Home General ଆସ୍କା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଆସ୍କା ସେତୁ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

123
0

ଭୁବନେଶ୍ୱର: ଖୁସିର କଥା, ଆଜି ଆସ୍କାରେ ଏକ ଗୁରୁତ୍ୱପୂର୍ଣ୍ଣ ସେତୁର ଉଦଘାଟନ କରାଗଲା । ବ୍ରିଟିଶ ସମୟର ଦୁଇଟି ପୁରୁଣା ସେତୁକୁ ପୁନଃନିର୍ମାଣ କରାଯାଇଛି । ଜିଲ୍ଲାର ବିଭିନ୍ନ ଅଞ୍ଚଳର ରାସ୍ତା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସଂଯୋଗ ଭାବେ କାର୍ଯ୍ୟ କରିବ । ଆସ୍କା, ଭଞ୍ଜନଗର, ଛତ୍ରପୁର ଓ ଅନ୍ୟାନ୍ୟ ସହରରୁ ଭୁବନେଶ୍ୱରକୁ ଦୂରତା ମଧ୍ୟ କମିବ । ଏହାଦ୍ୱାରା ସାଢେ ତିନି ଲକ୍ଷରୁ ଅଧିକ ଲୋକଙ୍କ ଗମନାଗମନରେ ସୁବିଧା ଆସିବ ।

ଗଞ୍ଜାମ ଜିଲ୍ଲା ଆମ ରାଜ୍ୟର ଏକ ସମୃଦ୍ଧ ଜିଲ୍ଲା ଓ ବାଣିଜ୍ୟ କେନ୍ଦ୍ର । ଜିଲ୍ଲାର ଜନସାଧାରଣ ସେମାନଙ୍କ ପରିଶ୍ରମ ପାଇଁ ସୁନାମ କରିଛନ୍ତି । ଏହି ସେତୁ ଦ୍ୱାରା ଜିଲ୍ଲାର ବାଣିଜ୍ୟ କାରବାର, ପର୍ଯ୍ୟଟନ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଆହୁରି ଉନ୍ନତି ଆସିବ ବୋଲି ମୁଁ ଆଶା କରୁଛି ।

ବିକାଶ ପାଇଁ ଭିତ୍ତିଭୂମି ନିର୍ମାଣ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ତେଣୁ ମୋ ସରକାର ଭିତ୍ତିଭୂମିର ବିକାଶ ପାଇଁ ନିଷ୍ଠାର ସହ କାମ କରୁଛି । ସଡକ, ସେତୁ ନିର୍ମାଣରେ ଆଖିଦୃଶିଆ ବିକାଶ ଆସିଛି । ପର୍ଯ୍ୟଟନ ଖେଳ ଆଦି କ୍ଷେତ୍ରରେ ବିଶ୍ୱମାନର ଭିତ୍ତିଭୂମିର ନିର୍ମାଣ କରାଯାଉଛି । ଚଳିତ ଆର୍ଥିକ ବର୍ଷ ପାଇଁ ୧୦୦୦ କିଲୋମିଟର ରାସ୍ତା ଓ ୩୦ଟି ବଡ ସେତୁ ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଛି । ଏଥିପାଇଁ ୨୩୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଏହାସହିତ ବିଜୁ ସେତୁ ଯୋଜନାରେ ପ୍ରାୟ ୧୦୦୦ କୋଟି ଟଙ୍କା ଓ ଗ୍ରାମ ସଡକ ପାଇଁ ୨୦୦୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜ୍ୟର ଭିତ୍ତିଭୂମି ଆପଣମାନଙ୍କ ସମ୍ପତ୍ତି । ଆପଣଙ୍କ ଟଙ୍କାରେ, ଆପଣଙ୍କ ସୁବିଧା ପାଇଁ ଏହା ନିର୍ମାଣ କରାଯାଉଛି । ତେଣୁ ଆପଣମାନେ ଏହି ସମ୍ପତ୍ତିର ସୁରକ୍ଷା ଉପରେ ଧ୍ୟାନ ଦେବେ ବୋଲି ମୁଁ ଆଶା କରୁଛି ।

ଗଞ୍ଜାମ ଜିଲ୍ଲା କୋଭିଡ ପରିଚାଳନା କ୍ଷେତ୍ରରେ ସାରା ଦେଶରେ ସୁନାମ ଅର୍ଜନ କରିଛି । ଏଥିପାଇଁ ଜିଲ୍ଲାର ଜନସାଧାରଣଙ୍କୁ ମୁଁ ଧନ୍ୟବାଦ ଦେଉଛି । କିନ୍ତୁ ବିପଦ ଏବେ ବି ଯାଇନାହିଁ । ଦ୍ୱିତୀୟ ଲହରର ଭୟ ରହିଛି । ତେଣୁ ଆପଣମାନଙ୍କୁ ମୋର ନିବେଦନ, ଆପଣମାନେ କୋଭିଡର ସବୁ ନିୟମକୁ ପାଳନ କରନ୍ତୁ । ମାସ୍କ ପିନ୍ଧୁନ୍ତୁ, ହାତ ଧୁଅନ୍ତୁ ଓ ଭିଡ ଜାଗାରେ ସାମାଜିକ ଦୂରତା ରଖନ୍ତୁ । ଏହି କାର୍ଯ୍ୟକ୍ରମରେ ଆସ୍କା ସାଂସଦ ପ୍ରମିଳା ବିଶୋଇ, ଆସ୍କା ବିଧାୟକ ମଞ୍ଜୁଳା ସ୍ୱାଇଁ, ଜିଲ୍ଲା ପରିଷଦ ସଭାପତି ଓ ଜିଲ୍ଲାପାଳ ପ୍ରମୁଖ ଉଦବୋଧନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here