋଗାଇବାକୁ ୧୫୮ଟି ଆହାର କେନ୍ଦ୍ର ଖୋଲିଛି । ଏହିସବୁ ଆହାର କେନ୍ଦ୍ରରେ ଦୈନିକ ୩୦୦ରୁ ଆରମ୍ଭ କରି ୨ହଜାର ପର୍ଯ୍ୟନ୍ତ ମିଲ୍‍ ଯୋଗାଯାଉଛି । ସାଧାରଣ ଲୋକେ ୫ଟଙ୍କାରେ ଖାଦ୍ୟ ପାଉଥିବା ବେଳେ ସରକାର ଏଥିପାଇଁ ଆହୁରି ପ୍ରାୟ ୨୦ ଟଙ୍କା ଯୋଗାଉଛନ୍ତି ।

ତେବେ ଏହି ଟଙ୍କା ଭରଣା ପାଇଁ ସରକାର ଦାନର ବ୍ୟବସ୍ଥା କରିଥିବା ବେଳେ ସାଧାରଣ ଲୋକେ କିନ୍ତୁ ଦାନ କରିବାକୁ ଆଗ୍ରହୀ ନୁହଁନ୍ତି । ଗତବର୍ଷ ଆହାର ପାଇଁ ୫୦କୋଟି ୪୬ ଲକ୍ଷ ଟଙ୍କାର ଦାନ ମିଳିଥିବା ବେଳେ ଏଥିରୁ ଅନ୍‍ଲାଇନ୍‍ରେ ମାତ୍ର ୫୪୦୧ ଟଙ୍କା ମିଳିଥିଲା । ତେବେ ରାଜ୍ୟ ସରକାରଙ୍କ ଓଡ଼ିଶା ଖଣି ନିଗମ ୨୦ କୋଟି ଟଙ୍କା ଦେଇଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ଅନୁରୂପ ପରିମାଣର ଅର୍ଥ ଆସିଥିଲା । ଏହି ବର୍ଷ ଆଦିତ୍ୟ ବିର୍ଲା ଗ୍ରୁପ୍‍ ୭ କୋଟି ୯୫ ଲକ୍ଷ ଟଙ୍କା ଦେଇଥିବା ବେଳେ ଦି ୱାର୍ଲ୍ଡ ଗ୍ରୁପ୍‍ ୨ କୋଟି ୫୦ ଲକ୍ଷ ଏବଂ ଓଡ଼ିଶା ଠିକାଦାର ମହାସଂଘ ୧ ଲକ୍ଷ ଟଙ୍କା ଦେଇଥିଲେ ।

ଆହର କେନ୍ଦ୍ର ପାଇଁ ଲୋକେ ସେମାନଙ୍କର ଜନ୍ମଦିନ, ବ୍ରତଘର, ବିବାହ ଉତ୍ସବ, ଶ୍ରାଦ୍ଧ ଓ ଅନ୍ୟ କୌଣସି ସ୍ୱତନ୍ତ୍ର ଦିନରେ ଦାନଦେବାକୁ ୱେବସାଇଟ୍‍ ଜରିଆରେ ଅନୁରୋଧ କରାଯାଇଥିଲେ ମଧ୍ୟ ସାଧାରଣ ଲୋକେ ଏଥିପାଇଁ ଆଗ୍ରହୀ ଥିବା ଲକ୍ଷ୍ୟ କରାଯାଉନାହିଁ ।

ଆହାର କେନ୍ଦ୍ରରେ ଏବେ ବର୍ଷକୁ ପ୍ରାୟ ୫୦ କୋଟି ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏହାର ସିଂହଭାଗ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‍ ପାଣ୍ଠିରୁ ଆସୁଛି । ଅବଶ୍ୟ ରାଜ୍ୟରେ ଥିବା ବିଭିନ୍ନ ଶିଳ୍ପ ଓ ଖଣି ସଂସ୍ଥାଗୁଡ଼ିକ ଆହାର ପାଇଁ ଅର୍ଥ ଯୋଗାଉଥିବା ବେଳେ ଓଏମ୍‍ସି, ଇଡ୍‍କୋ ଭଳି ସଂସ୍ଥା ଏଥିରେ ପ୍ରମୁଖ ଯୋଗଦାନ କରୁଛନ୍ତି । ଇତିମଧ୍ୟରେ ଆହାର କେନ୍ଦ୍ର ଆଇଏସ୍‍ଓ ସାର୍ଟିଫିକେଟ୍‍ ପାଇବା ସହିତ ଏହାର କଳେବଳ ବୃଦ୍ଧି ପାଇଛି ଓ କେତେକ କେନ୍ଦ୍ର ଶୀତତାପ ନିୟନ୍ତ୍ରିତ ହୋଇଛି । ସହରାଞ୍ଚଳ ବିଶେଷକରି ଡାକ୍ତରଖାନା ପରିସରରେ ଥିବା ଆହାର କେନ୍ଦ୍ରଗୁଡ଼ିକ ରୋଗୀଙ୍କ ସମ୍ପର୍କୀୟ ଓ ଅସହାୟ ଲୋକଙ୍କ ପାଇଁ ଭରସା ପାଲଟିଥିବା ବେଳେ ଅନ୍‍ଲାଇନରେ ଏଥିପ୍ରତି ଦାନ ନମିଳିବା ଏବେ ଆଶ୍ଚର୍ଯ୍ୟ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here